କର୍କଟ, ସିକିଲ୍‌ ସେଲ୍‌ ରୋଗୀଙ୍କ ରୋଗ କଷ୍ଟ ଦୂର କରୁଛି ଏମ୍‌ସ ପେନ୍‌ କ୍ଲିନିକ୍‌

ଅସ୍ତ୍ରୋପଚାର ପର କଷ୍ଟର ବି ହୁଏ ଚିକିତ୍ସା, ସପ୍ତାହକୁ ଆସୁଛନ୍ତି ୧୮ରୁ ୨୦ ରୋଗୀ

ଭୁବନେଶ୍ବର: କର୍କଟ ରୋଗରେ ପୀଡ଼ିତ ହୋଇ କେମୋଥେରାପି ନେଉଥିବା ଯୋଗୁଁ ଖାଇପାରୁନଥିବେ, ମୁହଁ ଭିତରେ ଛାଲ ପଡ଼ି ଯାଇ ଏତେ କଷ୍ଟ ହେଉଥିବ ଯେ ସ୍ଥିର ଭାବରେ ବସି ମଧ୍ୟ ପାରୁନଥିବେ। ଅବସ୍ଥା ଏଭଳି ଥିବ ଯେ ସେମାନଙ୍କ କଷ୍ଟ ଦେଖି କେବଳ ପରିବାର କି ପରିଜନ ନୁହେଁ ଅପରିଚିତଙ୍କ ଆଖିରୁ ଲୁହ ଚାଲି ଆସୁଥିବ। ସେମାନଙ୍କ ଚିକିତ୍ସା ତ ବିଭାଗୀୟ ଡାକ୍ତର କରନ୍ତି କିନ୍ତୁ ଚିକିତ୍ସା ଏବଂ ରୋଗ ଜନିତ କଷ୍ଟ ଏମ୍‌ସ ପେନ୍‌ କ୍ଲିନିକ୍‌ ଦୂର କରୁଥିବା କହିଛନ୍ତି ନିଶ୍ଚେତକ ବିଭାଗ ଏଚଓଡି ପ୍ରଫେସର ସତ୍ୟଜିତ ମିଶ୍ର। ରାଜ୍ୟରେ ଏକମାତ୍ର ଡାକ୍ତରଖାନା ଭାବରେ ଏମ୍‌ସରେ ଏହି ସୁବିଧା ରହିଛି।

ଡାକ୍ତର ମିଶ୍ରଙ୍କ ସୂଚନା ଅନୁସାରେ, ଅସୁସ୍ଥତା ଜନିତ ମୁଖ୍ୟତଃ ୪ ପ୍ରକାର କଷ୍ଟ ଥାଏ। ସେଥିମଧ୍ୟରେ ଶରୀରର ଭିତର ଅଂଶରୁ ବାହାରୁଥିବା ଇଣ୍ଟରନାଲ ପେନ୍‌, ହାଡ଼-ଗୋଡ଼, ସ୍ନାୟୁଜନିତ, ଅସ୍ତ୍ରୋପଚାର ପରର କଷ୍ଟ ରହିଛି। ଏମ୍‌ସରେ ଚିକିତ୍ସାଧୀନ ବେଳେ ଅସ୍ତ୍ରୋପଚାର ଜନିତ କଷ୍ଟ ଦୂର ପାଇଁ ପେନ୍‌ କ୍ଲିନିକ୍‌ ଡାକ୍ତରଙ୍କୁ ଡକାଯାଏ। ଅନେକ ସମୟରେ ଅସ୍ତ୍ରୋପଚାରର ୩ ମାସ ପରେ ମଧ୍ୟ ରୋଗୀଙ୍କୁ କଷ୍ଟ ହେଉଥାଏ। ଏହାର ଚିକିତ୍ସା ପାଇଁ ରୋଗୀ ଡାକ୍ତରଙ୍କ ପାଖକୁ ଆସିଥାଆନ୍ତି। ଏଥିସହିତ ଥାଲାସେମିଆ ଏବଂ ସିକିଲ୍‌ ସେଲ୍‌ ରୋଗୀଙ୍କୁ ପ୍ରାୟ ପ୍ରତି ମାସ କିମ୍ବା କିଛି ମାସ ବ୍ୟବଧାନରେ ରକ୍ତର ଆବଶ୍ୟକତା ରହିଛି। ସେହି ସମୟରେ ସେମାନେ ଏଭଳି କଷ୍ଟ ଅନୁଭବ କରନ୍ତି ଯେ ହାଲୁକା ଜିନିଷ ମଧ୍ୟ ଉଠାଇବା ସମ୍ଭବ ହୁଏ ନାହିଁ। ଏହିଭଳି ବ୍ୟକ୍ତିଙ୍କ କଷ୍ଟ ଦୂର ସମେତ ଆହୁରି ବିଭିନ୍ନ ପ୍ରକାର କଷ୍ଟ ଜନିତ ଉପସମ ଏଠାରେ ହୁଏ। ଏଥିପାଇଁ ଅଣ୍ଟାରେ ପତଳା ପାଇପ୍‌ ଦେଇ ଔଷଧ ଦିଆଯାଏ। ବ୍ୟଥା ଦୂର କରୁଥିବା ବଟିକା, ଇଂଜେକସନ ଏବଂ ଅଲଟ୍ରାସାଉଣ୍ଡ ବ୍ୟବହାର କରି ବ୍ୟଥା ନିବାରଣ କରାଯାଇ ଥାଏ। ଆବଶ୍ୟକତା ଅନୁସାରେ ରୋଗୀ ଏଠାକୁ ଆସିଥାଆନ୍ତି। ପ୍ରତି ଗୁରୁବାର ନିଶ୍ଚେତକ ବିଭାଗରେ ଏହାର ଚିକିତ୍ସା କରାଯାଉଛି। ୪ ବର୍ଷ ହେଲା ଏହାର ପ୍ରତିଷ୍ଠା ହୋଇଛି। କୋଭିଡ୍‌ ପୂର୍ବରୁ ପ୍ରତି ସପ୍ତାହରେ ପ୍ରାୟ ୨୫ରୁ ୩୦ ରୋଗୀ ଆସୁଥିଲେ। ବର୍ତ୍ତମାନ ୧୬ରୁ ୧୮ ରୋଗୀ ଆସୁଛନ୍ତି। ଏପରିକି ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଜୀବନର ଶେ‌ଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚି ସାରିଥାଆନ୍ତି। ଅତି କମରେ ଶେଷ ସମୟରେ କଷ୍ଟ ମୁକ୍ତ ଜୀବନ ପାଇଁ ଏହି ଚିକିତ୍ସା ସେମାନଙ୍କୁ ଆଶ୍ବସ୍ତ କରେ ବୋଲି କହିଛନ୍ତି ଡାକ୍ତର ଏବଂ ରୋଗୀ।

ଏଭଳି ରୋଗୀଙ୍କୁ ଚିକିତ୍ସା କରିବା ଚ୍ୟାଲେଞ୍ଜିଂ ଥାଏ। ସେମାନଙ୍କୁ ପ୍ରଥମେ କାଉନସେଲିଂ କରି ମାନସିକ ବଳ ଦିଆଯାଏ। ଯେପରିକି ସେମାନେ ସ୍ବଭାବିକ ଅନୁଭବ କରିବେ। କିନ୍ତୁ ଏହି ଭିତରେ କିଛି ରୋଗୀ ଏପରି କିଛି କହି ଦିଅନ୍ତି ଯାହା ଶୁଣି ଭାବ ବିହ୍ବଳ ହେବାକୁ ପଡ଼େ। କିଛି ଦିନ ପୂର୍ବରୁ କର୍କଟ ରୋଗରେ ପୀଡ଼ିତ ଜଣେ ଯୁବକଙ୍କୁ ମାସେ ପରେ ଆସିବାକୁ କହିବାରୁ ସେତେ ଦିନ ପର୍ଯ୍ୟନ୍ତ ସେ କ’ଣ ଆଉ ଥିବେ ବୋଲି ଶୁଣିବା ଅତି କଷ୍ଟଦାୟକ ଥିଲା। ଆଉ କିଛି ଦିନ ପୂର୍ବରୁ ସ୍ତନ କର୍କଟରୁ ସୁସ୍ଥ ହୋଇ ବିଭିନ୍ନ ପ୍ରକାର ଶାରୀରିକ ଜଟିଳତାର ଶିକାର ହୋଇ କଷ୍ଟ ପାଉଥିବା ଜଣେ ଝିଅ ନିଜ ବାପାଙ୍କ ସହିତ ଆସିଥିଲେ। ଝିଅଟି ଏତେ କଷ୍ଟ ପାଉଥିଲା ଯେ ସେ ନିଜେ କିମ୍ବା ତାଙ୍କ ବାପା ଉଭୟ କିଛି ଶୁଣିବା ଅବସ୍ଥାରେ ନଥିଲେ। କିଛି ଗୋଟିଏ ଦେଇ ଦିଅନ୍ତୁ କିନ୍ତୁ ଏହି କଷ୍ଟ ଦୂର କରନ୍ତୁ ଏହି ଶବ୍ଦ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହିଁ ବୋଲି କହନ୍ତି ଡାକ୍ତର ମିଶ୍ର। ରୋଗୀଙ୍କ କଷ୍ଟ ସହିତ ଡାକ୍ତର ଜଡ଼ିତ ହେଲେ ସେ ଚିକିତ୍ସା କେମିତି କରିବ ତେଣୁ ସେ ସର୍ବଦା ସ୍ବାଭାବିକ ହେବାକୁ ଚେଷ୍ଟା କରନ୍ତି ବୋଲି କହନ୍ତି ପେନ୍‌ କ୍ଲିନିକ୍‌ ଡାକ୍ତର ମିଶ୍ର।

ସମ୍ବନ୍ଧିତ ଖବର