ପ୍ରଦୂଷଣ ପାଇଁ ବଢ଼ୁଛି ସିଓପିଡି

ସମ୍‌ରେ ବିଶ୍ବ ସିଓପିଡି ଦିବସ

ଭୁବନେଶ୍ବର : ପରିବେଶ ପ୍ରଦୂଷଣ ପାଇଁ କ୍ରନିକ ଅବଷ୍ଟ୍ରକ୍ଟିଭ୍ ପଲମନାରି ଡିଜିଜ୍ ବା ସିଓପିଡି ସମସ୍ୟା ବୃଦ୍ଧି ପାଉଛି। ଧୂଳି, ଧୂଆଁ ଓ ଧୂମପାନ ହେଉଛି ସିଓପିଡିର ମୁଖ୍ୟ କାରଣ। ଏହାସହ ରୋଷେଇ ଘର ଚୁଲିରୁ ବାହାରୁଥିବା ଧୂଆଁ ଯୋଗୁଁ ମହିଳାମାନେ ମଧ୍ୟ ସିଓପିଡିର ଶିକାର ହେଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ସମ୍ ହସ୍ପିଟାଲର ଛାତିରୋଗ ବିଭାଗ ପକ୍ଷରୁ ବିଶ୍ବ ସିଓପିଡି ଦିବସ ପାଳିତ ହୋଇଛି। ସିଓପିଡି ଏକ ସାଧାରଣ ରୋଗ ଓ ଏହାର ଚିକିତ୍ସା ଓ ନିରାକରଣ ସମ୍ଭବ। ଫୁସ୍‌ଫୁସ୍‌ରେ ସମସ୍ୟା ହେଲେ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ ଓ ଏହାକୁ ସିଓପିଡି କୁହାଯାଏ। ଛାତିରୋଗ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନାଙ୍କ କହିବା ମୁତାବକ ଖଣି ଖାଦାନରେ କାର୍ଯ୍ୟ କରୁଥିବା ଶ୍ରମିକ, ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ଟ୍ରାଫିକ ପୁଲିସ ଓ ଚାଷଜମିରେ କାମ କରୁଥିବା କୃଷକମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳିଥାଏ। ଆଗୁଆ ରୋଗର ଚିହ୍ନଟ, ପୂଦ୍ରଷଣଠାରୁ ଦୂରେଇ ରହିବା ଓ ପ୍ରାଥିମକ ସ୍ତରରେ ଏହାର ଚିକିତ୍ସା କରାଗଲେ ଏହି ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରିବ। ଘର ଭିତରେ ମଶା ଧୂଆଁ ଓ ଧୂପକାଠି ଲଗାଇବା ଦ୍ବାରା ସିଓପିଡି ସମସ୍ୟା ଦେଖା‌ ଦେଇଥାଏ। ଏଥିରୁ ନିବୃତ ରହିବା ସହ ନିୟମିତ ବ୍ୟାୟାମ, ପ୍ରଚୁର ପାଣି ପିଇବା ଓ ସୁସ୍ଥ ଜୀବନଶୈଳୀ ଆପଣାଇବା ଦ୍ବାରା ରୋଗକୁ ଦୂର କରିହେବ। ସମ୍ ହସ୍ପିଟାଲର ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ ଓ ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପୁଅ ଓ ଝିଅଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଧୂମପାନ ଅଭ୍ୟାସକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଛାତିରୋଗ ବିଭାଗର ପ୍ରଫେସର ରାକ୍ଷୀ ଲୁଦାମ, ପ୍ରଫେସର ଡା.ଗଣେଶ ମହାପାତ୍ର, ଆସୋସିଏଟ ପ୍ରଫେସର ଡା.ପ୍ରିୟଦର୍ଶିନୀ ବେହେରା, ସହକାରୀ ପ୍ରଫେସର ଡା.ସଂଗୀତା ଜେନା, ଡା.ସୋନାଲି ପରିଡ଼ା, ଡା.ପ୍ରିତମ ଛୋଟରାୟ, ଡା.ଶୁଭକାନ୍ତ ନନ୍ଦ ଓ ସିନିଅର ରେସିଡେଣ୍ଟ ଡା.ସାନାଲି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର