ନନ୍ଦନକାନନରେ ବିଶ୍ବ ହସ୍ତୀ ଦିବସ: ଫଳ ଖାଇ ମନୋରଂଜନ କଲେ ପ୍ରେମା, ବାସନ୍ତୀ, ହୀରା

ବାରଙ୍ଗ/ତ୍ରିଶୁଳିଆ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଏନେଇ ପ୍ରାଣୀ ଉଦ୍ୟାନ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଡ଼ ହାତୀ ପ୍ରେମା, ବାସନ୍ତୀ ଓ ହୀରା ଏଥିରେ ଯୋଗ ଦେଇ ବିଭିନ୍ନ ପ୍ରକାରର ଫଳ ଖାଇବା ସହ ଦର୍ଶକଙ୍କ ମନୋରଂଜନ କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପିସିସିଏଫ୍ ଶଶି ପଲ୍ ମୁଖ୍ୟଅତିଥି ଭାବେ ଯୋଗ‌ଦେଇ ହାତୀ ସୁରକ୍ଷା ଉପରେ କହିଥିଲେ।

ସେ ହାତୀମାନଙ୍କୁ ଫଳ ଖୁଆଇବା ସହ ମାହୁନ୍ତମାନଙ୍କୁ ଉପହାର ଦେଇଥିଲେ। ଏହି ଅବସରରେ ପର୍ଯ୍ୟଟକମାନଙ୍କ ଲାଗି ଦସ୍ତଖତ ଅଭିଯାନ, ପ୍ରଶ୍ନୋତ୍ତର, ଚିତ୍ରାଙ୍କନ ଓ ସ୍ଲୋଗାନ୍‌ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପର୍ଯ୍ୟଟକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଅନଲାଇନ୍‌‌‌ରେ ଅନୁଷ୍ଠିତ ହାତୀମାନଙ୍କ ସୁରକ୍ଷା ଉପରେ ଚିତ୍ରାଙ୍କନ ଓ ସ୍ଲୋଗାନ୍‌ ପ୍ରତିଯୋଗିତାରେ ବହୁ ପ୍ରାଣୀପ୍ରେମୀ ଅଂଶଗ୍ରହଣ କରିଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା ଧନ୍ୟବାଦ ଦେଇଥି‌ଲେ। ଶିକ୍ଷା ବିଭାଗ ଅଧିକାରୀ ମିଲନ ପଣ୍ଡା, ରାଜେଶ ମହାପାତ୍ର ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର