ସ୍କିମ୍‌ ୱାର୍କର୍ସଙ୍କୁ ଶ୍ରମିକ ମାନ୍ୟତା ମିଳୁ, ୧୫ ଦଫା ଦାବିରେ ଶ୍ରମିକ ସଂଗଠନର ବିକ୍ଷୋଭ

ଭୁବନେଶ୍ୱର : ସ୍କିମ୍ ୱାର୍କର୍ସମାନଙ୍କୁ ମାସିକ ୨୧ ହଜାର ଟଙ୍କା ଦରମା, ୪୫ ଓ ୪୬ତମ ଶ୍ରମ ସମ୍ମିଳନୀ ଅନୁଯାୟୀ ସ୍କିମ୍ ୱାର୍କର୍ସମାନଙ୍କୁ ଶ୍ରମିକ ମାନ୍ୟତା, ମାସିକ ୩ ହଜାର ଟଙ୍କା ପେନସନ୍‌, ଶ୍ରମକୋଡ୍ ବାତିଲ, ୫୦ଲକ୍ଷ ଟଙ୍କାର ଜୀବନବୀମା, ଆଗଧାଡ଼ିର ୱାର୍କର୍ସମାନଙ୍କୁ ଇପିଏଫ୍ ଓ ଇଏସ୍‌ଆଇରେ ଅନ୍ତର୍ଭୁକ୍ତ କରିବା ଆଦି ଦାବିରେ ଶୁକ୍ରବାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମାଷ୍ଟର୍‌କ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏଆଇସିଟିୟୁର ନେତା ମହେନ୍ଦ୍ର ପରିଡ଼ାଙ୍କ ନେତୃତ୍ବ‌ରେ ସଂଗଠନର କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଏକ ଶୋଭାଯାତ୍ରାରେ ବିଧାନସଭା ଆଡ଼କୁ ଯାଇଥିଲେ। ବାଟରେ ପୁଲିସ୍‌ ସେମାନଙ୍କୁ ଅଟକାଇବାରୁ ସେହିଠାରେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏହି ଅବସରରେ ଶ୍ରୀ ପରିଡ଼ା କହିଥିଲେ, ମୋଦି ସରକାର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି। ଏହାଦ୍ବାରା କାର୍ଯ୍ୟରତ ହଜାର ହଜାର ପାଚିକା ନିଯୁକ୍ତି ହରାଇବେ। ସେହିପରି ଜାତୀୟ ଶିକ୍ଷାନୀତି ଅନୁସାରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା କ’ଣ ହେବ, ତାହା ମଧ୍ୟ ମୋଦି ସରକାର ସ୍ପଷ୍ଟ କରିବା ଉଚିତ। ଏହାବ୍ୟତୀତ ମହମାାରୀ କୋଭିଡ୍‌ ସମୟରେ ବିଭିନ୍ନ କାର୍ଯ୍ୟ କରିଥିବା ଏହି ସ୍କିମ୍‌ ୱାର୍କର୍ସମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସହାୟତା ଦିଆଯାଉ ବୋଲି ସେ ଦାବି କରିଥିଲେ। ଏହି ଅବସରରେ ସଂଗଠନର ଏକ ପ୍ରତିନିଧି ଦଳ ୧୫ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଆଜିର ଏହି ବିକ୍ଷୋଭରେ ଏଆଇଟିୟୁସର ବିଜୟ ଜେନା, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ସାଧାରଣ ସମ୍ପାଦିକା ନମିତା ସାହୁ, ସିଆଇଟିୟୁର ପୁଷ୍ପାଞ୍ଜଳି ଦାଶ, ଆଇଏନ୍‌ଟିୟୁସିର ପ୍ରଣତି ମିଶ୍ର, ଏଆଇୟୁଟିୟୁସିର ନିରଞ୍ଜନ ମହାନ୍ତି, ଟିୟୁସିସିର ଜ୍ୟୋତିରଞ୍ଜନ ମହାପାତ୍ର, ଏସ୍‌ଇଡବ୍ଲୁଏର ପରିଲତା ମହାପାତ୍ର, ବସନ୍ତ ସେଠୀ, ମମତା ରାଉତ, ଗୀତାରାଣୀ ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର