ଆତଙ୍କବାଦ ନିରୋଧ କର୍ମଶାଳା : ଅନୁଦାନ ବନ୍ଦ ହେଲେ ଆତଙ୍କବାଦ କମିବ

କମିସନରେଟ୍‌ ମୁଖ୍ୟାଳୟ ପରିଦର୍ଶନ କଲେ ଏନ୍‌ଆଇଏ ଡିଜି

ଭୁବନେଶ୍ବର : ଆତଙ୍କବାଦୀ ସଂଗଠନଗୁଡ଼ିକୁ ଅନୁଦାନ ବନ୍ଦ ହୋଇପାରିଲେ ଆତଙ୍କବାଦ କମିବ। ଆତଙ୍କବାଦୀ ସଂଗଠନକୁ ଅନୁଦାନ କେଉଁଠୁ ଆସୁଛି, କେଉଁମାନେ ପ୍ରତ୍ସୋହନ ଯୋଗାଉଛନ୍ତି, ସେମାନଙ୍କୁ ଖୋଜି ବାହାର କରାଯିବା ଆବଶ୍ୟକ। ଏହାସହ ସେମାନଙ୍କୁ ୟୁଏପିଏ ଆକ୍ଟରେ ଗିରଫ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି।

ଗୁରୁବାର ପୁଲିସ ଭବନଠାରେ ଆତଙ୍କବାଦ ନିରୋଧ ଓ ଏହାର ତଦନ୍ତ ଉପରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତଥି ଭାବେ ଯୋଗ ଦେଇ ଏନ୍‌ଆଇଏ ଡିଜି ଶ୍ରୀ ମୋଦି କହିଛନ୍ତି, ଦେଶରେ ଏବେ ସବୁଠାରୁ ବଡ଼ ସମସ୍ୟା ଆତଙ୍କବାଦୀ ଆକ୍ରମଣ। ଓଡ଼ିଶା‌ ମଧ୍ୟ ଆତଙ୍କବାଦୀଙ୍କ ଟା‌ର୍ଗେଟ୍‌‌‌ରେ ଅଛି। ଏଥିପାଇଁ ଆତଙ୍କବାଦ ମାମଲାର ତଦନ୍ତ କିଭଳି ହୁଏ, ପୁଲିସ ଅଧିକାରୀମାନଙ୍କ ଜାଣିବାର ଆବଶ୍ୟକତା ଅଛି। କାରଣ ଏଭଳି ମାମଲା ଅତ୍ୟନ୍ତ ଜଟିଳ ଓ ଗୁରୁତ୍ବପୂର୍ଣ୍ଣ। ତଦନ୍ତ ଶୈଳୀ/ପଦ୍ଧତି ଶିଖାଇବା ପାଇଁ ଏନ୍‌ଆଇଏର ଏକ ଟିମ ଓଡ଼ିଶା ଆସିଛି। ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ କିଏ ଦେଉଛି, ସେମାନଙ୍କୁ କେମିତି ଟ୍ରାକିଂ କରି ଗିରଫ କରାଯାଇପାରିବ, ଆତଙ୍କବାଦୀଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିବା, କେମିତି ଚାର୍ଜସିଟ ଲେଖାଯିବ ଏ ସମ୍ପର୍କରେ ସବିଶେଷ ତାଲିମ ପ୍ରଦାନ କରାଯାଇଛି। କାରଣ ଅନେକ ସମୟରେ ଏଭଳି ମାମଲାରେ ଆତଙ୍କବାଦୀମାନେ ଗିରଫ ହୋଇ ପାରି ନଥାନ୍ତି। କେହି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, କୌଣସି କାଗଜପତ୍ର ମିଳେ ନାହିଁ। ତେଣୁ ଫରେନସିକ ଟିମ ଓ ନୂଆ ସଫ୍ଟୱେର୍‌କୁ କେମିତି ତଦନ୍ତକାରୀ ଅଫିସରମାନେ ବ୍ୟବହାର କରି ଆତଙ୍କବାଦୀ ଓ ସଂଗଠନ ନିକଟରେ ପହଞ୍ଚି‌‌ବେ‌େ, ସେ ନେଇ ତାଲିମ୍‌ ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟର ଇନ୍ସପେକ୍ଟର ଓ ଡିଏସ୍‌ପିମାନଙ୍କୁ ଏନ୍‌ଆଇଏକୁ ଡେପୁଟେସନରେ ପଠାଗଲେ ସେମାନେ ମଧ୍ୟ ଆତଙ୍କବାଦ ସମ୍ବନ୍ଧିତ ମାମଲାର ତଦନ୍ତ କରିବା କ୍ଷେତ୍ର‌ରେ ଦକ୍ଷ ହୋଇପାରିବେ ଏବଂ ସେମାନଙ୍କ ପାଇଁ ଏହା ସହଜ ହୋଇ ପାରିବ ବୋଲି ସେ କହିଥିଲେ। ଅନ୍ୟତମ ଅତଥି ଭାବେ ପୁଲିସ ଡିଜି ବିଜୟ କୁମାର ଶର୍ମା ଏହି କର୍ମଶାଳାରେ ଯୋଗଦେଇ କହିଲେ, ଏନ୍‌ଆଇଏର ଏଭଳି ତାଲିମ୍‌ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟର ଶହେ ପାଖାପାଖି ଅଫିସର୍‌ ପ୍ରଶିକ୍ଷଣ ନେଇ ପାରିଛନ୍ତି। ଯାହାକି ସେମାନଙ୍କୁ ଭବିଷ୍ୟତରେ ଆତଙ୍କବାଦ ମାମଲାର ତଦନ୍ତ କ୍ଷେତ୍ରରେ ସହାୟକ ହୋଇପାରିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ଆଇଜି ଘନଶ୍ୟାମ ଉପ‌‌‌ାଧ୍ୟାୟ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦେଶକ ସୁନୀଲ ରଏ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମି ନିର୍ଦେଶକ ଅରୁଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

କମିସନରେଟ୍‌ ମୁଖ୍ୟାଳୟ ପରିଦର୍ଶନ କଲେ ଏନ୍‌ଆଇଏ ଡିଜି

ଭୁବନେଶ୍ୱର : ଏନ୍‌ଆଇଏ ଡିଜି ୱାଇ.ସି ମୋଦୀ ଆଜି ପୁଲିସ କମିସନରେଟ୍‌ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଆଇଜି ଜିପି ସିଂହ ମଧ୍ୟ ସାମିଲ ହୋଇଥିଲେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଅତିରିକ୍ତ କମିସନର ସଞ୍ଜୟ ସିଂହଙ୍କ ସହ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ପୁଲିସ କମିସନର ତାଙ୍କୁ ବିଭିନ୍ନ ବିଭାଗ ସହ ମୋ ସରକାର ଯୋଜନା ଅଧୀନରେ ଖୋଲିଥିବା କଣ୍ଟ୍ରୋଲ ରୁମ୍‌ ମଧ୍ୟ ଦେଖାଇଥିଲେ।

ସମ୍ବନ୍ଧିତ ଖବର