ପୁରୀ କେନାଲରେ ବୁଡ଼ି ଶ୍ରମିକ ମୃତ

ବାଲିଅନ୍ତା : ବଙ୍ଗୁଆରୀସ୍ଥିତି ପୁରୀ ମୁଖ୍ୟ କେନାଲ ସାଇଫନ୍‌ରେ ବୁଡ଼ି ଗୁରୁବାର ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତକ ହେଲେ, ସ୍ଥାନୀୟ ନୂଆପାଟଣା ଗ୍ରାମର ସନ୍ତୋଷ କୁମାର ଦାଶ (୫୩)। ଘର ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ। ଏଠାରେ ସେ ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ। ଆଜି ସେ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଖବର ପାଇ ତାଙ୍କ ପରିବାର ଏବଂ ସଂପର୍କୀୟମାନେ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳିନଥିଲା। ପରେ କଳ୍ପନାସ୍ଥିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ତାଙ୍କ ମୃତଦେହ ଉଦ୍ଧାର କରିବା‌ରେ ସକ୍ଷମ ହୋଇଥିଲା। ପାହାଳ ଫାଣ୍ଡି ପୁଲିସ୍‌ ଶବକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଆଜି ସକାଳେ ସନ୍ତୋଷ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ଗଭୀର ଜଳରାଶି ମଧ୍ୟକୁ ଚାଲି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଚିତ୍କାର କରିଥିଲେ ହେଁ ପାଣିର ପ୍ରଖର ସୁଅ‌‌ ଯୋଗୁଁ ଭିତରକୁ ଯିବାକୁ କେହି ସାହସ ଜୁଟାଇ ପାରିନଥିଲେ।

ସମ୍ବନ୍ଧିତ ଖବର