ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପକ୍ଷରୁ ‘ବିଶ୍ୱ ଶିଳ୍ପୀ ଦିବସ’

ଭୁବନେଶ୍ୱର : ଡିସେମ୍ବର ୮ ବିଶ୍ୱ ଶିଳ୍ପୀ ଦିବସ ଅବସରରେ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ଓ ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟ (ଇପ୍‌କା)ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିସରରେ ତିନିଦିନିଆ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଛି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦେଶକ ପ୍ରଶାନ୍ତ ନନ୍ଦ ଏହାର ଉଦ୍‌ଘାଟନ କରିଛନ୍ତି। ଇପ୍‌କାର ଅନୁପ ସାଇ, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ଖଦି ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଶିଳ୍ପୀ ଦିବସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ଶିଳ୍ପୀ ବିନୋଦ ମହାରଣା, ଲଲାଟ ମୋହନ ପଟ୍ଟନାୟକ, ପଞ୍ଚାନନ ସୁର୍‌ ଓ ନିକୁଞ୍ଜ ବିହାରୀ ଦାସଙ୍କୁ ‘ଶିଳ୍ପୀ ସମ୍ରାଟ ସମ୍ମାନ ୨୦୧୭’ ପ୍ରଦାନ କରାଯାଇଥିଲା। ଏଥିସହ ୧୪ଜଣଙ୍କୁ ଶିଳ୍ପୀ ସ୍ମାରକୀ ସମ୍ମାନ ଓ ୧୪ଜଣଙ୍କୁ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ସମ୍ମାନ ପ୍ରଦାନ କରାଯାଇଥିଲା। ଜାତୀୟସ୍ତରର ୧୩ଜଣ ଶିଳ୍ପୀଙ୍କୁ ପାଞ୍ଚଟି ବିଭାଗରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ଶିଶୁ ଚିତ୍ରକଳା ପ୍ରଦର୍ଶନୀରେ ୧୯୦୦ ପିଲାଙ୍କ ଚିତ୍ରକଳା ସ୍ଥାନ ପାଇଛି। ଜାତୀୟସ୍ତରର ଚିତ୍ରକଳା ପ୍ରଦର୍ଶନୀରେ ୩୦୦ ଚିତ୍ରଶିଳ୍ପୀଙ୍କ କଳାକୃତି ସ୍ଥାନିତ ହୋଇଛି। ଯେଉଁଥିରେ ଓମାନ୍‌, ବ୍ରାଜିଲ, ଫ୍ରାନ୍ସ, ଡେନମାର୍କ, ୟୁକେ, ଜର୍ମାନି, ମାଲେସିଆ, ଆମେରିକା, ତୁର୍କୀ ଓ ଜାପାନ୍‌ ପ୍ରଭୃତି ଦେଶର ଶିଳ୍ପୀଙ୍କ ଚିତ୍ର ଦେଖିବାକୁ ମିଳିଛି। ସୁବ୍ରତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର