ବିଶ୍ବକପ‌୍‌ ହକି ‌‌ବେଳେ ଡାକ୍ତରଙ୍କ ଘରେ ବୁଲାଇଥିଲା କଳାକନା: ଚୋର ଗିରଫ, ୪୫ ଗ୍ରାମ୍‌ ସୁନା ଗହଣା ଜବତ

ଭୁବନେଶ୍ବର: ହକି ବିଶ୍ୱକପ୍‌ ବେଳେ ପୁଲିସର କାର୍ଯ୍ୟବ୍ୟସ୍ତତାର ଫାଇଦା ନେଇ ଜଣେ ଡାକ୍ତରଙ୍କ ଘରେ କଳାକନା ବୁଲାଇଥିବା ଚୋରକୁ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ଚୋରି ହୋଇଥିବା ମୋବାଇଲକୁ ଟ୍ରାକିଂ କରି ଦୀର୍ଘ ୨୧ ଦିନ ପରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତଜଣଙ୍କ ହେଲା, ଚିନ୍ତାମଣିଶ୍ବର ଚମ୍ପାପୋଖରୀ ବସ୍ତିର ଦୀପୁ ଛତ୍ରୀ। ତା’ଠାରୁ ୪୫ ଗ୍ରାମ୍‌ ସୁନାଗହଣା ସହ ୪୦ହଜାର ନଗଦ ଟଙ୍କା, ଶହେ ଗ୍ରାମ୍‌ର ଇମିଟେସନ୍‌ ଅଳଙ୍କାର ଓ ଏକ ହୋଣ୍ଡା ଆକ୍ଟିଭା ସ୍କୁଟର୍‌ ଜବତ କରାଯାଇଛି। କେବଳ ଏହି ମାମଲା ନୁହେଁ, ଅନ୍ୟ ତିନୋଟି ବଡ଼ ବଡ଼ ଚୋରି ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଦୀପୁ ସ୍ବୀକାର କରିଛି। ତେବେ ତା’ର ଅନ୍ୟ ଜଣେ ସହଯୋଗୀ ଫେରାର୍‌ ରହିଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର ଦୟାନିଧି ନାୟକ କହିଛନ୍ତି।

ଚୋରି ମୋବାଇଲ ଟ୍ରା‌କିଂରୁ ଧରାପଡ଼ିଲା
ଚୋରି ଟଙ୍କାରେ କିଣିଥିଲା ଗାଡ଼ି

ସୂଚନା ମୁତାବକ, ପୁରୁଣା ଷ୍ଟେସନ ବଜାର ସ୍ବାଗତ ହୋଟେଲ ଗଳି‌ରେ ରହୁଥିବା ଡାକ୍ତର ପରେଶ ପଟ୍ଟନାୟକ ସପରିବାରେ ନଭେମ୍ବର ୨୫ ତାରିଖରେ କୋଏମ୍ବାଟୁର ବୁଲିବାକୁ ଯାଇଥିଲେ। ଏହି ସୁଯୋଗରେ ଗତ ୨ ତାରିଖ ଦିନ ଦୁର୍ବୃତ୍ତମାନେ ତାଙ୍କ ଘରୁ ୫ଲକ୍ଷ ଟଙ୍କାର ସୁନାଗହଣା ଓ ୧ ଲକ୍ଷ ନଗଦ ଟଙ୍କା ଚୋରି କରି ନେଇଥିଲେ। ୨ତାରିଖରେ ସେ ଘରକୁ ଫେରି ତାଙ୍କ ଘର ଭଙ୍ଗାଯିବା ସହ ଦେଢ଼ଲକ୍ଷ ଟଙ୍କା, ୨ଲ୍ୟାପଟପ୍‌, ୨ମୋବାଇଲ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଏ ନେଇ ଏକ ମାମଲା(୩୦୬/୧୮) ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି କ୍ୟାମେରାର ଫୁଟେଜ୍‌ ନ ଥିବାରୁ ପୁଲିସ ହରଡ଼ଘଣାରେ ପଡ଼ିଥିଲା। ତେବେ ଚୋରି ହୋଇଥିବା ମୋବାଇଲକୁ ପୁଲିସ ଟ୍ରାକ୍‌ କରିଥିଲା। ଗତ ୨୦ତାରିଖ ଦିନ ଦୀପୁ ଏହି ଚୋରି ମୋବାଇଲରେ ସିମ୍‌ ପକାଇ ବ୍ୟବହାର ଆରମ୍ଭ କରିଥିଲା। ଏହି ନମ୍ବରକୁ ନେଇ ଖୋଳତାଡ଼ ପରେ ଦୀପୁର ପରିଚୟ ମିଳିଥିଲା। ଦୁଇ ଦିନ ତାକୁ ଟ୍ରାକ୍‌ କରିବା ପରେ ପୁଲିସ ଚୋରି ବାବଦରେ ପ୍ରମାଣ ପାଇଥିଲା। ଗତ ରାତିରେ ଚଢ଼ଉ କରି ଦୀପୁକୁ ଧରିଥିଲା।

ସମ୍ବନ୍ଧିତ ଖବର