ୱାର୍ଲ୍ଡ କପ୍‌ କର୍ଣ୍ଣର: କଙ୍ଗାରୁ ଶିକାର ପାଇଁ ‘ବିରାଟ’ ପ୍ରସ୍ତୁତି

ରବିବାର ଓଭାଲ୍‌ରେ ଭାରତ ଭେଟିବ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ। ସାରା ବିଶ୍ବ ଏବେ ଏହି ମହା ଲଢ଼େଇକୁ ଦେଖିବାକୁ ଚାହିଁ ବସିଥିବା ବେଳେ ଭାରତର ରଣନୀତି କ’ଣ ରହିବ ସେ ସମ୍ପର୍କରେ ନିଜ ମତ ରଖିଛନ୍ତି ଓଡ଼ିଶାର କ୍ରିକେଟ୍‌ ତାରକା ରଶ୍ମିରଂଜନ ପରିଡ଼ା ଓ ପ୍ରଭଞ୍ଜନ ମଲ୍ଲିକ। ଚଳିତ ବିଶ୍ବକପ୍‌ର ପ୍ରତିଟି ମ୍ୟାଚ୍‌ ପ୍ରତ୍ୟେକ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଇଂଲଣ୍ଡର ପାଣିପାଗ ଯେଭଳି ରହିଛି ବର୍ଷା ଆଶଙ୍କା କରାଯାଉଛି। ବର୍ଷା ‌ଯୋଗୁଁ ମ୍ୟାଚ୍‌ ବାତିଲ କରାଯାଉଛି। ସେହିପରି ବର୍ତ୍ତମାନ ସୁଧା ଖେଳାଯାଇଥିବା ଅଧିକାଂଶ ମ୍ୟାଚ୍‌ରେ ପ୍ରାରମ୍ଭିକ ଯୋଡ଼ି ନୂଆ ବଲ୍‌ରେ ବାନ୍ଧି ହୋଇଯାଉଛନ୍ତି। ଇଂଲଣ୍ଡ ଟିମ୍‌କୁ ଛାଡ଼ିଲେ ପିଚ୍‌ ସହ ଅନ୍ୟ ଦଳର ‌ଖେଳାଳିମାନେ ଖାପଖୁଆଇ ନାହାନ୍ତି। ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ଦୃଷ୍ଟିରୁ ଏକ ସନ୍ତୁଳିତ ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ କୋହଲିଙ୍କର ଭଲ ପ୍ରଦର୍ଶନ ରହିଛି। ସେହିପରି ଭାରତର ପ୍ରରମ୍ଭିକ ଯୋଡ଼ି ଶିଖର ଓ ରୋହିତ ବିଶ୍ବର ଅନ୍ୟତମ ସଫଳ ଯୋଡ଼ି ଭାବେ ପରିଚିତ। ଧୋନି, କେଦାରଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି। ନିମ୍ନ ଭାଗରେ ହାର୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆର ଚିନ୍ତାର କାରଣ ପାଲଟି ପାରନ୍ତି। ବୁମ୍‌ରା, ଭୁବନେଶ୍ବର ପ୍ରାରମ୍ଭରେ କଙ୍ଗାରୁ ବାହିନୀକୁ ଚକ୍‌ମା ଦେବାରେ ସକ୍ଷମ। ସେହିପରି ଚହଲ, କୁଲ୍‌ଦୀପଙ୍କ ବଲକୁ ବୁଝିବା କଙ୍ଗାରୁ ବାହିନୀଙ୍କୁ ‌କଷ୍ଟସାଧ୍ୟ ହେବ।

ଫ୍ଲାଟ୍‌ ପିଚ୍‌ ଯୋଗୁଁ ଅଧିକ ସ୍କୋର୍‌ ହେବାର ସମ୍ଭାବନା ରହିଛି। ଭାରତୀୟ ଦଳ ବ୍ୟାଟିଂ ଓ ବୋଲିଂ ଦୃଷ୍ଟିରୁ ସନ୍ତୁଳିତ। ତେଣୁ ଚଳିତ ବର୍ଷ ବିରାଟ ବାହିନୀ ଇତିହାସ ଦୋହରାଇବ ବୋଲି ମୋର ଆଶା। ଭାରତ ଟସ୍‌ ଜିଣିଲେ ପ୍ରଥମେ ବୋଲିଂ ନେବା ଦରକାର। ରନ୍‌ ପିଛାକରି ଜିତିବାରେ ଭାରତର ରେକର୍ଡ ରହିଛି। ରୋହିତ ଲମ୍ବା ଇନିଂସ୍‌ ଖେଳିବାର ଓସ୍ତାଦ। ରନ୍‌ ମେସିନ୍‌ କୋହଲି ଯଦି ସଫଳ ହେଲେ ତେବେ କଙ୍ଗାରୁ ଦଳ ମାଟି କାମୁଡ଼ିବା ନିଶ୍ଚିତ। ନିମ୍ନ କ୍ରମରେ ହାର୍ଦିକ କମ୍‌ ବଲ୍‌ରେ ଦ୍ରୁତ ରନ୍‌ ସଂଗ୍ରହ କରିବାର କରିସ୍ମା ମଧ୍ୟ ରହିଛି। ଭାରତୀୟ ଦଳର ବୋଲିଂ ବେଶ୍‌ ଶକ୍ତିଶାଳୀ। ବୁମ୍‌ରାଙ୍କ ଦ୍ରୁତ ଗତି ସାଙ୍ଗକୁ ୟର୍କର ବିପକ୍ଷ ଦଳର ଖେଳାଳିଙ୍କ ପାଇଁ ଘାତକ ସାଜିବ। ସେହିପରି ଚହଲ ଓ କୁଲ୍‌ଦୀପଙ୍କ ସ୍ପିନ୍‌କୁ ବୁଝିବା କଙ୍ଗାରୁ ଦଳକୁ ସହଜ ହେବନି।

ସମ୍ବନ୍ଧିତ ଖବର