ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଶ୍ରମିକଙ୍କୁ କାମରେ ଲଗାଉଛନ୍ତି ଠିକାଦାର : ୫୦ରୁ ଅଧିକ ଶ୍ରମିକ ଟ୍ରାକ୍ ମରାମତି କଲେ

ଚନ୍ଦ୍ରଶେଖରପୁର : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ବରରେ ଲକ୍‌ ଡାଉନ୍ ଘୋଷଣା କରାଯାଇଛି। କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କଡ଼ା ନିୟମ ହୋଇଛି। ତେବେ ଏହି ନିୟମକୁ ମାନିବାକୁ କେହି ବି ପ୍ରସ୍ତୁତ ନୁହନ୍ତି। ଏମିତିକି କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ନିୟୋଜିତ ଠିକାଦାର ଏହି ନିୟମକୁ ମାନୁ ନଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଲକ୍‌ ଡାଉନ୍‌ ହୋଇଥିବା ବେଳେ ଭିଏସ୍ଏସନଗର ଏଲ୍.ସି-୧୮୬ ପଏଣ୍ଟ୍‌ରେ ଆଜି ଦିନତମାମ ରେଳ ଧାରଣା ମରାମତି କାର୍ଯ୍ୟ କରିଥିଲେ ୫୦ରୁ ଅଧିକ ଶ୍ରମିକ। ସେମାନଙ୍କୁ ସ୍ଥାନୀୟ ପୁଲିସ ବାରଣ କରିବାରୁ ସେମାନେ ନିଜ ଠିକାଦାରକୁ ସୂଚନା ଦେଇଥିଲେ। ତେବେ ଠିକାଦାର ସ୍ଥାନୀୟ ପୁଲିସ୍ କଥାକୁ ବେଖାତିର କରି କାର୍ଯ୍ୟ ଚାଲୁ ରଖିଥିଲେ। ଉକ୍ତ ସ୍ଥାନରେ ପ୍ରାୟ ୫୦ ଜଣ କାର୍ଯ୍ୟରତ ଶ୍ରମିକ କୋଲକାତାର ହୋଇଥିବାରୁ ସେମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ ନେଇ ଅବଗତ ନାହାନ୍ତି ବୋଲି ପ୍ରକାଶ କରିଥିଲେ। ସେମାନଙ୍କୁ ଠିକାଦାର କାମ କରିବା ପାଇଁ ଆଦେଶ ଦେଇଛି। ଫଳରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ଏଠାରେ ଶ୍ରମ ଆଇନର ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି। ବହୁ ଶ୍ରମିକଙ୍କ ମୁଣ୍ଡରେ ହେଲମେଟ୍ ନଥିବା ବେଳେ ଦେହରେ ରେଡିୟମ୍ ଆପ୍ରୋନ୍ ନ ଥିଲା। ଏମିତିକି ପାଖାପାଖି କାର୍ଯ୍ୟ କରୁଥିଲେ ମଧ୍ୟ କାହା ମୁହଁରେ ମାସ୍କ ନଥିଲା। କରୋନା ସଚେତନତା ‌ନେଇ ଶ୍ରମିକମାନେ କୌଣସିପ୍ରକାର ଅବଗତ ନଥିବା ପ୍ରକାଶ କରିଥି‌ବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଠିକାଦାର ଓ ରେଳପଥର କିଛି ବରିଷ୍ଠ ଅଧିକାରୀ ସେଠାରୁ ପଳାଇଥିଲେ। ଦିନତମାମ କାର୍ଯ୍ୟ ଚାଲିଥିଲା। ପୁଲିସ କେବଳ ନିରବଦ୍ରଷ୍ଟା ସାଜିଥିଲା। ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁର, ପଟିଆ, ଇନ୍‌ଫୋସିଟି ଅଞ୍ଚଳରେ କେତେକ ଠିକାଦାର ସଂସ୍ଥା ଶ୍ରମିକଙ୍କୁ ଘର ନିର୍ମାଣ କାମରେ ଲଗାଉଥିବା ଦେଖିବାକୁ ମିଳିଛି। ଦିନରାତି ଏକ କରି ବିନା କୌଣସି ସୁରକ୍ଷାରେ ଶ୍ରମିକମାନେ କାମ କରି ଚାଲିଛନ୍ତି। ସେମାନଙ୍କ ପ୍ରତି ପ୍ରଶାସନର କଟକଣା ଅଛି, ନା ସୁରକ୍ଷା ଚିନ୍ତା। ତେବେ ବଡ଼ କଥା ହେଉଛି ଯେ ଅନେକ ଶ୍ରମିକ ଏବେ କାମ ଧନ୍ଦା ନପାଇ ବେକାର ‌ହୋଇ ଆର୍ଥିକ ଅନଟନରେ ଦିନ କାଟୁଛନ୍ତି। ସେମାନଙ୍କ ପାଇଁ ପ୍ରଶାସନ ଆର୍ଥିକ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର