ବିଶ୍ୱ କବି ସମ୍ମିଳନୀର ଦ୍ୱିତୀୟ ଦିବସ : ବୌଦ୍ଧିକ କବିତା ଜୀବନକୁ ଆଲୋକିତ କରେ

ଚନ୍ଦ୍ରଶେଖରପୁର : କବିତା ଆମକୁ ଯୋଡ଼େ। ବୌଦ୍ଧିକ କବିତା ଅନ୍ୟକୁ ବୁଝିବାରେ ସାହାଯ୍ୟ କରିଥାଏ। ଏହା ଆମକୁ ଘୃଣାରୁ ଭଲ ପାଇବା, ହିଂସାରୁ କ୍ଷମା ଆଡ଼କୁ ବାଟ ଦେଖାଇ ଆମ ଜୀବନ ପଥକୁ ଆଲୋକିତ କ‌ରେ। ବୌଦ୍ଧିକ କବିତା ଗୋଟିଏ ବୁଝାମଣାକୁ ପ୍ରକାଶିତ କରିଥାଏ, ଯାହାକୁ ଆମେ ଅନୁଭବ କରିଥାଉ। ମହାକବି କାଳିଦାସ, ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର, ସରୋଜିନୀ ନାଇଡୁ, ଶ୍ରୀ ଅରବିନ୍ଦ ଓ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ଭାରତର ମହାନ ବୌଦ୍ଧିକ କବି। ମହାନ କବି କାଳିଦାସଙ୍କ କବିତାରେ ପ୍ରେମ, ଘୃଣା, ବିଶ୍ୱାସଘାତକତା, ସମ୍ବେଦନଶୀଳତା ଓ କର୍ତ୍ତବ୍ୟ ଆଦି ମାନବିକ ଅନୁଭବ ସବୁ ପ୍ରତିଫଳିତ ହୋଇଥିବା ଦେଖିବାକୁ ମିଳେ। ନୈତିକତା ଆଧାରରେ ଆତ୍ମା ଓ ଦୟାକୁ କବିତା ହିଁ ଖୋରାକ ଯୋଗାଏ। ବର୍ତ୍ତମାନ ସମୟରେ ସମାଜ ଦୟାଠାରୁ ବଳି ଅନ୍ୟ କିଛି ଆଶା କରେ ନାହିଁ। ଏଥିପାଇଁ ଆମକୁ ଦୟାଶୀଳ ଓ ଭଲ ମଣିଷ ହେବାକୁ ପଡ଼ିବ ବୋଲି କିଟ୍‌ ବିଶ୍ବବିଦ୍ୟାଳୟରେ ଚାଲିଥିବା ୩୯ତମ ବିଶ୍ୱ କବି ସମ୍ମିଳନୀର ଦ୍ୱିତୀୟ ଦିବସରେ ବୌଦ୍ଧିକ କବିତା ଅଧିବେଶନକୁ ଉଦ୍‍ଘାଟନ କରି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ୟାମ୍‍ ଜାଜୁ କହିଛନ୍ତି।

ୱାର୍ଲ୍ଡ ଏକାଡେମି ଅଫ୍‍ ଆର୍ଟସ ଆଣ୍ଡ କଲ୍‍ଚର୍‍(ୱାକ୍‍)ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ କହିଲେ, ଆମର ସଭ୍ୟତା ହେଉଛି ଦୁଇ ହଜାର ବର୍ଷ ପୁରୁଣା। ଏହି ଦୁଇ ହଜାର ବର୍ଷରେ ତିନି ଶହ ପିଢ଼ି ଅତିକ୍ରମ କରିସାରିଛି। ଆମ ନିକଟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷା ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ସମ୍ବଳ ରହିଛି। ଏସବୁ ସତ୍ତ୍ବେ ଆଣବିକ ଶକ୍ତି ଦ୍ୱାରା ବିଶ୍ୱ ଧ୍ୱଂସ ପାଇଯିବାର ସମ୍ଭାବନା ମଧ୍ୟ ରହିଛି। ଏହି ପରିପ୍ରେକ୍ଷୀରେ କବିତା ହେଉଛି ଉଭୟ ସୌନ୍ଦର୍ଯ୍ୟ ଓ ପ୍ରେମ। ଆମେ ଆମ ନିକଟରେ ଥିବା ବିଧ୍ୱଂସୀ କ୍ଷମତାକୁ କବିତା ମାଧ୍ୟମରେ ଦୂର କରି ବିଶ୍ୱରେ ଶାନ୍ତି ଓ ଭ୍ରାତୃଭାବ ସ୍ଥାପନ କରିପାରିବା ବୋଲି ପ୍ରଫେସର କାହାନ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଯୋଗଦେଇ କହିଲେ ପ୍ରକୃତରେ କବିତା ହେଉଛି ପ୍ରେମ ଓ ଦୟା। ଅତିବଡ଼ୀ ଜଗନ୍ନାଥ ଦାଶଙ୍କ ଦ୍ୱାରା ଲିଖିତ ଓଡ଼ିଆ ଭାଗବତ ହେଉଛି ସର୍ବପୁରାତନ ବୌଦ୍ଧିକ କବିତା।

୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାକ୍‍ର ସାଧାରଣ ସମ୍ପାଦିକା ଡ. ମାରିଆ ଇଉଜେନିଆ ସୋବେରନିସ୍‌ ଧନ୍ୟବାଦ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ତଥା ଲେଖିକା ପ୍ରଭାସିନୀ ମହାକୁଡ଼, ମେ’ ଫେୟାର ହୋଟେଲ୍‍ ଆଣ୍ଡ ରିସର୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ କୁମାର ମହାପାତ୍ର, ପୋଏଟ୍ରି ଆକ୍ରସ୍‍ କଲ୍‍ଚର୍‍ର ସଭାପତି ଡ. ରୀତା ମଲହୋତ୍ରା ଓ ଅଲିମ୍ପିଆନ୍‍ ଦୂତୀ ଚାନ୍ଦଙ୍କୁ ବିଶ୍ୱ କବି ସମ୍ମିଳନୀ ପକ୍ଷରୁ ସମ୍ମାନସୂଚକ ଡିପ୍ଲୋମା ପ୍ରଦାନ କରାଯାଇଥିଲା। ଦିନତମାମ କବିତା ମାଧ୍ୟମରେ ଦୟା ଉପରେ ଇଂରାଜୀ, ସ୍ପେନ୍‍, ଚୀନ୍‍, ହିନ୍ଦୀ ଓ ଓଡ଼ିଆ ଭାଷାରେ ସମାନ୍ତରାଳ କବିତା ପାଠ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିସହ ବିଶ୍ୱର ବିଭିନ୍ନ ଭାଷାରେ ୬୭ ଜଣ ଲେଖକଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର