ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ

ଇଞ୍ଜିନିୟରିଂରେ ଛାତ୍ରୀଙ୍କ ସୁଯୋଗ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର : ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରି ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନିରେ ନିଯୁକ୍ତି ପାଉଛନ୍ତି। ହେଲେ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆବଶ୍ୟକ ସୁରକ୍ଷା ମିଳୁ ନ ଥିବାରୁ ସେମାନେ ଅସୁରକ୍ଷିତ ହୋଇପଡ଼ୁଛନ୍ତି। ଧୀରେ ଧୀରେ ପାଠପଢ଼ାରୁ ମୁହଁ ମୋଡ଼ୁଛନ୍ତି। ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଆଜି ଆୟୋଜିତ ‘ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ କ୍ୟାରିୟର୍‌ ଗଠନ ପାଇଁ ଛାତ୍ରୀଙ୍କ ସୁଯୋଗ’ ଶୀର୍ଷକ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଛନ୍ତି।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଛାତ୍ରୀଙ୍କ ଲାଗି ୩୦ ପ୍ର୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି ବୋଲି କହିଥିଲେ। ଭୁବନେଶ୍ୱର ଆଇଆଇଟି ନିର୍ଦେଶକ ଆର.ଭି. ରାଜକୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଦେଶରେ ଥିବା ଆଇଆଇଟିଗୁଡ଼ିକରେ ମାତ୍ର ୮ ପ୍ରତିଶତ ଛାତ୍ରୀ ପଢ଼ୁଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଯୋଜନା କରୁଛି ବୋଲି କହିଥିଲେ। ଅମ୍ବାନି ଗ୍ରୁପ୍‌ ଅଫ୍‌ କମ୍ପାନିସ୍‌ ‘ଏଜିଓ’ର ମୁଖ୍ୟ ପରିଚାଳନା ଅଧିକାରୀ ଅଦିତି ପାଣି ଯୋଗଦେଇ କହିଲେ, ସମଗ୍ର ବିଶ୍ୱରେ ଇଞ୍ଜିନିୟରିଂ ଛାତ୍ରୀଙ୍କ କ୍ୟାରିୟର୍‌ ପାଇଁ ସୁଯୋଗ ରହଛି। ଛାତ୍ରୀମାନେ ଏବେଠାରୁ ନିଜକୁ ସେଭଳି ଗଢ଼ିବାକୁ ପଡ଼ିବ। କ୍ୟାରିଅରର ସମସ୍ତ ବାଧାବିଘ୍ନକୁ କାଟି ଆଗକୁ ବଢ଼ିଲେ ସଫଳତା ମିଳିବ ବୋଲି ମତବ୍ୟକ୍ତ କରିଥିଲେ।

ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ଜଗନ୍ନାଥ ମହାନ୍ତି ଏବଂ ଯୁଗ୍ମ ସଚିବ ଅଜୟ କୁମାର ନାୟକ ଯୋଗଦେଇ ବିପିୟୁଟି ଅଧୀନ କଲେଜଗୁଡ଼ିକ ଏଭଳି କର୍ମଶାଳା କରିବାକୁ ପରାମର୍ଶ ଦେଇଥିଲେ। ବିପିୟୁଟି ପ୍ଲେସମେଣ୍ଟ ନିର୍ଦ୍ଦେଶକ ମୋତିଲାଲ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ମହମ୍ମଦ ଅଲତାଫ୍‌ ଖାନ୍‌ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର