ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ବ ପରିବେଶ ଦିବସ: ସାଇକେଲ୍‌ ରାଲିରେ ସଚେତନତା

ଚନ୍ଦ୍ରଶେଖରପୁର: ବିଶ୍ବ ପରିବେଶ ଦିବସ ଅବସରରେ ଏକ ସାଇକେଲ୍‌ ରାଲି ଅନୁଷ୍ଠିତ ହୋଇଛି। ସକାଳୁ ନନ୍ଦନକାନନ ମୁଖ୍ୟ ଫାଟକ ସମ୍ମୁଖରେ ଏକ ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପରିବେଶ ସୁରକ୍ଷାଭିତ୍ତିକ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ବାର୍ତା ଦେଇଥିଲେ। ଏହାପରେ ଏକ ସାଇକେଲ୍‌ ରାଲି ନନ୍ଦନକାନନରୁ ରଘୁନାଥପୁରସ୍ଥିତ ସାଇ ଜରାନିବାସ ପର୍ଯ୍ୟନ୍ତ ଯାଇଥିଲା। ପ୍ଲା କାର୍ଡ, ସ୍ଲୋଗାନ ମାଧ୍ୟମରେ ବୃକ୍ଷରୋପଣ, ଜଳ ଓ ବାୟୁ ପ୍ରଦୂଷଣ ରୋକିବା, ପ୍ଲାଷ୍ଟିକ ବର୍ଜନ କରିବାକୁ ସମସ୍ତଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ନିହାରକାନ୍ତ ପଢ଼ିହାରୀ, ସମା‌ଜସେବୀ ପଞ୍ଚାନନ ରାଉତ, ନନ୍ଦନକାନନ ସୁରକ୍ଷା ପରିଷଦ ସଭାପତି ବିଜୟ କୁମାର ପାତ୍ର ପ୍ରମୁଖ ଯୋଗଦେଇ ବନ୍ୟଜନ୍ତୁଙ୍କ ଉପରେ ପରିବେଶର କୁପ୍ରଭାବ ଓ ଜଳବାୟୁ ପରିବର୍ତନ ଉପରେ ଗୁରୁତ୍ବାରୋପ କରିଥିଲେ। ଏଲ୍‌ପି ଟିମ୍‌ ସଭାପତି ରମାକାନ୍ତ ସ୍ବାଇଁ, ସମ୍ପାଦକ ଅନିରୁଦ୍ଧ ଲେଙ୍କା, ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକ ସଂଗ୍ରାମ କେଶରୀ ରାଉତ, ଜୟ ଜଗନ୍ନାଥ ପରିବାରର ମୁଖ୍ୟ ଭଗବାନ ଦାସ, ଦିଲ୍ଲୀପ କୁମାର ସାହୁ, କେ ଦିଲ୍ଲୀପ କୁମାର ରାଓ, ଆଇନଜୀବୀ ସମ‌ରେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନ କରିବା ସହ ବୃକ୍ଷରୋଷଣ କରିଥିଲେ।

‘ଜଗା ପାଇଁ ଗଛଟିଏ ଲଗା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ବିଶ୍ବ ପରିବେଶ ଦିବସ ଅବସରରେ ଆଜି କଳିଙ୍ଗ ଭାରତୀ ଫାଉଣ୍ଡେସନ୍ ପକ୍ଷରୁ ଜୟଦେବ ଭବନଠାରେ ‘ଜଗା ପାଇଁ ଗଛଟିଏ ଲଗା’ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶାର ସାଇରାମ ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ଯୋଗଦେଇ କହିଲେ ଯେ, ବିଶ୍ବରେ ଶାନ୍ତି ପାଇଁ ହିଂସା ବଦଳରେ ଅହିଂସା ପଥ ହିଁ ସର୍ବଶ୍ରେଷ୍ଠ ମାର୍ଗ। ତେଣୁ ଯେକୌଣସି ସମସ୍ୟା ଘଟୁଛି, ସମାଧାନ ପାଇଁ ଅହିଂସା ରାସ୍ତା ଆପଣାଇବା ଉଚିତ୍ ବୋଲି ମତ ଦେଇଥିଲେ। ଶୁଭାରମ୍ଭ ଅବସରରେ ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ, ବୃକ୍ଷପ୍ରେମୀ, ପରିବେଶବିତ୍‌, କଳାକାର, କ୍ରୀଡ଼ାବିତ୍, ରାଜନେତା, ପ୍ରଶାସକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାରା ବଣ୍ଟନ ସହ ବୃକ୍ଷରୋପଣ କରାଯାଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଯେଉଁଭଳି ଭାବରେ ବୃକ୍ଷ ଛେଦନ ଚାଲିଛି, ତାର ଭୟଙ୍କର ପରିଣତି ଜୀବଜଗତ ଉପରେ ପଡ଼ୁଛି। ଯାହାଫଳରେ ବିଶ୍ବରେ ତାପମାତ୍ରା ବୃଦ୍ଧି ପାଉଛି। ଯଦି ଆମେ ବିକାଶ ନାଁରେ ଗଛ କାଟି ଚାଲିବା ତେବେ ଆମ ପରବର୍ତ୍ତୀ ପିଢିକୁ ଅମ୍ଳଜାନ ମିଳିବ ନାହିଁ। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ୍ ପକ୍ଷରୁ ବହୁଳ ମାତ୍ରାରେ ବୃକ୍ଷରୋପଣ କରି ଏକ ସୁସ୍ଥ, ସବୁଜ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରଦୂଷଣ ନିୟନ୍ତ୍ରଣ ବର୍ତ୍ତମାନ ସମୟର ଆହ୍ବାନ

ଉତ୍ତମ ପରିବେଶ ପାଇଁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ସମୟର ମୁଖ୍ୟ ଆହ୍ବାନ ପାଲଟିଛି। ଏଥିପାଇଁ ପ୍ରକୃତି ସହ ଐକ୍ୟବଦ୍ଧତା ଜରୁରୀ ବୋଲି ବିଶ୍ବ ପରିବେଶ ଦିବସ ଅବସରରେ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି। ପୂର୍ବାହ୍ନରେ ଶ୍ରୀ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ଓ ବରିଷ୍ଠ ଅଧିକାରୀଙ୍କ ସହିତ କର୍ମଚାରୀମାନେ ରେଳପଥ ମୁଖ୍ୟାଳୟଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲଟିୟର ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। ଏହି ଅବସରରେ ରେଳପଥ କର୍ମଚାରୀ ଓ ସେମାନଙ୍କ ପିଲାମାନେ ପ୍ରଭାତଫେରି, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇ ସାଧାରଣ ଲୋକମାନଙ୍କୁ ପରିବେଶ ସମ୍ବନ୍ଧରେ ସଚେତନତାର ବାର୍ତ୍ତା ଦେଇ ସଚେତନ କରାଇଥିଲେ।

ପିଲା ଶିଖିଲେ ମଞ୍ଜି ଗୋଲା ପ୍ରସ୍ତୁତି

ବିଶ୍ବ ପରିବେଶ ଦିବସ ଉପଲକ୍ଷେ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆର୍ଯ୍ୟାଭଟ୍ଟ ଫାଉଣ୍ଡେସନ, ଓପନ ଲର୍ଣ୍ଣିଙ୍ଗ ସିଷ୍ଟମ, ରୁଚିକା ଫାଉଣ୍ଡେସନ ଓ ଓଡ଼ିଶା ନଦୀ ସୁରକ୍ଷା ସମିତିର ମିଳିତ ସହଯୋଗରେ ବିଭିନ୍ନ କିସମର ମଞ୍ଜି ଗୋଲା ତିଆରି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁରର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ରାଉତ ଓ ତାଙ୍କର ସାଥୀମାନେ ମଞ୍ଜି ଗୋଲା ତିଆରି ପ୍ରଶିକ୍ଷଣ ଦେବା ସହ ୫ ହଜାର ଗୋଲା ସୃଷ୍ଟି କରିଛନ୍ତି। ବର୍ଷା ଋତୁ ଆରମ୍ଭ ହେବା ପରେ ଏହି ମଞ୍ଜି ଗୋଲାକୁ ଚନ୍ଦକା ଜଙ୍ଗଲରେ ଫିଙ୍ଗାଯିବାକୁ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ପରିବେଶ ତଥା ପ୍ରକୃତି ପ୍ରେମୀ, ବୁଦ୍ଧିଜୀବୀ ଯୋଗଦେଇ ଭୁବନେଶ୍ୱରକୁ ତଥା ଓଡ଼ିଶାକୁ ସବୁଜ ସୁନ୍ଦର କରିବାକୁ ସଚେତନତା ବାର୍ତ୍ତା ଦେଇଥିଲେ। ଭୁବନେଶ୍ୱରର ସବୁଜ ପରିବେଶ ସନ୍ତୁଳନ ପାଇଁ ଏହା ଜରୁରୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ ଓ ପ୍ରବକ୍ତା ପ୍ରସନ୍ନ ବିଷୋୟୀ, ଅସିତ ଷଡ଼ଙ୍ଗୀ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର