ଆମ୍ରି ଓ ଏସିଆଇ ପକ୍ଷରୁ ବିଶ୍ବ କର୍କଟ ଦିବସ

ଖଣ୍ଡଗିରି : କର୍କଟ ରୋଗର ଚିକିତ୍ସା ପାଇଁ ବହୁ ପ୍ରକାର ଅତ୍ୟାଧୁନିକ ସର୍ଜରି ବାହାରିଲାଣି। ଫଳରେ କର୍କଟ ରୋଗୀଙ୍କ ଚିକିତ୍ସାରେ ଉଲ୍ଲେଖନୀୟ ସଫଳତା ମିଳିଲାଣି। କିନ୍ତୁ ଅତ୍ୟାଧୁନିକ ସର୍ଜରି ତୁଳନାରେ ଗୁରୁତ୍ବପୂର୍ଣ ପ୍ରସଙ୍ଗ ‌େହଉଛି ସଚେତନତା। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ କରିବା ହେଉଛି ମୁଖ୍ୟ ଚିକିତ୍ସା। ସେହିଭଳି ଏହି ରୋଗର ମୂଳ କାରଣ ପ୍ରତି ସତର୍କ ରହିବା ହେଉଛି ଅନ୍ୟ ଏକ ମୁଖ୍ୟ ପ୍ରତିଷେଧକ ବ୍ୟବସ୍ଥା। ଆଜି ଆମ୍ରି ହସ୍ପିଟାଲ ଓ ମୁମ୍ବାଇ ଏସିଆନ୍‌ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ର ମିଳିତ ପ୍ରୟାସରେ ଅନୁଷ୍ଠିତ ହୋଇଥିବା ବିଶ୍ବ କର୍କଟ ଦିବସ ଅବସରରେ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ବଲିଉଡ୍‌ ଅଭିନେତା ଡିନୋ ମାରିଆ, ସମାଜସେବୀ ଶୁଭଶ୍ରୀ ଦାସ, ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଧୈର୍ଯ୍ୟଶୀଳ ସାୱନ୍ତ, ଡ. ସଂଜୟ ସିଂହ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଓ ବିହାର ଭଳି ରାଜ୍ୟରେ କମ୍ ବୟସରୁ ବହୁ ଲୋକ ତମାଖୁ ସେବନ କରି ଏହି ମାରାତ୍ମକ ରୋଗର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ୁଥିବାରୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ତମାଖୁ ବ୍ୟବହାର ବନ୍ଦ କରିବାକୁ ଅତିଥିମାନେ କହିଥିଲେ। ଆମ୍ରି ହସ୍ପିଟାଲରେ ଚିକିତ୍ସା ପରେ ଏହି ରୋଗରୁ ମୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ପାଇଁ ଉର୍ଜା-ଆମ୍ରି କ୍ୟାନ୍‌ସର ସପୋର୍ଟ ଉନ୍ମୋଚନ କରାଯାଇଥିଲା। ଉର୍ଜା ପକ୍ଷରୁ ଉକ୍ତ ବ୍ୟକ୍ତିମାନଙ୍କୁ ପାର୍ଶ୍ବ ପ୍ରତିକ୍ରିୟାର ପରିଚାଳନା ଓ ପରବର୍ତୀ ଜୀବନରେ ସୁସ୍ଥ ଭାବେ ବଞ୍ଚିବାର ମାର୍ଗ ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଏହି ଉର୍ଜା ଏକ ସାମାଜିକ ବିପ୍ଳବ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଡ. ଚିରନ୍ତନ ବୋଷ, ସିଏଲଏନ୍‌ ରେଡ୍ଡୀ ପ୍ରମୁଖ ଆମ୍ରିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର