ବିଶ୍ବ ଶ୍ବାସରୋଗ ଦିବସ-୨୦୨୧, ଶ୍ବାସରୋଗ ଭ୍ରାନ୍ତିର ଅନାବରଣ

ପ୍ରତିବର୍ଷ ମଇ ମାସର ପ୍ରଥମ ମଙ୍ଗଳବାର, ବିଶ୍ବ ସ୍ବାଶରୋଗ ଦିବସ! ଗ୍ଲୋବାଲ ଇନିସିଏଟିଭ ଫର୍ ଆଜମା (ଜିନା) ଦ୍ବାରା ବିଶ୍ବ ସାରା ପାଳିତ ହୁଏ। ଶ୍ବାସରୋଗର କାରଣ, ନିରାକରଣ, ପ୍ରତିକାର, ସଚେତନତା ସୃଷ୍ଟି ନିମନ୍ତେ କାର୍ଯ୍ୟ କରୁଥିବା ଏହା ଏକ ବେସରକାରୀ ବୈଜ୍ଞାନିକ ସଂସ୍ଥା। ପୃଥିବୀର ପ୍ରାୟ ୧୫ ପ୍ରତିଶତ ଜନସଂଖ୍ୟା ଶ୍ବାସରୋଗରେ ପୀଡିତ। ଚିକିତ୍ସା ବିଜ୍ଞାନର ଅସୀମ ଅଗ୍ରଗତି, ଔଷଧ ଉଦଭାବନ ଏବଂ ପ୍ରୟୋଗତ୍ମକ ଗବେ‌ଷଣା ପରେ ମଧ୍ୟ ଶ୍ବାସରୋଗର ଯତ୍ନ ଏବଂ ନିରାକରଣରେ ସମାଜର ପ୍ରଚଳିତ ଭ୍ରାନ୍ତି ଏବଂ ଅନ୍ଧବିଶ୍ବାସ ଅନେକ ପ୍ରତିବନ୍ଧକ ସୃଷ୍ଟି କରିଥା’ନ୍ତି। ଏ ସବୁକୁ ହୃଦୟଙ୍ଗମ କରି ଚଳିତ ବର୍ଷ ବିଶ୍ବ ଶ୍ବାସରୋଗ ଦିବସର ସ୍ଲୋଗାନ ଦିଆଯାଇଛି-‘ଶ୍ବାସରୋଗ ଭ୍ରାନ୍ତିର ଅନାବରଣ’(uncovering Asthma misconceptions)

ଏ ସଂପର୍କିତ ଅତି ସାଧା‌ରଣ ଓ ବହୁ ଆଦୃତ ଭ୍ରାନ୍ତି ସଂପର୍କରେ ଚର୍ଚ୍ଚା କରିବା।
୧. ଶ୍ବାସରୋଗ ‌କେବଳ ଶିଶୁମାନଙ୍କଠାରେ ଦେଖାଯାଇଥାଏ ଏବଂ ବୟସ କ୍ରମେ ପିଲାମାନେ ଶ୍ବାସରୋଗରୁ ଆରୋଗ୍ୟ ଲାଭ କରନ୍ତି?
ଏହା ସଂପୂର୍ଣ୍ଣ ଭୁଲ, ଶ୍ବାସରୋଗ କୌଣସି ବୟସ ସୀମାବଦ୍ଧ ନୁହେଁ। କୌଣସି ବୟସର ଯେ ବ୍ୟକ୍ତି ଶ୍ବାସରୋଗ ପୀଡିତ ହୋଇପାରେ। କିନ୍ତୁ ନବଜାତକମାନଙ୍କଠାରେ ଶ୍ବାସରୋଗ ପ୍ରାୟତଃ ଦେଖାଯାଇନଥାଏ। ବୟସକ୍ରମେ ପିଲାମାନେ ଶ୍ବାସରୋଗରୁ କମ ପୀଡିତ ହୋଇପାରିନ୍ତି। କିନ୍ତୁ ଏହାକୁ ଆରୋଗ୍ୟ ଭାବିବା ଭୂଲ। ଶ୍ବାସରୋଗ ପାଇଁ ଜୈବିକ ତତ୍ତ୍ବ(Gene) ଏବଂ ପରିବେଶ ଦାୟୀ। ତେଣୁ ପ୍ରକାରାନ୍ତରେ ଏହାର ସଂପୂର୍ଣ୍ଣ ଆରୋଗ୍ୟ ବର୍ତ୍ତମାନ ବିଜ୍ଞାନଠାରୁ ଦୂରରେ।
୨. ଶ୍ବାସରୋଗ ଏକ ସଂକ୍ରାମକ ରୋଗ?
ଏହା ଏକ ବିରାଟ ଭ୍ରାନ୍ତି। ଜୈବିକ ତତ୍ତ୍ବ ଏବଂ ପରିବେଶ ହିଁ ଶ୍ବାସରୋଗର କାରଣ। ଏହା କୌଣସି ମତେ ସଂକ୍ରାମକ ନୁହେଁ। ହଁ, କିଛି ସଂକ୍ରାମକ ରୋଗ, ପ୍ରାୟତଃ ଭୂତାଣୁ ଜନିତ (ଇନ୍ ଫ୍ଲୁଏଞ୍ଜା ଇତ୍ୟାଦି) ଏହାର ଲକ୍ଷଣଗୁଡିକୁ ଅତି ମ‌ାତ୍ରାରେ ବୃଦ୍ଧି କରିଥା’ନ୍ତି। ତେଣୁ ଶ୍ବାସରୋଗୀମାନେ ବାର୍ଷିକ ଫ୍ଲୁ ଟୀକା ନେବା ନିତାନ୍ତ ଆବଶ୍ୟକ।
୩. ଶ୍ବାସରୋଗୀ ଶାରୀରିକ ବ୍ୟାୟାମ ଏବଂ ଖେଳକୁଦରେ ଭାଗ ନେଇ ପାରିବେ ନାହିଁ?
ଏହା ସଂପୂର୍ଣ୍ଣ ଅସତ୍ୟ। ବିହିତ ଚିକିତ୍ସା ଦ୍ବାରା ଶ୍ବାସରୋଗକୁ ଆକଟ ବା ନିୟନ୍ତ୍ରଣରେ ରଖାଯାଇପାରିବ। ଶ୍ବାସରୋଗୀମାନେ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରି ବ୍ୟାୟାମ ଏବଂ ପ୍ରତିସ୍ଫର୍ଦାତ୍ମକ ଖେଳକୁଦରେ ଭାଗ ନେଇପାରିବେ, ସେଥିରେ କୀର୍ତ୍ତୀମାନ ମଧ୍ୟ ସ୍ଥାପନ କରିପାରିବେ। ଡେଭିଡ ବେକହାମ (ଫୁଟବଲ), ଜ୍ୟାକି ଜୟନର-କେରେସି( ଦୌଡରାଣୀ), ଡେନିସ ରଡମ୍ୟାନ( ବାସ୍କେଟ ବଲ), ଜଷ୍ଟିନ ହେନିନ୍( ମହିଳା ଟେନିସ) ହେଉଛନ୍ତି କିଛି ବିଶ୍ବବିଜୟୀ ‌ଖେଳାଳୀ, ଯେଉଁମାନେ ଶ୍ବାସରୋଗରେ ପୀଡିତ।
୪. ଶ୍ବାସରୋଗ ନିୟନ୍ତ୍ରଣ ପାଇଁ ବହୁତ ଅଧିକ ଷ୍ଟେରୟଡ ଦରକାର ଏବଂ ଷ୍ଟେରୟଡ ବହୁତ ଖରାପ ଔଷଧ?
ଏହି ଧାରଣା ଅସତ୍ୟ। ନିଶ୍ଚୟ ଶ୍ବାସରୋଗର ନିୟନ୍ତ୍ରଣରେ ଷ୍ଟେରୟଡର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏହା ଅତି ନଗଣ୍ୟ ପରିମାଣ‌ରେ(ମାଇ‌କ୍ରୋ ଗ୍ରାମରେ- ଏକ ଗ୍ରାମର କିଛି ହଜାର ଭାଗରୁ ଭାଗେ) ଏବଂ ତାହା ମଧ୍ୟ ସିଧାସଳଖ ଶ୍ବାସନଳୀରେ ଦିଆଯାଇଥାଏ। ଏହାଦ୍ବାରା ଷ୍ଟେରୟଡର ପ୍ରାୟତଃ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ନାହିଁ। ଶ୍ବାସରୋଗୀ ନିଜର ସାଧାରଣ ଜୀବନ ଶୈଳୀ ଅତିବାହିତ କରିପାରେ ଏବଂ କୌଣସି ଆଶୁ ଚିକିତ୍ସା ବା ଡାକ୍ତରଖାନାରରେ ଭର୍ତ୍ତି ହେବାର ଦରକାର ପଡେ ନାହିଁ।
୫. ଶ୍ବାସରୋଗୀର ଚିକିତ୍ସା ଏବଂ ଔଷଧ ଜୀବନ ସାରା ଚାଲିଥାଏ?
ଏହା ସଂପୂର୍ଣ୍ଣ ଭ୍ରାନ୍ତଧାରଣା। ହଁ, ଶ୍ବାସରୋଗର ଚିକିତ୍ସା ସମୟସାପେକ୍ଷ। କିନ୍ତୁ ଏହା ଜୀବନ ଶେଷ ପର୍ଯ୍ୟନ୍ତ ଚାଲିବ ଏହି ଧାରଣା ମଧ୍ୟ ଭୁଲ। ଯଦି କୌଣସି ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଭାବେ ଔଷଧ ସେବନ କରିଥା’ନ୍ତି, ଶ୍ବାସରୋଗ ନିୟନ୍ତ୍ରଣକୁ ଆସିଥାଏ। ଔଷଧ ମଧ୍ୟ ବନ୍ଦ ହୋଇଥାପାରେ। କିନ୍ତୁ ରୋଗୀ ଡାକ୍ତରଙ୍କ ନିୟମିତ ତତ୍ତ୍ବାବଧାନରେ ରହିବା ନିତାନ୍ତ ଜରୁରୀ। ପୁଣି ଯଦି କୌଣସି ସମୟରେ ଶ୍ବାସ‌ରୋଗର ଲକ୍ଷଣ ‌ଦେଖାଯାଏ, ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରାଯାଇଥାଏ।
୬: ଶ୍ବାସରୋଗର ଔଷଧ ଅଭ୍ୟାସକାରୀ?
ଉପରୋକ୍ତ ମତ ମଧ୍ୟ ସଂପୂର୍ଣ୍ଣ ଭୂଲ। ଶ୍ବାସରୋଗ ଚିକିତ୍ସାରେ ବ୍ୟବହୃତ କୌଣସି ଔଷଧ ଅଭ୍ୟାସକାରୀ ନୁହେଁ। ବିନା ଦ୍ବିଧା‌ରେ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ ଏବଂ ଶ୍ବାସ‌ରୋଗ ମୁକ୍ତ ଫଳପ୍ରସୂ ଜୀବନ ଯାପନ କରନ୍ତୁ।
୭: ଇନଲେରରଠାରୁ ବଟିକା ବା ସିରପ ପ୍ରକୃଷ୍ଟ?
ବିଜ୍ଞାନର ଏକ ଅନନ୍ୟ ଅବଦାନ ‌ଇନହେଲର ଚିକିତ୍ସା। ଏହା ଶ୍ବାସରୋଗର ଚିକିତ୍ସା, ନିୟନ୍ତ୍ରଣରେ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଛି। ଏହା ସତ୍ୟ ଯେ, ଏହି ଚିକିତ୍ସା ପଦ୍ଧତିକୁ ନେଇ ଆମ ସମାଜ ବର୍ତ୍ତମାନ ମଧ୍ୟ କୁଣ୍ଠାଗ୍ରସ୍ତ, ରୁଢିବାଦୀ ଏଂବ ଅନ୍ଧବିଶ୍ବାସରେ ଭରି ରହିଛି। ଏରୋଜଲ(inhaler) ଚିକିତ୍ସାରେ ଔଷଧ ଅତି କମମାତ୍ରାରେ( ମାଇକ୍ରୋଗ୍ରାମ) ଏବଂ ସିଧାସଳଖ ଶ୍ବାସନଳୀରେ ଦିଆଯାଇଥାଏ। ଏଣୁ ପାର୍ଶ୍ବ ପ୍ରତିକ୍ରିୟା ପ୍ରାୟତଃ ନଗଣ୍ୟ। ଯେ ହେତୁ ଶ୍ବାସରୋଗୀ ଚିକିତ୍ସା ସମୟସାପେକ୍ଷ, ଔଷଧ ସେବନ କିଛି ମାସ ଅବା ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ତଦଜନତି ଖର୍ଚ୍ଚ ମଧ୍ୟ ଅବଶ୍ୟମ୍ଭାବୀ କିନ୍ତୁ ଏରୋଜଲ ଚିକିତ୍ସାରେ ଶ୍ବାସରୋଗୀ କମ ମାତ୍ରାରେ ( ପ୍ରାୟ ପାଞ୍ଚ ଭାଗରୁ ଭାଗେ) ଖର୍ଚ୍ଚାନ୍ତ ହୋଇଥା’ନ୍ତି।
କରୋନା ଏବଂ ଶ୍ବାସରୋଗ
ସର୍ବ‌ଶେଷରେ ସାଂପ୍ରତିକ କରୋନା ମହାମହାରୀ ସମୟ‌ରେ ଶ୍ବାସ ରୋଗର ଯତ୍ନ- ପ୍ରିୟବନ୍ଧୁଗଣ, ଯଦି ‌କୌଣସି ବ୍ୟକ୍ତି ଶ୍ବାସରୋଗରେ ପୀଡିତ, ଏବଂ କରୋନା ଦ୍ବାରା ସଂକ୍ରମିତ ହୁଅନ୍ତି ତେବେ ଶ୍ବାସରୋଗର ଚିକିତ୍ସା ବନ୍ଦ କରିବେ ନାହିଁ। ଇନହେଲର ଚିକିତ୍ସା ଏବଂ ଷ୍ଟେରୟଡ ମଧ୍ୟ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ସେବନ କରିବା ନିତାନ୍ତ ଆବଶ୍ୟକ। ଅଗ୍ରାଧିକାର ଭିତ୍ତିରେ ଶ୍ବାସରୋଗୀମାନେ କରୋନା ଟୀକା ନିହାତି ଆବଶ୍ୟକ। କୌଣସି ପ୍ରକାରର ଗୁଜବକୁ ବିଶ୍ବାସକୁ ନ କରି ଦୁଇଟି ଡୋଜ କରୋନା ଟୀକା ଶ୍ବାସରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ
ଉପ‌ରୋକ୍ତ ଅନ୍ଧବିଶ୍ବାସ ଗୁଡିକୁ ଯଥାଶୀଘ୍ର ଦୂର କରିବା ସମୟର ଆହ୍ବାନ। ସଂପ୍ରତି ଶ୍ବାସରୋଗୀଙ୍କ ସଂଖ୍ୟା ଅତିମାତ୍ରାରେ ବଢି ବଢି ଚାଲିଛି। ତେଣୁ, ଏହି ସମସ୍ୟା ସହିତ ତାଳ ଦେଇ ଆମ୍ଭମାନଙ୍କୁ ଭ୍ରାନ୍ତି, ରୁଢୀବାଦକୁ ତ୍ୟାଗ କରିବାକୁ ପଡିବ।

ସମ୍ବନ୍ଧିତ ଖବର