ବିଏମ୍ସିର ଦୁଇଥର ମେୟର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ଅନନ୍ତ ନାରାୟଣ ଜେନା। ୨୦୧୯ରେ ଭୁବନେଶ୍ବର ମଧ୍ୟର ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡିରୁ ସେ ପୁଣି ପ୍ରାର୍ଥୀ ହୋଇଛନ୍ତି। ସବୁ ବର୍ଗର ଲୋକଙ୍କ ସହ ସହଜରେ ମିଶୁପାରୁଥିବାରୁ ଅନନ୍ତଙ୍କର ବସ୍ତି ଅଞ୍ଚଳରେ ଭଲ ପ୍ରଭାବ ରହିଥିବା କୁହାଯାଏ।
ଆପଣ ଦ୍ବିତୀୟ ଥର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ମୁଖ୍ୟ ପ୍ରସଙ୍ଗ କ’ଣ ରହିବ?
ନିର୍ବାଚନ ମଇଦାନ ମୋ ପାଇଁ ନୂଆ ନୁହେଁ। ବିଧାୟକ ହେବାର ପ୍ରଥମ ୫ ବର୍ଷରେ ରାଜଧାନୀବାସୀଙ୍କୁ ସବୁ ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଇବାକୁ ଚେଷ୍ଟା କରିଛି। ରାଜଧାନୀର ଅଧିକାଂଶ ସ୍ଥାନରେ ଆଉ ଜଳବନ୍ଦୀ ସମସ୍ୟା ନାହିଁ। ବିଏମ୍ସି ସହଯୋଗରେ ଗଳିକନ୍ଦିରେ ଡ୍ରେନ୍, ପେଭର୍ ବ୍ଲକ ରାସ୍ତା ନିର୍ମାଣ କରାଯାଇଛି। ଜୁଲାଇ ମାସରୁ ସମସ୍ତଙ୍କୁ ମାଗଣା ବିଜୁଳି, ବିଏସ୍କେୱାଇରେ ସମସ୍ତଙ୍କୁ ସାମିଲ୍ କରିବା, ସବୁ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଏବଂ ଘର ଯୋଗାଇ ସ୍ଥାୟିତ୍ବ ପ୍ରଦାନ କରିବା ପ୍ରାଥମିକତା ହେବ।
ମଧ୍ୟ ନିର୍ବାଚନମଣ୍ଡଳୀର ମୁଖ୍ୟ ସମସ୍ୟା କ’ଣ ଥିଲା, ଏହାକୁ ସମାଧାନ ପାଇଁ ଆପଣ କ’ଣ କରିଛନ୍ତି?
ବମିଖାଲ, ଆଚାର୍ଯ୍ୟବିହାର, ଲକ୍ଷ୍ମୀସାଗର, ନୂଆପଲ୍ଲୀ, ଜଗନ୍ନାଥନଗର ଭଳି କେତେକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଥିଲା। ସେଗୁଡ଼ିକର ସ୍ଥାୟୀ ସମାଧାନ କରାଯାଇଛି। ଏବେ ଜାତୀୟ ରାଜପଥ ଯୋଗୁଁ କେତେକ ଅଞ୍ଚଳରେ ପାଣି ପଶୁଛି। ତା’ର ବି ସ୍ଥାୟୀ ସମାଧାନ କରାଯିବ। ସବୁ ବସ୍ତିକୁ ବିଜୁ ଆଦର୍ଶ କଲୋନିରେ ପରିଣତ କରାଯାଇଛି। ସବୁ ଘରକୁ ଟ୍ୟାପ୍ ଯୋଗେ ପିଇବା ପାଣି, ମୋ ପୋଖରୀ ଯୋଜନାରେ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର, ଲକ୍ଷ୍ମୀସାଗରରେ ଇନଡୋର୍ ଷ୍ଟାଡିୟମ, ମିସନ ଶକ୍ତି ମା’ମାନଙ୍କୁ ସ୍ବାବଲମ୍ବୀ କରାଯାଇଛି।
ଆପଣଙ୍କ ନିର୍ବାଚନମଣ୍ଡଳୀରେ ସ୍ମାର୍ଟ ସିଟି ଅଞ୍ଚଳ ଯାଉଛି। ୫ବର୍ଷରେ ଆଉ କ’ଣ ଉନ୍ନତିମୂଳକ କାମ କରିଛନ୍ତି?
ମୁଁ ମେୟର ଥିବାବେଳେ ଭୁବନେଶ୍ବରକୁ ସ୍ମାର୍ଟ ସିଟି ମାନ୍ୟତା ମିଳିଥିଲା। ବିଧାୟକ ପାଣ୍ଠିରେ ମହର୍ଷି କଲେଜ, କମଳା ନେହରୁ କଲେଜ ଓ ଦେବରାୟ କଲେଜରେ ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ହୋଇଛି। ବହୁ ଅଞ୍ଚଳରେ ଯୁବକଙ୍କ ପାଇଁ କ୍ଲବ, ଗୋଷ୍ଠୀ କେନ୍ଦ୍ର, ପାଠାଗାର, ବିଭିନ୍ନ ୱାର୍ଡରେ ବରିଷ୍ଠ ନାଗରିକ ବସାଉଠା କରିବାକୁ ସ୍ବତନ୍ତ୍ର ଘର ନିର୍ମାଣ କରାଯାଇଛି। ଏହାସହ ଲକ୍ଷ୍ମୀସାଗର, ବମିଖାଲ, ଝାରପଡ଼ା, ନୂଆପଲ୍ଲୀ ସମେତ ବିଭିନ୍ନ ଗାଁରେ ଥିବା ମଶାଣିର ପୁନରୁଦ୍ଧାର କରାଯାଇଛି।
ବିଏମ୍ସିର ମେୟର ଭାବେ ୧୦ବର୍ଷ କାମ କଲେ। ବିଧାୟକ ଭାବେ ୫ବର୍ଷ କାମ କଲେଣି। କେଉଁ ପଦରେ କାମ କରିବାର ଖୁସି ଅଧିକ?
ମୁଁ ୨୦ବର୍ଷରୁ ଅଧିକ ସମୟ ଲୋକଙ୍କ ସେବାରେ ଅଛି। ମୁଁ ସବୁବେଳେ ସମସ୍ତଙ୍କୁ ନେଇ କାମ କରିବାକୁ ଭଲ ପାଏ। ମୋର ଲକ୍ଷ୍ୟ ପଦପଦବି ନୁହେଁ, ଲୋକଙ୍କ ସହ ଓ ଲୋକଙ୍କ ପାଇଁ କାମ କରିବା। ଯାହା ଗତ ୨୦ବର୍ଷ ହେଲା କରି ଆସୁଛି। ସେଥିରେ ମୁଁ ଖୁସି। ମୋର ଆଗରେ ପଛରେ କେହି ନାହାନ୍ତି। ତେଣୁ ଲୋକଙ୍କ ପାଇଁ ଦିନରାତି କାମ କରେ। ଲୋକଙ୍କ ପାଇଁ ମୋ ଘର ୨୪ ଘଣ୍ଟା ଖୋଲା ରହିଥାଏ।
ଭୁବନେଶ୍ବରବାସୀଙ୍କ ପାଇଁ କ’ଣ କରିବେ ବୋଲି ଯୋଜନା କରିଛନ୍ତି? ଲୋକ ଦ୍ବିତୀୟ ଥର ପାଇଁ ଆପଣଙ୍କୁ କାହିଁକି ବିଶ୍ବାସ କରିବେ ବୋଲି ଭାବୁଛନ୍ତି?
ଲୋକ ରହୁଛନ୍ତି ମାନେ ନୂଆ ନୂଆ ସମସ୍ୟା ଆସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ତା’ର କିପରି ତ୍ବରିତ ସମାଧାନ କରାଯିବ ସେନେଇ ପଦକ୍ଷେପ ନିଆଯିବ। ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ, ସହରୀ ବାସିନ୍ଦାଙ୍କ ସୁଖଦୁଃଖରେ ସାମିଲ୍ ହୁଏ। ଗୋଟିଏ ଫୋନ୍ରେ ମୁଁ ତାଙ୍କ ପାଖରେ ପହଞ୍ଚିଯାଏ। ଯିଏ ଯେଉଁ ଅଞ୍ଚଳର ବିକାଶ ପାଇଁ ଯାହା ପ୍ରସ୍ତାବ ଦେଇଛନ୍ତି ତାକୁ ଯଥାସମ୍ଭବ କାର୍ଯ୍ୟକାରୀ କରିଛି। ତେଣୁ ଏଥର ବି ରାଜଧାନୀବାସୀ ମୋତେ ନିଶ୍ଚିତ ଆଶୀର୍ବାଦ କରିବେ ବୋଲି ବିଶ୍ବାସ ଅଛି।