ଭୁବ‌ନେଶ୍ବର: ‘ଉତ୍ସ’ ପକ୍ଷରୁ ‘ଆତ୍ମହତ୍ୟା ନୁହେଁ ସମାଧାନ’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ବାହାରିଥିବା ଏକ ଶୋଭାଯାତ୍ରାକୁ ପୁଲିସ ଆଇଜି ଏସ୍ ସାଇନି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ‘ସବୁ ସମସ୍ୟାଠୁ ଜୀବନ ମହାନ, ଆତ୍ମହତ୍ୟା ନୁହେଁ ସମାଧାନ’ ସ୍ଲୋଗାନ ଦେଇ ଶତାଧିକ ଯୁବକ ଯୁବତୀ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସ‌ରରେ ଆତ୍ମହତ୍ୟା ରୋକିବାକୁ କିଭଳି ସଚେତନତା ସୃଷ୍ଟି କରାଯିବ ସେ ନେଇ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦିନକୁ ଦିନ ସମାଜରେ ଆତ୍ମହତ୍ୟାଜନିତ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ଓ ଲୋକଙ୍କୁ ସଚେତନ କରାଇବାପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା।

Advertisment

କର୍ମଶାଳାରେ ପୁଲିସ ଏସିପି ସଞ୍ଜୀବ ଶତପଥୀ, ସମାଜସେବୀ ରୀନା ରାଉତରାୟ, ସିନେ ଅଭିନେତ୍ରୀ ଭୂମିକା ଦାଶ, ପ୍ରଫେସର ନମିତା ମହାନ୍ତି ଏବଂ ଜୟପ୍ରକାଶ ରାବନ ପ୍ରମୁଖ ଯୋଗ ଦେଇ ଆତ୍ମହତ୍ୟା ରୋକିବା ପାଇଁ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ। ଉତ୍ସ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବର ୯୦୯୦୪୨୧୧୧୧ରେ ଯୋଗାଯୋଗ କରି ସମସ୍ୟାର ସମାଧାନ ବାବଦରେ ନିଃସଙ୍କୋଚରେ ଆଲୋଚନା କରିବାକୁ ସଂଗଠନର ପ୍ରତିଷ୍ଠାତା ମନସ୍ବତ୍ତ୍ବବିତ୍ ମୌସୁମୀ ମହାନ୍ତି ଅନୁରୋଧ କରିଛନ୍ତି। ସଚେତନତା ଶୋଭାଯାତ୍ରାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।