ଆପୋଲୋରେ ଅଶାନ୍ତି : ଦେଢ଼ ହଜାର କର୍ମଚାରୀଙ୍କ ବିକ୍ଷୋଭ

ଚନ୍ଦ୍ରଶେଖରପୁର : ଦୀର୍ଘ ଦିନ ହେବ କର୍ମଚାରୀଙ୍କ ଦରମାରେ କୌଣସି ବୃଦ୍ଧି ଘଟି ନାହିଁ। କର୍ମଚାରୀଙ୍କ ବୋନସ୍‌ ୨୦ ପ୍ରତିଶତରୁ ହଠାତ୍‌ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି। ଏହାକୁ ବିରୋଧ କରି ଆଜି ଆପୋଲୋ ହସ୍ପିଟାଲ୍‌ର କର୍ମଚାରୀମାନେ ହସ୍ପିଟାଲ୍‌ ପରିସରରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହସ୍ପିଟାଲ୍‌ର ପ୍ରାୟ ୧୫୦୦ କର୍ମଚାରୀ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ଏହା ଫଳରେ ରୋଗୀ ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି।

ଆପୋଲୋ ହସ୍ପିଟାଲ୍‌ର ଉଚ୍ଚ ଅଧିକାରୀମାନଙ୍କ ମେରୀରାୟ ନୀତି ଫଳରେ କର୍ମଚାରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। କର୍ମଚାରୀଙ୍କ ଦରମା ବଢ଼ଉ ନ ଥିବା ବେଳେ କୌଣସି ଆଲୋଚନା ନକରି ବୋନସକୁ ଆଶାତୀତ ଭାବରେ କମ୍‌ କରିଦେଇଛନ୍ତି। କର୍ମଚାରୀଙ୍କ ଦାବି ଓ ସୁବିଧାକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରାଯାଉଛି। ତେଣୁ ଆଜି ହସ୍ପିଟାଲ୍‌ର ପ୍ରାୟ ସମସ୍ତ କର୍ମଚାରୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିବା ହସ୍ପିଟାଲ୍‌ କର୍ମଚାରୀ ସଂଘର ସାଧାରଣ ସଂପାଦକ ରାଧାକାନ୍ତ ମାଝୀ ପ୍ରକାଶ କରିଛନ୍ତି। ଏହା ସହିତ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଦାବି ପୂରଣ ଦିଗରେ ଉପଯୁକ୍ତ ପଦକ୍ଷେପ ନ ନେଲେ ବିକ୍ଷୋଭ ଚାଲୁ ରହିବ ନେଇ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି।

କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା ରୋଗୀମାନେ ଚିକିତ୍ସା ଅଭାବରୁ ନାହିଁନଥିବା ହଇରାଣ ହୋଇଛନ୍ତି। ରୋଗୀସେବାରେ ସୁଧାର ଆଣିବାକୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମଧ୍ୟ ବିଶେଷ ଯତ୍ନବାନ ନଥିବା ଜଣେ ରୋଗୀ ସମ୍ପର୍କୀୟ ମତ ଦେଇଛନ୍ତି।

କର୍ମଚାରୀମାନେ ଆଜି ସକାଳ ସକାଳୁ ଏନେଇ ହସ୍ପିଟାଲ୍‌ ମେନ୍‌ଗେଟ୍‌କୁ ବନ୍ଦ କରିବା ସହିତ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ। କର୍ମଚାରୀଙ୍କ ଦାବିପ୍ରତି କର୍ତ୍ତୃପକ୍ଷ ଆଦୌ କର୍ଣ୍ଣପାତ କରୁନଥିବା କର୍ମଚାରୀମାନେ କ୍ଷୋଭର ସହିତ ପ୍ରକାଶ କରିଥିଲେ। ଏହି ହସ୍ପିଟାଲ୍‌ରେ ବିଭିନ୍ନ ବିଭାଗରେ ଅନେକ ଗୁରୁତର ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ମଧ୍ୟ ସେମାନଙ୍କର ଚିକିତ୍ସାରେ ବାଧା ନପହଞ୍ଚିବାକୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଏ ନେଇ ଆପୋଲୋ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର