ବୁଦ୍ଧ ଆର୍ଟ ଗ୍ୟାଲେରିରେ ବିଶ୍ବ କାର୍ଟୁନିଷ୍ଟ ଦିବସ

ଚନ୍ଦ୍ରଶେଖରପୁର: କାର୍ଟୁନ୍‌ (ବ୍ୟଙ୍ଗଚିତ୍ର) ଆଜି ଗଣମାଧ୍ୟମର ଏକ ପ୍ରମୁଖ ଓ ଅଭିନ୍ନ ଅଙ୍ଗ ପାଲଟିଛି। ଯାହା ଶବ୍ଦରେ ପ୍ରକାଶ କରିହୁଏ ନାହିଁ, ତାହା କାର୍ଟୁନ୍‌ ଅତି ସହଜରେ ପରିପ୍ରକାଶ କରିଦେଇପା‌ରେ। ଏହାଦ୍ବାରା କାର୍ଟୁନିଷ୍ଟ (ବ୍ୟଙ୍ଗକାର)ମାନଙ୍କୁ ମଧ୍ୟ ସମାଜରେ ଏକ ନୂଆ ପରିଚୟ ଓ ସମ୍ମାନ ମିଳିପାରୁଛି। ଓଡ଼ିଶା କାର୍ଟୁନ୍‌ ଏକାଡେମି ପକ୍ଷରୁ ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରିରେ ଅନୁଷ୍ଠିତ ବିଶ୍ବ କାର୍ଟୁନିଷ୍ଟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ୍ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏହା କହିଛନ୍ତି। ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ମୃଣାଳ ଚାଟାର୍ଜୀ, ସନ୍ଦୀପ ସାହୁ ଏବଂ ଅନୁଷ୍ଠାନର ସଭାପତି କମଳକାନ୍ତ ରଥ ଯୋଗ ଦେଇଥିଲେ।

ଏହି ଅବସରରେ କାର୍ଟୁନିଷ୍ଟ ସୁଧାଂଶୁ ଦେଓଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥିମାନେ ଗ୍ୟାଲେରି ବୁଲି ବିଭିନ୍ନ କାର୍ଟୁନିଷ୍ଟମାନଙ୍କର ଛବିକୁ ଦେଖି ପ୍ରଶଂସା କରିଥିଲେ। ଶିଳ୍ପୀ କେଶୁ ଦାସ କାର୍ଯ୍ୟକ୍ରମ ଆରମ୍ଭରେ ସ୍ବାଗତ ଭାଷଣ ଦେଇଥିବା ବେଳେ କାର୍ଟୁନିଷ୍ଟ ଦେବାଶିଷ ସିଂ ଧନ୍ୟବାଦ ଦେଇଥିଲେ।

ଗ୍ୟାଲେରିରେ ଅଶ୍ବନୀ, ଅବନୀ ରଥ, ବିବେକ ଦାସ, ବିମଳ ଦାସ, ଚୂଡ଼ାମଣି ଦାସ, ଦେବାଶିଷ ସିଂ, ଜ୍ଞାନ ରଥ, କମଳକାନ୍ତ ରଥ, ଏମ୍‌. ଶେଖର ରାଓ, ନନ୍ଦେସୁ, ପରେଶ ନାଥ, ପ୍ରଦ୍ମନ ନଟୁଆ, ପ୍ରଶାନ୍ତ ମହାକୁଡ଼, ପ୍ରଶାନ୍ତ ମାଝି, ଶିଳ୍ପୀ କେଶୁ ଦାସ, ଶିବନାରାୟଣ, ସୁଦାମ ଶେଖର, ସୁଧାଂଶୁ ଦେଓ, ସୁନାରାମ ସିଂ ଓ ଉତ୍କଳ ଗୌରବ କାର୍ଟୁନିଷ୍ଟମାନଙ୍କର କାର୍ଟୁନ୍‌ ଛବି ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନୀ ସାତ ଦିନ ପାଇଁ ଚାଲିବ ଆୟୋଜକ ଅନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର