ଭୁବନେଶ୍ବର: ପୁରାତନ ପରମ୍ପରା, ରୀତିନୀତି, ଧାର୍ମିକ ଭାବନା, ଚାଲିଚଳଣି ଓ ଯୁଦ୍ଧ ବା ସମରକଳାକୁ ନେଇ ପ୍ରସ୍ତୁତ ଲୋକକଳା ସମସା‌ମୟିକ ସମୟର ମୁକସାକ୍ଷୀ। ଆମ ପ୍ରାଚୀନତା ଓ ପ୍ରାଚୁର୍ଯ୍ୟମୟ ଇତିହାସର ଦସ୍ତାବିଜ ହୋଇ ରହିଯାଏ ଏହି ଲୋକନୃତ୍ୟ ଓ ଲୋକକଳା। କିନ୍ତୁ ସମୟ ସହ ଓ ଆଧୁନିତକାର ଚାକଚକ୍ୟରେ ଧୀରେଧୀରେ ଏହା ଲୁପ୍ତ ହେବାକୁ ବସିଲାଣି। ଏସବୁକୁ ଏବେଠାରୁ ଦସ୍ତାବିଜ କରି ସାଇତି ନ ରଖିଲେ, ଆମ ପୁରାତନତାର ସଂରକ୍ଷଣ ଅସମ୍ଭବ ହୋଇପଡ଼ିବ। ହେଲେ ଏହାକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯେମିତି ସମ୍ପୂର୍ଣ୍ଣ ଉଦାସୀନ। ଲୋକକଳାକୁ ନେଇ ଆମେ ଗର୍ବ କରୁଥିବା ବେଳେ ଡକ୍ୟୁମେଣ୍ଟେସନ୍‌ର ଅଭାବ ଯୋଗୁଁ ଦିନେ ଲୋକକଳାର ପ୍ରକୃତ ଶୈଳୀ ଲୋପ ପାଇଯିବ। ଉତ୍ତରପିଢ଼ି ଆମର ଏହି ପ୍ରାଚୁର୍ଯ୍ୟମୟ ପରମ୍ପରା ସମ୍ପର୍କରେ କିଛି ଅର୍ଦ୍ଧତଥ୍ୟ ବା ଭୁଲ୍‌ ତଥ୍ୟ ଜାଣିବାର ବି ଭୟ ରହିଥିବା ସଂସ୍କୃତିପ୍ରେମୀମାନେ ଆଶଙ୍କା କରିଛନ୍ତି।

Advertisment

ଅଧିକ ଡକ୍ୟୁମେଣ୍ଟେସନ୍ ଲୋଡ଼ା
ସମୃଦ୍ଧ ଲୋକକଳା ସମ୍ପର୍କରେ ଉତ୍ତରପିଢ଼ି ଜାଣିବେ କିପରି?

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ତଥ୍ୟ କହୁଛି, ରାଜ୍ୟରେ ପ୍ରାୟ ୪୭୧ ଲୋକକଳା ଶୈଳୀ ରହିଛି। ଏହାମଧ୍ୟରୁ ଅଧିକାଂଶ ଲୋକନୃତ୍ୟ ହୋଇଥିବା ବେଳେ ଲୋକନାଟ୍ୟ, ସଙ୍ଗୀତ ଆଦି ବହୁତ କମ୍‌। ହେଲେ ଏତେ ସଂଖ୍ୟକ ଶୈଳୀକୁ ସଂରକ୍ଷଣ କରିବା, ପ୍ରକୃତ ଶୈଳୀକୁ ଡକ୍ୟୁମେଣ୍ଟେସନ କରି ରଖିବା ଓ ଏସବୁକୁ ନେଇ ବିଧିବଦ୍ଧ ତାଲିମ ଦେବା ପାଇଁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା ହୋଇନାହିଁ। ସେହିଭଳି ଛଉ ନୃତ୍ୟର ପ୍ରଶିକ୍ଷଣ ତଥା ପ୍ରଚାରପ୍ରସାର ପାଇଁ ମୟୂରଭଞ୍ଜରେ ‘ଛଉକେନ୍ଦ୍ର’ ଖୋଲାଯାଇଥିବା ବେଳେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ତାହା ଏଯାଏ ହୋଇନାହିଁ। ଫଳରେ ସମୟ ସହ ଧୀରେ ଧୀରେ ବିଭିନ୍ନ ଲୋକନୃତ୍ୟ ଓ ଲୋକକଳା ଲୁପ୍ତ ହେବାକୁ ବସିଲାଣି।

ଏନେଇ ଲୋକକଳା ଗବେଷକ ମନ୍ମଥ ଶତପଥୀ କହିଛନ୍ତି, ମୋ ଗବେଷଣା ଅନୁଯାୟୀ ଓଡ଼ିଶାରେ ପ୍ରାୟ ୧୦୦ରୁ ଅଧିକ ଲୋକକଳା ରହିଛି। ଏହାମଧ୍ୟରେ ୭୫ଟି ଲୋକନୃତ୍ୟ ଶୈଳୀ ରହିଛି। ଏଥିସହ ୧୧ଟି ଲୋକନାଟ୍ୟ ଓ କିଛି ଲୋକସଙ୍ଗୀତ ରହିଛି। ତେବେ ଏବେ ବି ୫୦ଟି ଲୋକନୃତ୍ୟ ବଞ୍ଚି ରହିଥିବା ବେଳେ ପଶ୍ଚିମାଞ୍ଚଳର ଅଧିକାଂଶ ଲୋକନୃତ୍ୟ ଭଲ ସ୍ଥିତିରେ ରହିଛି। ଦକ୍ଷିଣାଞ୍ଚଳ ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ‌ର ଲୋକନୃତ୍ୟ ପ୍ରାୟ ମରିବାକୁ ବସିଲାଣି। ପଶ୍ଚିମାଞ୍ଚଳର ଲୋକନୃତ୍ୟଗୁଡ଼ିକରେ ସାଧାରଣତଃ ମହିଳାମାନଙ୍କ ସଂଖ୍ୟା ଅଧିକ ଥାଏ। ଏଥିସହ ଏହି ନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ମନୋରଞ୍ଜନଧର୍ମୀ। ଫଳରେ ଏବେ‌ ବି ସେହି ଅଞ୍ଚଳର ଲୋକନୃତ୍ୟ ବଞ୍ଚିରହିଛି। କିନ୍ତୁ ଦକ୍ଷିଣାଞ୍ଚଳର ଲୋକନୃତ୍ୟ ପରମ୍ପରା, ରୀତିନୀତି ଓ ଧାର୍ମିକ ଭାବନାକୁ ନେଇ ସଂଯୋଜିତ। ଏଥିସହ ଦକ୍ଷିଣାଞ୍ଚଳରେ ଏହି ଲୋକନୃତ୍ୟଗୁଡ଼ିକ ସାଧାରଣତଃ ପୁରୁଷମାନେ ପରିବେଷଣ କରିଥା’ନ୍ତି। ରୋଜଗାର ପାଇଁ ପୁରୁଷମାନେ ଅନ୍ୟ ସହରକୁ ଯିବା, ଉତ୍ତରପିଢ଼ିଙ୍କ ମଧ୍ୟରେ ଲୋକନୃତ୍ୟକୁ ନେଇ ରୁଚି ନ ରହିବା ତଥା ସେମାନେ ଆଜିକା ଦୁନିଆ ସହ ଲୋକନୃତ୍ୟ ଜରିଆରେ ନିଜକୁ ଯୋଡ଼ି ନପାରିବା ଫଳରେ ଲୋକନୃତ୍ୟ ଏବେ ଅବକ୍ଷୟମୁଖୀ ହେବାରେ ଲାଗିଛି। ତଥାପି ଗଞ୍ଜାମ ଭଳି ଦକ୍ଷିଣୀ ଜିଲ୍ଲାଗୁଡ଼ିକରେ ଏବେ ବି ପିଲାଙ୍କ ଏକୋଇଶିଆ ହେଉ ବା ଏକାଦଶାହ ସମୟରେ ବା ଅନ୍ୟ ଉତ୍ସବରେ ଲୋକନୃତ୍ୟ ପରିବେଷଣ ହୁଏ। କେବଳ ଏହି ପରମ୍ପରାରେ ହିଁ କିଛି ଲୋକକଳା, ଲୋକସଂସ୍କୃତି ବଞ୍ଚିଥିବା ଶ୍ରୀ ଶତପଥୀ କହିଛନ୍ତି।

ଲୋକକଳାକୁ ନେଇ ସରକାରୀସ୍ତରରେ ସେମିତି କିଛି ଡକ୍ୟୁମେଣ୍ଟେସନ୍‌ ହୋଇନଥିବା ବେଳେ ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ୯୨ଟି ଲୋକକଳା ଓ ଲୋକନୃତ୍ୟକୁ ନେଇ ଡକ୍ୟୁମେଣ୍ଟେସନ୍‌ ହୋଇସାରିଲାଣି। ‌ତେବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଲୋକକଳା ଗୁରୁମାନଙ୍କ ଡକ୍ୟୁମେଣ୍ଟେସନ୍‌ କରିବା ଆରମ୍ଭ କରିଛି। ‘ଆମ ସିଟି ଆମ ଗୌରବ’ ଶିରୋନାମାରେ ପ୍ରାୟ ୧୬ ଜଣ ଲୋକନୃତ୍ୟ/ଲୋକକଳା ଗୁରୁଙ୍କ ଡକ୍ୟୁମେ‌ଣ୍ଟେସନ୍‌ ହୋଇସାରିଲାଣି। ସେହିଭଳି ଏକାଡେମିର ‘ଦୀକ୍ଷାନ୍ତ’ କାର୍ଯ୍ୟକ୍ରମ ମାଧ୍ୟରେ ଲୋକନୃତ୍ୟ ସଠିକ୍‌ ଶୈଳୀକୁ ସଂରକ୍ଷିତ କରିବା ତଥା ପରପିଢ଼ିଙ୍କୁ ଶିଖାଇବାକୁ ଚେଷ୍ଟା କରାଯାଉଛି।