ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ, ହାରପିସ୍‌ ଭୟ‌ରେ ଅଲଗା ରହିଲା କୁନି ‘ମାମା’

ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ

ବାରଙ୍ଗ/ତ୍ରିଶୂଳିଆ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ନିରାଡ଼ମ୍ବରରେ ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଗୋଟିଏ ପଟେ କରୋନା କଟକଣା ଓ ଅନ୍ୟ ପକ୍ଷରେ ମାରାତ୍ମକ ହାରପିସ୍‌ ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ସତର୍କତା ଅବଲମ୍ବନ କରିଥିଲେ। ତେଣୁ କୁନି ହାତୀ ‘ମାମା’କୁ ଆଜି ବଡ ମାଈ ହାତୀଙ୍କଠାରୁ ଅଲଗା ରଖା ଯାଇଥିଲା।

ସାଧାରଣତଃ ୧୦ ବର୍ଷରୁ କମ୍ ବୟସର ହାତୀଙ୍କୁ ହାରପିସ୍‌ ଭୂତାଣୁ ଆକ୍ରାନ୍ତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଗତବ‌ର୍ଷ ଠିକ୍ ଏହି କାରଣରୁ ନନ୍ଦନକାନନରେ ୪ଟି ଛୁଆ ହାତୀ ଜୁଲି, ଚନ୍ଦନ, କମଳା ଓ ଗୌରୀର ଅକାଳ ମୃତ୍ୟୁ ଘଟିଥିଲା। ଗତବର୍ଷ ଅଗଷ୍ଟ ୨୬ ତାରିଖରେ ଜୁଲି, ସେପ୍ଟେମ୍ବର ୧୪ରେ ଚନ୍ଦନ, ଏହାର ୫ ଦିନ ପରେ ସେପ୍ଟେମ୍ବର ୧୯ରେ କମଳା ଓ ତା’ ପର ଦିନ ୨୦ ତାରିଖରେ ଗୌରୀର ମୃତ୍ୟୁ ହୋଇଥିଲା। ସମସ୍ତେ ହାରପିସ୍‌ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଥିଲେ। ଏଥର କର୍ତ୍ତୃପକ୍ଷଙ୍କୁ ସେହି ଡର ଘାରିଛି। ତେଣୁ ଆଜି ହସ୍ତୀ ଦିବସ ପାଳନ ଅବସରରେ ନନ୍ଦନକାନନର ସର୍ବକନିଷ୍ଠ ୩ ବର୍ଷରର ମାଈ ହାତୀ ‘ମାମା’କୁ ଉତ୍ସବସ୍ଥଳୀକୁ ଅଣା ଯାଇନଥିଲା। ବଡ଼ ହାତୀମାନଙ୍କ ପାଖକୁ ଆସିଲେ, ହାରପିସ୍‌ ଭୂତାଣୁ ସଂକ୍ରମଣ ଭୟ ଥିବାରୁ ତାକୁ ଅଲଗା ରଖାଯାଇଥିଲା। ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନନ୍ଦନକାନନର ନିର୍ଦ୍ଦେଶକ ଶଶି ପଲ୍‌ ଓ ସମ୍ମାନିତ ଅତିଥିଭାବେ ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟର ବାୟୋଲୋଜିଷ୍ଟ ଡ. ଶିବ ପ୍ରସାଦ ପରିଡ଼ା ଯୋଗ ଦେଇଥିଲେ। ପ୍ରଥମେ ଅତିଥିମାନେ କୁନି ହାତୀ ‘ମାମା’ ରହୁଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟକୁ ଯାଇ ସେଠାରେ ତାକୁ ଆଖୁ, ସେଓ, ତରଭୁଜ, କଦଳୀ ଓ ନଡ଼ିଆ ଖୁଆଇଥିଲେ। ପରେ ଅନ୍ୟ ୩ଟି ବୟସ୍କା ମାଈ ହାତୀ ପ୍ରେମା, ବାସନ୍ତୀ ଓ ହୀରାକୁ ଫଳ ଖୁଆଇଥିଲେ। ସେଠାରେ ମାହୁନ୍ତ, ହାତୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଉପରେ କରାଯାଇଥିବା ଅନଲାଇନ୍ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳ ପ୍ରକାଶ କରାଯାଇଥିଲା। କରୋନା କଟକଣା ପାଇଁ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବାରୁ ଏଥର ଏହି ଦିବସ ପାଳନରେ ପର୍ଯ୍ୟଟକ, ସ୍କୁଲ ପିଲା ଓ ନନ୍ଦନକାନନ କର୍ମଚାରୀଙ୍କ ଭିଡ଼ ନଥିଲା।

ମେଣ୍ଢାଶାଳ: ଆଜି ଚନ୍ଦକା ହସ୍ତୀ ଅଭୟାରଣ୍ୟର ଗୋଡ଼ିବାରୀ ଓ କୁମାରଖୁଣ୍ଟିରେ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇଛି। ଏଥର କିନ୍ତୁ ନନ୍ଦ ଓ ଯଶୋଦାକୁ ମୁଖ୍ୟ ଫାଟକ ନିକଟକୁ ଅଣାଯାଇନଥିଲା। ସେହିଭଳି କରୋନା କଟକଣା ପାଇଁ ଏଥର ସ୍କୁଲ ପିଲାଙ୍କୁ ଆମନ୍ତ୍ରଣ କରାଯାଇନଥିଲା। ଆଜି ସକାଳୁ ନନ୍ଦ ଓ ଯଶୋଦାର ମାହୁନ୍ତ ରାଜକିଶୋର ବେହେରା ଓ ବାସୁ ମାତାରି ସେମାନଙ୍କୁ ଗାଧୋଇ ଦେଇଥିଲେ। କୁମାରଖୁଣ୍ଟିରେ ଥିବା ଶଙ୍କରକୁ ତା’ର ମାହୁନ୍ତ ସୀତାରାମ ସାମରାଇ, ନରେନ୍ଦ୍ର କୁଲ୍ଡଡି ଓ ରବି ସାନ୍ ଗାଧୋଇ ଦେଇଥିଲେ। ଚନ୍ଦକା ଡିଭିଜନ ଅଧିକାରୀ କେଦାର ନାଥ ସ୍ୱାଇଁ, ଏସିଏଫ୍‌ ହିମାଂଶୁ ଶେଖର ମହାନ୍ତି, ହଳଦିଆ ଏସିଏଫ୍‌ ରମାକାନ୍ତ ନାୟକ ଓ ଫରେଷ୍ଟର ରାଜକୁମାର ସେଠୀ, ପରିକ୍ଷୀତ ଭୂୟାଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହାତୀ ମାନଙ୍କୁ ନଡ଼ିଆ, ଆଖୁ, କଦଳୀ ଭଳି ଖାଦ୍ୟ ଦିଆଯାଇଥିଲା।

ସମ୍ବନ୍ଧିତ ଖବର