ଓସାକ୍ସରେ ବିଶ୍ୱ ଏଡ୍‌ସ ଦିବସ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ)ରେ ବିଶ୍ବ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଭିଡିଓ ବାର୍ତ୍ତା ଦେଇ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ ଥିବା ଏଆର୍‌ଟି କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରିଥିଲେ। ଏହାଦ୍ୱାରା ରାଜ୍ୟର ସମସ୍ତ ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତିଙ୍କୁ ଏଠାରେ ଉନ୍ନତ ମାନର ଚିକିତ୍ସା ପ୍ରଦାନ କରାଯିବ। ମନ୍ତ୍ରୀ ଶ୍ରୀ ଦାସ ଆହୁରି କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୨୦ଟି ଏଆର୍‌ଟି କେନ୍ଦ୍ର କାର୍ଯ୍ୟ କରୁଛି। ଉନ୍ନତ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ମାଗଣା ଔଷଧ ସୁବିଧାରେ ଯୋଗାଣ ପାଇଁ ଆଗାମୀ ଦିନରେ ଗଜପତି, ବାରିପଦା ଓ କେନ୍ଦ୍ରାପଡ଼ାରେ ନୂତନ ଏଆରଟି କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଡା. ଦୀନବନ୍ଧୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରୀକ୍ଷା ଓ ଚିକିତ୍ସା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ମିସନ୍‌ ନିର୍ଦ୍ଦେଶିକା, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓସାକ୍ସର ନ୍ୟୁଜଲେଟର ଏବଂ ତିନୋଟି ଲଘୁ ଭିଡିଓ ଉନ୍ମୋଚିତ ହୋଇଥିଲା। ଓସାକ୍ସର ଦୁଇଟି ଆଇସି ପ୍ରଚାର ଭ୍ୟାନକୁ ସ୍ବତନ୍ତ୍ର ସଚିବ ଶ୍ରୀ ମହାନ୍ତି ଶୁଭାରମ୍ଭ କରିଥିଲେ। ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଉର୍ମିଳା ମିଶ୍ର ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଅଂଜନା ପଣ୍ଡା, ବିତ୍ତ ପରାମର୍ଶଦାତ୍ରୀ ରଂଜିତା ବେହେରା, ବରେନ୍ଦ୍ରନାଥ ବେଜ, ପ୍ରତିଷ୍ଠାନ ଅଧିକାରୀ ଶୁଭେନ୍ଦୁ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଡି.ଏସ୍‌ ଅରବିନ୍ଦଙ୍କ ସହ ଓସାକ୍ସର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସଚେତନ କରାଇଲେ ‘ମଞ୍ଜରିଦେବୀ’ ଛାତ୍ରଛାତ୍ରୀ

ବାଲିଅନ୍ତା: ମଞ୍ଜରିଦେବୀ ହୋମିଓପାଥି ହସ୍ପିଟାଲ, ମଞ୍ଜରିଦେବୀ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଂ, ମଞ୍ଜରିଦେବୀ ପବ୍ଲିକ ସ୍କୁଲ ଏବଂ କ୍ୟାପିଟାଲ ଏକାଡେମି ଅଫ୍‌ ନର୍ସିଂର ମିଳିତ ଆନୁକୂଲ୍ୟରେ ବିଶ୍ବ ଏଡ୍‌ସ ଦିବସ ଉପଲକ୍ଷେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ସମୂହର ଉପସଭାପତି ଜ୍ୟୋତ୍ସ୍ନା ଦାସଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ, କର୍ମଚାରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ପରିଚାଳନା କାର୍ଯ୍ୟକର୍ତ୍ତା ଏବଂ ଅଧ୍ୟାପକ/ଅଧ୍ୟାପିକାମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର୍‌ ଧରି ଏକ ପଦଯାତ୍ରା କରିଥିଲେ।
ସେମାନେ ପୂରଣପଧାନ, ପଞ୍ଚାୟତରୋଡ୍‌ ଛକ ଏବଂ ଆଖପାଖ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ। ଏହାସହ ଏଡ୍‌ସ ନିରାକରଣ ନେଇ ଆବଶ୍ୟକ ପଦକ୍ଷେପ ନେଇ ପ୍ଲାକାର୍ଡ ଓ ପ୍ରଚାରପତ୍ର ବଣ୍ଟନ କରିଥିଲେ। ଏହି ଉପଲକ୍ଷେ କଲେଜ ସମ୍ମୁଖରେ ଏକ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସେଥିରେ ଏଡ୍‌ସର ଭୟାବହତା ଏବଂ ନିରାକରଣ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ମଞ୍ଜରି ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଶ୍ରୀମତୀ ଦାସ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାବ୍ୟତୀତ ଦ୍ବିତୀୟ ପର୍ଯ୍ୟାୟରେ ରାଜଧାନୀ ଶିଶୁଭବନ ଛକରୁ ଏକାମ୍ର ହାଟ ଯାଏ ଛାତ୍ରଛାତ୍ରୀମାନେ ମିନି ମାରାଥନ୍‌ରେ ଯାଇଥିଲେ। ଡିସିପି ପ୍ରତୀକ ସିଂହ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରଜ୍ଞା ବିଶ୍ବଜିତା ଦାଶ, ଉପାଧ୍ୟକ୍ଷା ଈପ୍‌ସିତା ସାହୁ, ପ୍ରଜ୍ଞା ପରମିତା ମହାପାତ୍ର, ସଂଧ୍ୟାରାଣୀ ଦାସ ଏବଂ ଜୟଶ୍ରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର