ଭୁବନେଶ୍ୱର: ବିନା ସ୍ବରରେ କ୍ଷମତାଶୀଳଙ୍କୁ ପ୍ରଶ୍ନ ପଚାରିବା ଓ ସମାଲୋଚନାର ମାଧ୍ୟମ ହେଉଛି କାର୍ଟୁନ। ସମାଜର ଘଟୁଥିବା ପ୍ରତ୍ୟେକ ଘଟଣା, ଦୁର୍ଘଟଣା, ଅନ୍ୟାୟ ତଥା ଅବହେଳାର ନିଚ୍ଛକ ଛବି କାର୍ଟୁନ ମାଧ୍ୟମରେ ଦେଖିବାକୁ ମିଳିଥାଏ। ଅତୀତରେ ଏଭଳି ବହୁ ଘଟଣା ଘଟିଛି ଯେଉଁଥିରେ ରାଜନୈତିକ ଦୃଶ୍ୟପଟକୁ ବଳାଇବାରେ ଏହା ଦକ୍ଷତା ଦେଖାଇଛି। କିନ୍ତୁ ଧୀରେଧୀରେ କାର୍ଟୁନ ହଜିବାକୁ ବସିଲାଣି। ରିଲ୍ସ, ମିମ୍ସ ଓ ଏଆଇ ଜିବ୍ଲୀ ସାମ୍ନାରେ କାର୍ଟୁନ ଫିକା ପଡ଼ିଛି। ଆଜିର ଦିନରେ ନିଜର ସ୍ଥିତି ଖୋଜୁଛନ୍ତି କାର୍ଟୁନିଷ୍ଟ।
୧୮୯୫ ମସିହା ମେ ୫ ତାରିଖରେ ପୃଥିବୀର ପ୍ରଥମ କାର୍ଟୁନ ପ୍ରକାଶିତ ହୋଇଥିଲା। ନ୍ୟୁୟର୍କ ୱାର୍ଲ୍ଡ ଖବରକାଗଜରେ ରିଚାର୍ଡ ଆଉଟକଲଟଙ୍କ ଦ୍ବାରା ଏହି କାର୍ଟୁନ ପ୍ରକାଶିତ ହୋଇଥିଲା। ଏକ ଅଳ୍ପ ବୟସର ବାଳକ ଏହାର ମୁଖ୍ୟ ଚରିତ୍ର ଥିଲା। ବଡ଼ବଡ଼ କାନ, ଲଣ୍ଡା ମୁଣ୍ଡ, ଖାଲି ପାଦ ଓ ମୁହଁରେ ଦୁଷ୍ଟାମିର ହସ ଏଥିରେ ଦେଖାଯାଇଥିଲା। କାର୍ଟୁନର ଶୀର୍ଷକ ଥିଲା ‘ହୋଗୀନସ ଆଲି’। କ୍ରମଶଃ ଏ ବାଳକ ‘ୟୋଲୋ କିଡ୍’ ନାମରେ ପରିଚିତ ହୋଇଗଲା। ଏହା ହିଁ ବ୍ୟବସାୟିକ ଭାବେ ପ୍ରଥମ ସଫଳ କାର୍ଟୁନର ମାନ୍ୟତା ପାଇଥିଲା। ସେବେଠାରୁ କାର୍ଟୁନିଷ୍ଟମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିବସକୁ ପାଳନ କରାଯାଇଆସୁଛି।
ତେବେ ଏନେଇ ବିଶିଷ୍ଟ କାର୍ଟୁନିଷ୍ଟ ପରେଶ ନାଥ କହିଛନ୍ତି, ପୂର୍ବରୁ ଖବରକାଗଜର ପ୍ରଥମ ପୃଷ୍ଠାରେ କାର୍ଟୁନକୁ ସ୍ଥାନ ଦିଆଯାଉଥିଲା ହେଲେ ବର୍ତ୍ତମାନ ତାହା ଭିତର ପୃଷ୍ଠାକୁ ଚାଲିଯାଇଛି। ପୂର୍ବରୁ କାର୍ଟୁନକୁ ‘ଚିତ୍ରରେ ସମ୍ପାଦକୀୟ’ ବୋଲି କୁହାଯାଉଥିଲା। ଗତ କିଛି ବର୍ଷ ହେଲାଣି ପ୍ରତିଭା ପ୍ରଦର୍ଶନରେ ନୂଆ ପିଢ଼ିଙ୍କୁ ସୁଯୋଗ ମିଳୁନି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତାଙ୍କ କଳା ପ୍ରଦର୍ଶନ ପାଇଁ ବଡ଼ ମାଧ୍ୟମ ପାଲଟିଛି। ସେହିପରି ବିଶିଷ୍ଟ କାର୍ଟୁନିଷ୍ଟ କମଳକାନ୍ତ ରଥଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଲୋକମାନଙ୍କର ସମାଲୋଚନାକୁ ସହ୍ୟ କରିବା କ୍ଷମତା କମିଗଲାଣି। ସାମାଜିକ ଗଣମାଧ୍ୟମର ବହୁଳତା ହେତୁ ମାଗାଜିନ, ଖବରକାଗଜ ସଂଖ୍ୟା କମିବାରେ ଲାଗିଛି। ଖବରକାଗଜଗୁଡ଼ିକରେ ମଧ୍ୟ କାର୍ଟୁନ ସଂଖ୍ୟା କମିବାରେ ଲାଗିଛି। ଫଳସ୍ବରୂପ କାର୍ଟୁନିଷ୍ଟମାନଙ୍କୁ କଳା ପ୍ରଦର୍ଶନ କରିବା ପାଇଁ ଭଲ ମଞ୍ଚ ମିଳୁନି। ସରକାର କିମ୍ୱା କୌଣସି ଧାର୍ମିକ କଥାକୁ ନେଇ କିଛି କାର୍ଟୁନ କଲେ ଟ୍ରୋଲିଂ ଆରମ୍ଭ ହୋଇଯାଉଛି। ବର୍ତ୍ତମାନ ସ୍ଥିତିରେ କାର୍ଟୁନିଷ୍ଟଙ୍କୁ ସ୍ବାଧୀନ ଭାବେ କଳା ପ୍ରଦର୍ଶନ କରିବାର ଅଧିକାର ଦିଆଯିବାର ଆବଶ୍ୟକତା ରହିଛି।