ଭୁବନେଶ୍ବର: ରାଜ୍ୟର ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କର୍ମଶାଳାରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଅଧ୍ୟକ୍ଷତା କରି କହିଲେ ଅଧ୍ୟକ୍ଷମାନେ ଏକାଭଳି ଢ଼ଙ୍ଗରେ ସବୁ ପିଲାଙ୍କୁ ଦେଖିବା ଆବଶ୍ୟକ। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ କିଭଳି କିଭଳି ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ ହେବେ ସେନେଇ ପରାମର୍ଶ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍ ଆୟାର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଓ ଦକ୍ଷତା ବୃଦ୍ଧି ଦିଗରେ ଅଧ୍ୟକ୍ଷମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ମତବ୍ୟକ୍ତ କରିଥିଲେ। ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ନାଗରିକ ଭାବେ ଗଢ଼ିତୋଳିବା ଓ ଅନ୍ତର୍ଜାତୀୟ ସ୍ତରରେ ସେମାନେ କିଭଳି କୃତକାର୍ଯ୍ୟ ହେବେ ସେଦିଗରେ ଅଧ୍ୟକ୍ଷମାନଙ୍କ ପ୍ରମୁଖ ଭୂମିକା ରହିଥିବା କହିଥିଲେ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ଯୋଗଦେଇ ଯୁକ୍ତ୨ ପରୀକ୍ଷା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସହ ଅଧ୍ୟକ୍ଷମାନେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅଗଷ୍ଟ ପହିଲାରୁ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସମସ୍ତ ବିଦ୍ୟାଳୟରେ ପ୍ରବେଶ ଦିବସ କିଭଳି ପାଳନ କରାଯିବ ସେନେଇ ରୂପରେଖ ପ୍ରସ୍ତୁତ ହୋଇଛି। ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତି, ବିଦ୍ୟାଳୟରେ ହାକଥାନ ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି, ପରୀକ୍ଷା ଫଳ ସମୀକ୍ଷା ଓ ଏହାର ମାନ ବୃଦ୍ଧି ପାଇଁ ପଦକ୍ଷେପ, ଅନୁଦାନର ସୁବିନିଯୋଗ ଓ ୟୁସି ଦାଖଲ, ମୋ ସ୍କୁଲ ମାଧ୍ୟମରେ ପ୍ରଦତ୍ତ ଅର୍ଥର ବିନିଯୋଗ ପରି ବିଷୟ ଉପରେ କର୍ମଶାଳାରେ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ବଳଙ୍କ ଦମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।