ବିଶ୍ବ ନୃତ୍ୟ ଦିବସ: ଚଇତି ଘୋଡ଼ାରୁ ଘୁବୁକୁଡ଼ୁ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ବିଶ୍ବ ନୃତ୍ୟ ଦିବସ’ ଅବସରରେ ନୃତ୍ୟ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ନୃତ୍ୟରେ ମମତା ଶତପଥୀ ଓ ସାଥୀଙ୍କ ଦ୍ବାରା ଗଣେଶ ବନ୍ଦନା ସହ ଦେବୀ ଦଶମହାବିଦ୍ୟା ପରିବେଷିତ ହୋଇଥିଲା। କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ବରୀ, ଛିନ୍ନମସ୍ତାଙ୍କୁ ନୃତ୍ୟରେ ଭେଟି ଦେଇଥିଲେ ଶିଳ୍ପୀବୃନ୍ଦ। ପରେ ରମେଶ ଦେହୁରୀଙ୍କ ନୃତ୍ୟ ଓ ସଂଯୋଜନାରେ କଟକର ଅଶ୍ବିନୀ ବାସେଳୀ ନାଟ୍ୟ ସଂସ୍ଥା ପକ୍ଷରୁ ପରିବେଷିତ ହୋଇଥିଲା ‘ଚଇତି ଘୋଡ଼ା’। ଦୁଲଦୁଲି କଳା ପରିଷଦ, ବଲାଙ୍ଗୀରର କଳାକାରମାନେ ଘୁବୁକୁଡ଼ୁ ନୃତ୍ୟ ପରିବେଷଣ କରିଥିଲେ। ଆଦିବାସୀ ‘ଶବର’ମାନଙ୍କ ଦ୍ବାରା ପରିବେଷିତ ଏହି ନୃତ୍ୟର ନିଆରା ପରିବେଷଣକୁ ଉପଭୋଗ କରିଥିଲେ ଦର୍ଶକ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ସ୍ବତନ୍ତ୍ର ଶାସନ ସଚିବ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ, ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ, କୃପାସିନ୍ଧୁ ମିଶ୍ର, ଲିପ୍‌ସା ଦାଶ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସୁମିତ୍ରା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର