ରେଡ୍‌ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ବର ଗଲ୍‌ଫ କ୍ଲବ ପରିସରରେ ରେଡ୍‌ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ କର୍କଟ ଦିବସ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସଂଜବନୀ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଚେୟାରମ୍ୟାନ୍‌ ତଥା ଗଲଫ୍ କ୍ଲବ ସଭାପତି ଅସିତ୍ ତ୍ରିପାଠୀ ଯୋଗ ଦେଇଥିବା ବେଳେ ଏସ୍‌ବିଆଇ ମୁଖ୍ୟ ସାଧାରଣ ପରିଚାଳକ ଚନ୍ଦ୍ରଶେଖର ଶର୍ମା, ଗଲ୍‌ଫ କ୍ଲବ୍‌ ସମ୍ପାଦକ ତପନ ମହାନ୍ତି, ଏସ୍‌ଆର୍‌ବି ପ୍ରିନ୍‌ସିପାଲ୍‌ ପାର୍ଟନର୍ ସିଏ ରାଜୀବ ସାହୁ ଓ ଓଲିଉଡ୍‌ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ରେଡ୍‌ ସ୍ବସ୍ତିକ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ଜଣ କର୍କଟ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

କର୍କଟ ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲା
ରୢାମ୍ପରେ ଚାଲିଲେ ବିଦ୍ୟାଙ୍ଗ, ବାଣ୍ଟିଲେ ସଚେତନତା ବାର୍ତ୍ତା

ଏଥିସହିତ ୧୦୦ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ରୢାମ୍ପ ସୋ’ରେ ଦିବ୍ୟାଙ୍ଗମାନେ ଚାଲିବା ସହ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ସେହିଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୁଲିସ୍‌ କର୍ମଚାରୀ, ଡାକ୍ତର, କ୍ରୀଡ଼ାବିତ୍‌, ସମାଜସେବୀ ଏବଂ କ୍ୟାନ୍‌ସର୍‌କୁ ପରାସ୍ତ କରିଥିବା ବ୍ୟକ୍ତିବିଶେଷ, ଦିବ୍ୟାଙ୍ଗ, ସଂଚାଳକ, ନୃତ୍ୟଶିଳ୍ପୀ, ଉଦ୍ୟୋଗୀ ଆଦି ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ରେଡ୍‌ ସ୍ୱସ୍ତିକ୍ ସୋସାଇଟି ସମ୍ପାଦକ ଦେବାଶିଷ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଗର ମିଶ୍ର, ଗୀତିକା ପଟ୍ଟନାୟକ, ରିମ୍‌ଝିମ୍ ପାତ୍ର, କୁନାଲ୍ କିଶୋର ଦାସ, ପ୍ରମୋଦ ପାତ୍ର ଓ ସଂଯୁକ୍ତା ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର