ଭୁବନେଶ୍ବର: କର୍କଟ ରୋଗ ମନୁଷ୍ୟର ଏକ ନମ୍ବର ଶତ୍ରୁ। ପ୍ରତ୍ୟେକ ଦିନ ଲୋକମାନେ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ଧୀରେ ଧୀରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ କର୍କଟ ରୋଗର ଚିକିତ୍ସା ପାଇଁ ଯେଉଁ ପାରମ୍ପରିକ ଚିକିତ୍ସା ପଦ୍ଧତି ଗ୍ରହଣ କରାଯାଉଛି, ତାହା ସବୁ ଲୋକଙ୍କ କ୍ଷେତ୍ରରେ ସଫଳ ହେଉନାହିଁ। ବର୍ତମାନ ସମୟରେ ପ୍ରିସିସନ୍ ଅଙ୍କୋଲୋଜି ଦ୍ବାରା କର୍କଟ ରୋଗର ଠିକ୍ ଓ ଉତ୍ତମ ଚିକିତ୍ସା କରାଯାଇପାରୁଛି। ପ୍ରିସିସନ୍ ଅଙ୍କୋଲୋଜି ହେଉଛି କର୍କଟ ରୋଗ ଚିକିତ୍ସାର ଭବିଷ୍ୟତ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।
ଇନ୍ଡିଏନ୍ଏ ପକ୍ଷରୁ ଆଜି ବିଶ୍ବ ଡିଏନ୍ଏ ଦିବସ ପାଳିତ ହୋଇଛି। ଅନ୍ଲାଇନ୍ ଜରିଆରେ ବିଶ୍ବର ଆଗଧାଡ଼ିର ବିଶେଷଜ୍ଞ/ଡାକ୍ତରମାନେ ଯୋଡ଼ି ହେବା ସହିତ ପ୍ରିସିସନ୍ ଅଙ୍କୋଲୋଜି ଉପରେ ନିଜର ମତ ରଖିଛନ୍ତି। ବିକାଶଶୀଳ ରାଷ୍ଟ୍ରରେ ପ୍ରିସିସନ୍ ଅଙ୍କୋଲୋଜି ଚିକିତ୍ସା ବେଶ୍ ଫଳପ୍ରଦ ହୋଇପାରିଛି। ଏଆଇ, କର୍କଟ ରୋଗର ଜିନୋମିକ୍ ସିକ୍ବେନ୍ସିଂ ନୂଆ ଆଶାର ସଞ୍ଚାର କରିଛି। ମାତ୍ର ଆମେରିକାରେ ଜିନୋମ ସିକ୍ବେନ୍ସିଂ ବ୍ୟୟବହୁଳ। ଏହା ଉପରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ଫଳରେ ବିଶ୍ବବ୍ୟାପୀ କର୍କଟ ରୋଗ ସଂପର୍କରେ ଅନେକ ତଥ୍ୟ ମିଳିପାରିବ।
ଭାରତ ଏ କ୍ଷେତ୍ରରେ ବିଶ୍ବକୁ ବାଟ ଦେଖିପାରିବ। ଏପରିକି ଜିନୋମ ସିକ୍ବେନ୍ସିଂର ଖର୍ଚକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହୋଇପାରିବ। ଲୋକମାନେ ପେନଡ୍ରାଇଭ୍ କିମ୍ବା କ୍ଲାଉଡ୍ରେ ନିଜର ଜିନୋମ ସିକ୍ବେନ୍ସିଂ ଡାଟା ରଖିପାରିବେ। କେବଳ ଜିନୋମିକ ସିକ୍ବେନ୍ସିଂ ନୁହେଁ, ଇମ୍ୟୁନୋ ଥେରାପି ମଧ୍ୟ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ ହୋଇପାରିବ ବୋଲି ଆଶା କରାଯାଉଥିବା କହିଛନ୍ତି ଆମେରିକାରେ ଅବସ୍ଥାପିତ ଡା. ସେନ୍ଦୁରାଇ ମଣି ଓ ଡା. ବିବେକ ସୁବେୟା।
ମୁଖ୍ୟ ଅତିଥି ଡା. ଜି.କେ ରଥ କହିଥିଲେ, ଏସିଆରେ ବିଶ୍ବର ସର୍ବାଧିକ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଭାରତରେ ପ୍ରତିବର୍ଷ ୧୪ଲକ୍ଷ ନୂଆ ରୋଗୀ ବାହାରୁଥିବା ବେଳେ ୮ଲକ୍ଷଙ୍କ ମୃତ୍ୟୁ ହେଉଛି। ଆଇଜଲରେ ସର୍ବାଧିକ ରୋଗୀ ଚିହ୍ନଟ ହେଉଛନ୍ତି। ତେବେ ଭାରତରେ ପ୍ରତିବର୍ଷ ଯେତିକି କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ତହିଁରୁ ୯୦ ପ୍ରତିଶତ ହେଉଛନ୍ତି ମୁଖ୍ୟ ଗହ୍ବର ଓ ଫୁସ୍ଫୁସ କର୍କଟ ରୋଗୀ। ଯଦିଓ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ମାତ୍ର ଆଗୁଆ ରୋଗର ଚିହ୍ନଟ ପାଇଁ ଅନେକ ଜୀବନ ବଞ୍ଚିପାରୁଛି।
ଏପରିକି ସଚେତନତା କାରଣରୁ ମୁଖ ଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଥିବା ଡା. ରଥ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ପରବର୍ତୀ ସମୟରେ ‘ପ୍ରିସିସନ ଗାଏନେ କେୟାର’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଡା. ସୁଜାତା କର ଏହାକୁ ପରିଚାଳନା କରିଥିଲେ। ଆରମ୍ଭରେ ଇନ୍ଡିଏନ୍ଏର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଡା. ବୀରେନ୍ ବାନାର୍ଜୀ ସ୍ବାଗତ ଅଭିଭାଷଣ ରଖିଥିଲେ।