ନିର୍ମାଣାଧୀନ କୋଠାରେ ଶ୍ରମିକଙ୍କ ଗଳାକାଟି ହତ୍ୟା

ଭୁବେନଶ୍ୱର : ଆଜି ରାତିରେ ବାଣୀବିହାର ପରିସରସ୍ଥିତ ଏକ ନିର୍ମାଣାଧୀନ କୋଠାରେ ଜଣେ ଶ୍ରମିକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ଶ୍ରମିକ ହେଲେ, ମୟୂରଭଞ୍ଜ ଉଦଳାର ଗୁଜୁର ସିଂ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରୁ ଗୁଜୁରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଗୁଜୁରଙ୍କୁ ଜଣେ ସାଥୀ ଶ୍ରମିକ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବରାଗର ପ୍ରତିଶୋଧ ନେବାକୁ ଯାଇ ଏହା ଘଟିଛି ବୋଲି ସ‌ନ୍ଦେହ କରାଯାଉଛି। ତେବେ ଫେରାର୍‌ ଶ୍ରମିକକୁ ପୁଲିସ ଠାବ କରିପାରିନାହିଁ।

ସୂଚନାନୁସାରେ, ନିର୍ମାଣାଧୀନ କୋଠାରେ ଗୁଜୁରଙ୍କୁ କେହି ହତ୍ୟା କରିଛି ବୋଲି ଖବର ମିଳିବା ପରେ ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗୁଜୁରଙ୍କ ରକ୍ତାକ୍ତ ମୃତଦେହ ପଡ଼ି ରହିଥିଲା। ତାଙ୍କ ଗଳାକୁ କେହି କୌଣସି ଧରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଥିଲା। ନିକଟରେ ମଦ ବୋତଲ ଓ ବିଭିନ୍ନ ଖାଦ୍ୟ ପୁଡ଼ିଆ ପଡ଼ିଥିଲା। ପଚରାଉଚରା ପରେ ଅନ୍ୟ ଶ୍ରମିକମାନେ ଗୁଜୁରଙ୍କ ସହ ମଦ ପିଉଥିବା ଜଣେ ଶ୍ରମିକର ନାଁ ନେଇଥିଲେ। କିନ୍ତୁ ତାକୁ ପୁଲିସ ଖୋଜିଲା ବେଳକୁ ସେ ଫେରାର୍ ହୋଇଯାଇଥିଲା। ହତ୍ୟାକାଣ୍ଡ ପରେ ଫେରାର୍ ହୋଇଯାଇଥିବା ଉକ୍ତ ଶ୍ରମିକ ଆଜି ସକାଳେ ଏକ ପରିବା କଟା ଛୁରି କିଣିଥିବା ଅନ୍ୟ ଶ୍ରମିକମାନେ ପୁଲିସକୁ ଜଣାଇଥିଲେ। ତେଣୁ ସେ ଗୁଜୁରକୁ ହତ୍ୟା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ସେଥିପାଇଁ ଯୋଜନା କରିଥିଲା ବୋଲି ଜଣାପଡ଼ିଛି। ଯୋଜନା ମୁତାବକ ଆଜି ସନ୍ଧ୍ୟାରେ ସେ ଗୁଜୁରକୁ ମଦ ପିଇବାକୁ ଡାକି ମଦ ପିଆଇ ନିଶାସକ୍ତ କରିବା ପରେ ଗଳାକାଟି ହତ୍ୟା କରିଛି ବୋଲି ଆପାତତଃ ସ୍ପଷ୍ଟ ହୋଇଛି। ପୁଲିସ ହତ୍ୟା ଅଭିଯୁକ୍ତ ଶ୍ରମିକକୁ ଧରିବା ପାଇଁ ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ଭଳି ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର