ଭିିତ୍ତିଭୂମି ଅଭାବରୁ ଦୁର୍ବଳ ହେଉଛି ମଞ୍ଚ ନାଟକ

ଆଜି ବିଶ୍ବ ନାଟକ ଦିବସ

ଭୁବନେଶ୍ୱର : ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ମଞ୍ଚରୁ ଭାସି ଆସେ ଦମ୍‌ଦାର ସଂଳାପର ସ୍ବର। କେବେ ହସ ତ’ କେବେ କାନ୍ଦ। ପୁଣି କାହାଣୀ ମାଧ୍ୟମରେ କିଏ ସମାଜକୁ ସୁଧାରିବାର ବାର୍ତା ଦିଏ ତ’ କିଏ ଇତିହାସକୁ ଉନ୍ମୋଚିତ କରେ। ନିୟମିତ ବ୍ୟବଧାନରେ ଏମିତି ଛୋଟ ଛୋଟ କାହାଣୀ ମାଧ୍ୟମରେ ନାଟ୍ୟ ଓ କଳାପ୍ରେମୀଙ୍କ ମନୋରଞ୍ଜନ ଜାରି ରୁହେ। ୪୦ ମିନିଟ୍‌ର ଗୋଟିଏ ନାଟକ ଦେଖିବାକୁ ରବୀନ୍ଦ୍ର ମଣ୍ଡପଠାରେ ସବୁ ବର୍ଗର ଲୋକଙ୍କ ଭିଡ଼ ଜମେ। କିନ୍ତୁ ରାଜ୍ୟରେ ପ୍ରାୟ ୫ହଜାରରୁ ଊର୍ଧ୍ବ କଳାକାର ନାଟକ ଉପରେ ନିର୍ଭରଶୀଳ ଥିବା ବେଳେ ଓଡ଼ିଶାରେ ଆବଶ୍ୟକ ଭିତ୍ତିଭୂମିର ଅଭାବ କଳାକାରମାନଙ୍କୁ ଅସନ୍ତୁଷ୍ଟ କରୁଛି।

ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଓ ଭାସ୍କର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତ ମୁନି ନାଟକକୁ ‘ପଞ୍ଚମ ବେଦ’ ଅର୍ଥାତ୍‌ ୪ ବେଦର ସାରାଂଶର ସମାହାର ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ମଣିଷର ମନୋରଞ୍ଜନର କିଛି ମାଧ୍ୟମ ନ ଥିଲା, ସେତେବେଳେ ପ୍ରଥମେ ଲୋକକଳା ପାଲା, ଦାସକାଠିଆ, କଣ୍ଢେଇ ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଓ ରାମଲୀଲା ଆଦି ଚିତ୍ତରଞ୍ଜନର ଉତ୍କୃଷ୍ଟ ମାଧ୍ୟମ ଥିଲା। କିନ୍ତୁ ସମୟ ସହ ଏଗୁଡ଼ିକ ପୁରୁଣା ହେବାକୁ ଲାଗିଲା। ଯୁବପିଢ଼ି ମୁହଁ ମୋଡ଼ିବାକୁ ଆରମ୍ଭ କଲେ। ଦର୍ଶକଙ୍କୁ କିଛି ନିଆରା ମନୋରଞ୍ଜନ ଦେବା ପାଇଁ କିଛି ନାଟ୍ୟକାର ନିଜ ସୃଜନଶୀଳତାରେ ପୌରାଣିକ କଥାବସ୍ତୁରେ ରସ ଛିଞ୍ଚି ଦର୍ଶକଙ୍କୁ ପରସିବାକୁ ଚେଷ୍ଟା କଲେ। ଏଥିରୁ ଜନ୍ମ ନେଲା ‘ଆଧୁନିକ ଓଡ଼ିଆ ନାଟକ’। ସେବେଠାରୁ ଏହା ବେଶ୍‌ ଦର୍ଶକୀୟ ଆଦୃତି ମଧ୍ୟ ପାଇଛି। ଆଜି ବି ଓଡ଼ିଶାରେ ନାଟକର ସ୍ଥିତି ବେଶ୍‌ ସୁଦୃଢ଼ ଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଅଭାବ ନାଟକ ଓ ନାଟ୍ୟ କଳାକାରଙ୍କୁ ପଙ୍ଗୁ କରିବାକୁ ବସିଲାଣି।

ଆଶା ସଞ୍ଚାର କରିଛି ‘କଳାମଣ୍ଡଳ’
ରାଜ୍ୟର ସର୍ବବୃହତ୍‌ ଆଧୁନିକ ଅଡିଟୋରିୟମ୍‌ ‘କଳାମଣ୍ଡଳ’ ଏଯାଏଁ ପୂର୍ଣ୍ଣାଙ୍ଗ ରୂପରେଖ ପାଇପାରିନାହିଁ। ଦୀର୍ଘ ୧୭ ବର୍ଷ ହେଲା ଏହି ପ୍ରକଳ୍ପ ପାଇଁ ସରକାର ତାରିଖ ପରେ ତାରିଖ ଦେଇ ଚାଲିଛନ୍ତି। ବର୍ତମାନ ସୁଦ୍ଧା ୬୦ ପ୍ରତିଶତ କାମ ସରିଥିବା ବେଳେ ୨୦୨୧ ଡିସେମ୍ବର ସୁଦ୍ଧା ବାକି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୧୮ ଫେବ୍ରୁଆରିରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ବେଳେ ୨୦୧୯ ଜୁଲାଇ ୧୫ ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ହୋଇ ପାରିଲା ନାହିଁ। ୨୦୦୩ରେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଥିଲା। କେନ୍ଦ୍ର ସରକାର ୨ କୋଟି ୩୦ଲକ୍ଷ ଯୋଗାଇ ଦେଇଥିଲେ। ଏଥିପାଇଁ ୨୦୦୬ ମସିହାରେ ସୈନିକ ସ୍କୁଲ୍‌ ନିକଟ ଗଜପତି ନଗରରେ ୧୦ ଏକର ଜମି ଯୋଗାଇ ଦିଆଯାଇଥିଲା। ମାତ୍ର ପରେ ଜମିର ମାଲିକାନାକୁ ନେଇ ବିବାଦ ହେବାରୁ ମାମଲା କୋର୍ଟକୁ ଗଲା। ସଂସ୍କୃତି ବିଭାଗ ମାମଲା ଜିତିବା ପରେ ୯.୮୫ ଏକର ଜମିରେ କାମ ଚାଲୁ ରହିଛି। ୨୦୧୮ରେ କାମ ଆରମ୍ଭ ବେ‌ଳେ ଏହି ପ୍ରେକ୍ଷାଳୟ ପାଇଁ ‌ବ୍ୟୟ ଅଟକଳ ୫୯ କୋଟି ୮୫ ଲକ୍ଷରେ ପହଞ୍ଚିଥି‌ଲା। ୨ ହଜାର ସିଟ୍‌ କ୍ଷମତା ବିଶିଷ୍ଟ ମେଗା ଅଡିଟୋରିୟମ୍‌ ସମେତ ଲଳିତ କଳାମଣ୍ଡଳ, ସଂଗୀତ କଳାମଣ୍ଡଳ, କଳା ଗ୍ରାମ, ଐତିହ୍ୟ ପାର୍କ, କାଫେଟେରିଆ ଓ ଅତିଥି ଭବନର ନିର୍ମାଣ କାମ ଚାଲିଛି। ୬୨ ହଜାର ବର୍ଗଫୁଟ୍‌ ପରିମିତ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ପାର୍କିଂ ସୁବିଧା କରାଯିବା ନେଇ ବ୍ୟବସ୍ଥା ହେଉଛି। ତେବେ ଆସନ୍ତା ଡିସେମ୍ବର ସୁଦ୍ଧା କଳାମଣ୍ଡଳ ପୂଣ୍ଣାଙ୍ଗ ରୂପ ନେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଥିବାରୁ ନାଟ୍ୟକାରମାନେ ଟିକେ ଆଶ୍ବସ୍ତ ଅଛନ୍ତି।

ପ୍ରେକ୍ଷାଳୟର ଅଭାବ
‘ରବୀନ୍ଦ୍ର ମଣ୍ଡପ’କୁ ବାଦ୍‌ ଦେଲେ ନାଟ୍ୟ ପରିବେଷଣ ପାଇଁ ରାଜ୍ୟରେ ଭଲ ପ୍ରେକ୍ଷାଳୟଟିଏ ନାହିଁ। ଏନେଇ ନାଟ୍ୟ ପ୍ରେମୀ ଓ କଳାକାରମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପଡ଼ୋଶୀ ରାଜ୍ୟ କୋଲ୍‌କାତାରେ ୧୧ଟି ଓ ଅଗରତାଲାରେ ୯ଟି ଲେଖାଏଁ ଅଡିଟୋରିୟମ୍‌ ଥିବା ବେଳେ ଓଡ଼ିଶାରେ ସରକାରୀ ସ୍ତରରେ ନାଟକକୁ ଅବହେଳା ଦୁଃଖର ବିଷୟ ବୋଲି ସେମାନେ କହିଛନ୍ତି। କିଛି ନାଟକ ଭଞ୍ଜକଳା ମଣ୍ଡପରେ ପରିବେଷଣ କରାଯାଉଥିଲେ ମଧ୍ୟ ସେଠାରେ ଆବଶ୍ୟକ ସରଞ୍ଜାମ ନାହିଁ ଓ ବ୍ୟବସ୍ଥା ସନ୍ତୋଷଜନକ ନୁହେଁ। ଦିନକୁ ଦିନ ଏଭଳି ଦୁଃସ୍ଥିତି ଯୋଗୁଁ ନାଟ୍ୟ ପରିବେଷଣ କରିବାକୁ ଚାହୁଥିବା କିଛି ସଂସ୍ଥା ମଧ୍ୟ ପଛଘୁଞ୍ଚା ଦେଉଛନ୍ତି। ତେବେ ଭୁବନେଶ୍ବର ଉପକଣ୍ଠ ଖଣ୍ଡଗିରି, ବରମୁଣ୍ଡା, ଚନ୍ଦ୍ରଶେଖରପୁର ଓ ଉତ୍ତରା ଆଦି ସ୍ଥାନରେ ଅଡିଟୋରିୟମ୍‌ ସହ ପୁରୁଣା ବସ୍‌ଷ୍ଟାଣ୍ଡ୍‌ ନିକଟରେ ‘ଥିଏଟର୍‌ ଅଲମ୍ପିକ୍ସ’ କରାଯିବା ପାଇଁ ଓଡ଼ିଶା ନାଟ୍ୟସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

୯ ମାସ କାଳ ପ୍ରେକ୍ଷାଳୟ ବନ୍ଦ ଅଧିକ କଷ୍ଟ ଦେଲା
ପ୍ରେକ୍ଷାଳୟ ଅଭାବଠାରୁ ବଳି ଗଲା କରୋନା ମହାମାରୀ ଦୁଃଖ। ପ୍ରାୟ ବ‌‌‌‌ର୍ଷେ କାଳ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ କରୋନା କଟକଣା ମଧ୍ୟରେ ସମସ୍ତ ପ୍ରେକ୍ଷାଳୟ ବନ୍ଦ ହୋଇଯିବା ଫଳରେ ନାଟ୍ୟ କଳାକାରମାନେ ଘରେ ହାତ ବାନ୍ଧି ବସିଲେ। ସରକାରଙ୍କୁ ବହୁ ଅନୁରୋଧ ଓ ଦାବି ପରେ ଜାନୁଆରିରୁ କଟକଣା ଭିତରେ ଖୋଲିଥିଲା ପ୍ରେକ୍ଷାଳୟ। ଫେବ୍ରୁଆରିରୁ ସାରା ଓଡ଼ିଶାରେ ପ୍ରେକ୍ଷାଳୟ ଖୋଲିବା ସହ ବର୍ତ୍ତମାନ ସୁଦ୍ଧା ୨ ମାସରେ ୫୦୦ରୁ ଅଧିକ ନା‌ଟକ ପରିବେଷଣ ହୋଇସାରିଲାଣି। ଏଥିରୁ ଅନୁମାନ କରାଯାଇପାରେ ନାଟକ ଉପରେ କେତେ ଲୋକ ନିର୍ଭରଶୀଳ। ଏଣୁ ସରକାରଙ୍କୁ ଅନୁରୋଧ ଏବେ ସଂଖ୍ୟକ ଲୋକଙ୍କ ପେଟପାଟଣା କଥା ଚିନ୍ତା କରି ଅାଗକୁ ନିଷ୍ପତ୍ତି ନେ‌ବେ। ଏଥି ସହ ସରକାର ଜାରି କରୁଥିବା ସମସ୍ତ କଟକଣାକୁ ବି ଆମେ ପ୍ରାଧାନ୍ୟତାର ସହ ପାଳନ କରିବୁ।
ହରେନ୍‌ ସାହୁ, ନାଟ୍ୟ ନିର୍ଦ୍ଦେଶକ

ନାଟ୍ୟ ଜଗତରୁ ପ୍ରିୟାପ୍ରୀତି ତୋଷଣ ମନୋଭାବ ଦୂର ହେବା ଦରକାର
ନାଟ୍ୟ ଜଗତରୁ ତଥା ନାଟକର ପ୍ରତ୍ୟେକ ବିଭାଗରେ ଥିବା ଉଚ୍ଚ ପଦସ୍ଥ ବ୍ୟକ୍ତିତ୍ବମାନେ ପ୍ରିୟାପ୍ରୀତି ତୋଷଣରୁ ଦୂରେଇ ରହିଲେ ନାଟକର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ନୂଆ କଳାକାର ତଥା ପ୍ରତିଭାମାନେ ନିଜକୁ ପ୍ରତିପାଦିତ କରିବାର ସୁଯୋଗଟିଏ ପାଇବେ। ଏଥିସହ କୌଣସି କଳାକାର ଅଣଦେଖା, ଅସମ୍ମାନିତ ଓ ହତାଦାର ନ ହେଲେ ନାଟ୍ୟ ଜଗତରେ ଅଧିକ ଭାଇଚାର ଓ ସୌହାର୍ଦ୍ଦ୍ୟ ପରିବେଶ ସୃଷ୍ଟି ହୋଇପାରିବ। ଅନ୍ୟପଟେ ନା‌ଟ୍ୟ ପରିବେଷଣ ପାଇଁ ସମସ୍ତଙ୍କ ଉଦ୍ୟମରେ ସରକାରଙ୍କ ସହଭାଗିତାରେ ଯଦି କିଛି ଭଲ ପ୍ରେକ୍ଷାଳୟ ବିକଶିତ କରାଯାଇପାରିବ, ତେବେ ଓଡ଼ିଆ ନା‌ଟକ ଆ‌ହୁରି ଉନ୍ନତି କରିପାରିବ।
ଶରତ ସମ୍ରାଟ, ନାଟ୍ୟ ଅଭିନେତା

ସମ୍ବନ୍ଧିତ ଖବର