ଭୁବନେଶ୍ବର: ଓଡ଼ିଶୀ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୃତ୍ତି ଭାବରେ ଗ୍ରହଣ କରିବାକୁ ମଧ୍ୟ ଯୁବ ନୃତ୍ୟଶିଳ୍ପୀ ଆଗେଇ ଆସିଲେଣି। ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି କଳା ଏବେ ଆଉ ଓଡ଼ିଶା କିମ୍ବା ଭାରତ ଭିତରେ ସୀମିତ ହୋଇ ନାହିଁ। ବିଦେଶରେ ଏହି ନୃତ୍ୟ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। କିନ୍ତୁ ସରକାରୀ ସ୍ତରରେ କିମ୍ବା ଗୁରୁମାନଙ୍କ ମଧ୍ୟରେ ଓଡ଼ିଶୀର ପରିପାଟୀ ତଥା ଆହାର୍ଯ୍ୟ କିଭଳି ହେବ ସେଭଳି କୌଣସି ଲିଖିତ ଓ ବିଧିବଦ୍ଧ ବ୍ୟବସ୍ଥା ନ ଥିବାରୁ ତାହା ବିଭିନ୍ନ ସମୟରେ ବିବାଦ ସୃଷ୍ଟି କରୁଛି। କିଛି ନୃତ୍ୟଶିଳ୍ପୀ ଆଧୁନିକତା ନାମରେ ଓଡ଼ିଶୀକୁ ଭଲ କରିବାକୁ ଯାଇ ଏହାର ମୌଳିକତା କ୍ଷୁଣ୍ଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଓଡ଼ିଶୀ ନୃତ୍ୟ ପାଇଁ ଏକ ସ୍ବତନ୍ତ୍ର ଆହାର୍ଯ୍ୟ ସ୍ଥିରୀକୃତ ହୋଇଛି। କୁମ୍ଭ ପକା ବାନ୍ଧ ଶାଢ଼ି, ଖଣ୍ଡୁଆ ପାଟ, ବମ୍କେଇ ପାଟ, ବ୍ରହ୍ମପୁରୀ ପାଟ ଭଳି ଶାଢ଼ି ସହ ତାରକସି କାମ ଥିବା ରୁପା ଅଳଙ୍କାର ଏବଂ ସୋଲ ଟାହିଆ ହେଉଛି ଓଡ଼ିଶୀ ଆହାର୍ଯ୍ୟର ପରିଚୟ। ଏହା ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ପରମ୍ପରାକୁ ଉପସ୍ଥାପନା କରେ। ଓଡ଼ିଶୀ ବସ୍ତ୍ରରେ ବୁଣାକାରମାନଙ୍କର ହସ୍ତକଳା, ହସ୍ତଶିଳ୍ପ, ଗହଣାରେ ଓଡ଼ିଶାର ତାରକସିର ନିଖୁଣ କାମ ଓ ସୋଲ ଟାହିଆରେ ଆମ କାରିଗରୀ ସୃଜନତା ପ୍ରଦର୍ଶିତ ହୁଏ। ଏହା ନୃତ୍ୟଶିଳ୍ପୀଙ୍କ ରୂପକୁ ବହୁଗୁଣିତ କରିବା ସହ ଓଡ଼ିଶୀ ନୃତ୍ୟର ପରିଚୟ ବହନ କରେ। ହେଲେ ଓଡ଼ିଶୀ ନୃତ୍ୟର ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଥିବା ଏହି ସବୁ ଆହାର୍ଯ୍ୟ ବଦଳରେ ଏହାର ବିକଳ୍ପ ବା ‘କା’ ବ୍ୟବହାର ହେବାରେ ଲାଗିଲାଣି। ଏବେ କିଛି ନୃତ୍ୟଶିଳ୍ପୀ ଓଡ଼ିଶାରେ ମିଳୁଥିବା ପାଟ ବଦଳରେ ପାପା ସିଲ୍କ, କଟନ୍ ଶାଢ଼ିରେ କୁମ୍ଭ ଧଡ଼ି ଲଗାଇ ପିନ୍ଧୁଥିବା ଦେଖିବାକୁ ମିଳୁଛି। କିଛି ନୃତ୍ୟଶିଳ୍ପୀ ବାଜୁ ବନ୍ଧ୍ ପିନ୍ଧୁ ନଥିବା ବେଳେ ତାରକସି କାମର ସ୍ଥାନ ଏବେ କମ୍ ଦାମ୍ରେ ମିଳୁଥିବା ହ୍ବାଇଟ୍ ମେଟାଲ ନେଇ ଯାଇଛି। ପ୍ରାୟ ସମସ୍ତ ନୃତ୍ୟାଙ୍ଗନା ଏବେ ପ୍ଲାଷ୍ଟିକ୍ର ଟାହିଆ ପିନ୍ଧୁଛନ୍ତି। ଗଭା ଓ ଖୋସା ବଦଳରେ ଏବେ ବେଣୀ କରି ମଞ୍ଚରେ ନୃତ୍ୟ ପରିବେଷଣ କରୁଛନ୍ତି। ଏଭଳି ଚାଲିଲେ ଅନ୍ୟ ନୃତ୍ୟ ଓ ଓଡ଼ିଶୀ ଆହାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା କଷ୍ଟ ହୋଇପଡ଼ିବ ବୋଲି ଆଶଙ୍କା ହେଉଛି। ନିକଟ ଅତୀତରେ ବିଭିନ୍ନ ସମୟରେ ଏହାକୁ ନେଇ ବହୁ ବରିଷ୍ଠ ନୃତ୍ୟଶିଳ୍ପୀ ଓ ଜାତୀୟସ୍ତରର ନୃତ୍ୟ ସମୀକ୍ଷକମାନେ ମଧ୍ୟ ଉଦ୍ବେଗ ପ୍ରକାଶ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ଏଣୁ ଓଡ଼ିଶୀ ନୃତ୍ୟର ମୌଳିକତା ଓ ଏହାର ମାଧୁର୍ଯ୍ୟ ବଜାୟ ରଖିବା ପାଇଁ ସମସ୍ତେ ଗୋଟିଏ ଧାରାରେ ବାନ୍ଧିହେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି।
ଲକ୍ଷ୍ମଣରେଖା ଭିତରେ ରହି ନୂତନତାକୁ ଗ୍ରହଣ କରିବା ଆବଶ୍ୟକ
ଓଡ଼ିଶୀର ଇତିହାସକୁ ଲକ୍ଷ୍ୟକଲେ ଜଣାଯାଏ, ସମୟ ସମୟେ ଏଥିରେ ପରିବର୍ତ୍ତନ ଦେଖାଦେଇଛି। ୩ ଗୁରୁ ମଧ୍ୟ ସମୟ ସହିତ ତାଳ ଦେଇ ନୃତ୍ୟଠାରୁ ପରିପାଟୀ ସବୁଥିରେ ପରିବର୍ତ୍ତନ ଆଣିଛନ୍ତି। ଗ୍ରାମାରକୁ ନେଇ କମ୍ବିନେସନରେ ପରିବର୍ତ୍ତନ ଆସିଛି। ହେଲେ ଶାସ୍ତ୍ରୀୟ ନୃତ୍ୟରେ ଯେଉଁ ବ୍ୟାକରଣ ଅଛି, ଏହାକୁ ଶିଖିବା, ଶିଖାଇବା, ପରିବେଷଣ କରିବାର ଯେଉଁ ପ୍ରଣାଳୀ ଅଛି ତା’ର ମୌଳିକତାକୁ ବଜାୟ ରଖିବା ଆବଶ୍ୟକ। ଓଡ଼ିଶା କିମ୍ବା ଭାରତ ବାହାରେ ଯେଉଁମାନେ ଅଛନ୍ତି ସେମାନେ ଏହାର ଲକ୍ଷ୍ମଣରେଖା ଭିତରେ ରହି, କେତେ ନୂତନତ୍ବକୁ ଗ୍ରହଣ କରିବେ ସେ ବିଷୟରେ ଗୁରୁଙ୍କ ସହ ପରାମର୍ଶ ନେବା ଆବଶ୍ୟକ। ପ୍ରତି ନୃତ୍ୟ ଶୈଳୀ ଆଞ୍ଚଳିକ ସ୍ଥାନ ଭିତରେ ଆବଦ୍ଧ। ତେଣୁ ସେହି ନୃତ୍ୟରେ ସେ ଅଞ୍ଚଳର ଜନଜୀବନ, ଆଚାର ବ୍ୟବହାର, ମୂଲ୍ୟବୋଧ, ଦୈନନ୍ଦିନ ଜୀବନଶୈଳୀ ବହନ କରେ।
ପଦ୍ମଶ୍ରୀ ଅରୁଣା ମହାନ୍ତି
ସଭାପତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି
ନୃତ୍ୟ ଶିକ୍ଷାରେ ଅର୍ଥ ପାଇଁ ଅଭିଭାବକ
ଭାରାକ୍ରାନ୍ତ ନ ହେବା ଆବଶ୍ୟକ
ଗୁରୁ କେଳୁଚରଣ ମହାପାତ୍ର, ଦେବପ୍ରସାଦ ଦାସ, ପଙ୍କଜ ଚରଣ ଦାସଙ୍କ ନୃତ୍ୟକୁ ନେଇ ଓଡ଼ିଶୀ ଘରାନା। ଛାତ୍ର ପରେ ଛାତ୍ର ଏହି ଶିକ୍ଷାପାଇ ଏବେ ଗୋଟିଏ ବଡ଼ ଶୃଙ୍ଖଳ ତିଆରି ହୋଇଛି। ତେଣୁ ସମସ୍ତଙ୍କର ମଧ୍ୟରେ ଭିନ୍ନତା ସ୍ବାଭାବିକ। ଓଡ଼ିଶୀର ପ୍ରଚାର ପ୍ରସାର ପାଇଁ ଗହଣା, ପରିପାଟୀରେ; ପାଟ ଶାଢ଼ି ଓ ସୋଲ ଟାହିଆକୁ ବେଶି ଗରୁତ୍ବ ଦେଇ ହେବନାହିଁ। ଛୋଟ ପିଲାଟିଏ ଯେବେ ଓଡ଼ିଶୀ ଶିଖୁଛି ତା’କୁ ପ୍ରୋତ୍ସାହିତ କରିବାକୁ ଅଭିଭାବକ ଭାରାକ୍ରାନ୍ତ ନ ହେବା ଆବଶ୍ୟକ। ସମୟ ସହିତ ପରିବର୍ତ୍ତନ ଆସୁଛି। ତେଣୁ ସଂସ୍କୃତି ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ।
ଶାଶ୍ବତ ଯୋଶୀ, ନୃତ୍ୟଶିଳ୍ପୀ
ସରକାରୀ ସ୍ତରରେ ନିୟମ କରାଯାଉ
ଓଡ଼ିଶୀ ଆହାର୍ଯ୍ୟର ସ୍ବତନ୍ତ୍ରତା ରହିଛି। ଏହା ଉପରେ ଅଯଥା ପରୀକ୍ଷାନୀରିକ୍ଷା କରା ନଯାଇ ଆମର ବରିଷ୍ଠ ନୃତ୍ୟଗୁରୁମାନେ ଏକାଠି ହୋଇ ଆହାର୍ଯ୍ୟର ଏକ ସ୍ଥିରୀକୃତ ବିବରଣୀକୁ କାଗଜ କଲମକୁ ଉତାରନ୍ତୁ। ଏହାକୁ ସରକାରୀ ଭାବେ ସ୍ଥିର କରାଯାଇ କଡ଼ାକଡ଼ି ପାଳନ ହେଉ। ଫଳରେ ଓଡ଼ିଶୀ ନୃତ୍ୟରେ ସମାନତା ରହିବ। ଓଡ଼ିଶୀ ନୃତ୍ୟ ଆହାର୍ଯ୍ୟର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସରକାରୀ ସ୍ତରରେ ନିୟମ କରାଯାଉ। ଯେଉଁମାନେ ଏହି ନିୟମକୁ ପାଳନ ନକରିବେ ତାଙ୍କପାଇଁ ଦଣ୍ଡବିଧାନ କରାଯାଉ।
ଶ୍ରୀନିବାସ ଘଟୁଆରୀ, ନୃତ୍ୟଶିଳ୍ପୀ
ବ୍ୟାକରଣରେ ସମାନତା ଆଣିବାକୁ ଚେଷ୍ଟା କରାଯାଉଛି
କେତେବେଳେ ଯଦି କିଏ ଓଡ଼ିଶୀ ନୃତ୍ୟକୁ ଅପଭ୍ରଂଶ କରୁଥିବା ଆମ ନଜରକୁ ଆସୁଛି ଆମେ ତାଙ୍କ ଗୁରୁଙ୍କୁ ଡାକି କଥା ହେଇ ଏହା କିପରି ନ ହେବ ସେ ବିଷୟରେ ଆଲୋଚନା କରୁଛୁ। ଓଡ଼ିଶୀ ଗବେଷଣା କେନ୍ଦ୍ର ଓଡ଼ିଶୀ ଉପରେ ଗବେଷଣା ଜାରି ରଖିଛି। ଆମ ଓଡ଼ିଶୀ ନୃତ୍ୟର ଶୁଦ୍ଧତାକୁ ନେଇ ଓଡ଼ିଶୀ ନୃତ୍ୟ ସରଣୀ ପୁସ୍ତକ ଦୁଇଟି ପ୍ରକାଶିତ କରିଛୁ। ଓଡ଼ିଶୀର ବ୍ୟାକରଣ ଉପରେ ଅନେକ ପୁସ୍ତକ ଲେଖା ଚାଲିଛି। ଯାହାଦ୍ବାରା ଯେଉଁ ସ୍ଥାନରେ ନୃତ୍ୟ ଶିଖିଲେ ମଧ୍ୟ ଏହାର ମୂଳ ସମାନ ରହିବ। ଗୁରୁଙ୍କ ସ୍ଥିରୀକୃତ ସମସ୍ତ ପରିପାଟୀ ପିନ୍ଧିବାକୁ ଚେଷ୍ଟା କରିବା ଆବଶ୍ୟକ। ଉଦ୍ଭଟତାକୁ ସ୍ବୀକାର କରାଯିବ ନାହିଁ।
ଶିକତା ଦାସ, ମୁଖ୍ୟ କାର୍ଯ୍ୟନିର୍ବାହୀ, ଗୁରୁ କେଳଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର