ଭୁବନେଶ୍ୱର : ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ‘ଫନି’ ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ଓ କଟକର ସବୁଜିମାକୁ ଉଜାଡ଼ି ଦେଇଛି। ବାତ୍ୟା ଲକ୍ଷ ଲକ୍ଷ ଗଛ ଭାଙ୍ଗି ଭୁବନେଶ୍ୱରର ସବୁଜବଳୟକୁ ପାଖାପାଖି ୨୦ବର୍ଷ ପଛକୁ ଠେଲି ଦେଇଛି। ତେବେ ବିପୁଳ ସଂଖ୍ୟାରେ ଗଛ ନଷ୍ଟ ହେବାର କୁ-ପ୍ରଭାବ ରାଜଧାନୀବାସୀ ଅନୁଭବ କରିବା ଆରମ୍ଭ କଲେଣି। ଚଳିତ ଗ୍ରୀଷ୍ମଋତୁରେ ଅସହ୍ୟ ଗରମ ଓ ଗୁଳୁଗୁଳି ରାଜଧାନୀବାସୀଙ୍କୁ ଅତିଷ୍ଠ କରୁଥିବା ବେଳେ ପୂର୍ବବର୍ଷ ତୁଳନାରେ ଏବର୍ଷ କାଳବୈଶା‌ଖୀ ମଧ୍ୟ ସେତେ ଦେଖାଯାଉନାହିଁ। ଫଳରେ ରାଜଧାନୀର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ପରିସ୍ଥିତି ଏହାଠାରୁ ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ପରିବେଶବିତ୍‌ଙ୍କ ମତରେ ଏଭଳି ସ୍ଥିତିରୁ ନିସ୍ତାର ପାଇବା ପାଇଁ ଏକମାତ୍ର ବାଟ ହେଉଛି ବ୍ୟାପକ ପରିମାଣରେ ଗଛ ଲଗାଇବା। ପ୍ରତ୍ୟେକ ବ୍ୟକ୍ତି ସଚେତନ ହୋଇ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେଲେ, ଆଗାମୀ କିଛି ବର୍ଷ ମଧ୍ୟରେ ରାଜଧାନୀ ପୂର୍ବ ଅବସ୍ଥାରେ ଫେରି ଆସିପାରିବ। ବୁଧବାର ରାଜଧାନୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ଏପରି ମତ ରଖି ରାଜଧାନୀବାସୀଙ୍କୁ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି।

Advertisment

କେବଳ ଗଛ ହିଁ ବିକଳ୍ପ

କିଟ୍ ଓ କିସ୍: କିଟ୍ ଓ କିସ୍ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ପରିବେଶ ଦିବସ। ଏହି ଅବସରରେ ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଶତାଧିକ ବୃକ୍ଷରୋପଣ କରିଥିଲେ। ସଂସ୍ଥାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ବାବଧାନରେ କିଟ୍ ଓ କିସ୍ ପରିସରରେ ଲକ୍ଷାଧିକ ବୃକ୍ଷରୋପଣ କରାଯାଇଥିଲା। ଚଳିତ ବର୍ଷ ଫନି ବାତ୍ୟା ଯୋଗୁଁ ଅନୁଷ୍ଠାନରେ ବ୍ୟାପକ ସଂଖ୍ୟାରେ ସବୁଜିମା ନଷ୍ଟ ହୋଇଛି। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ରୋପଣ କରାଯାଇଥିବା ସବୁ ଗଛ ବାତ୍ୟାରେ ନଷ୍ଟ ହୋଇଯାଇଛି। ଶ୍ରୀ ସାମନ୍ତଙ୍କ ତତ୍ତ୍ବାବଧାନରେ ଗୋଟିଏ ବର୍ଷରେ ସମାନ ପରିମାଣର ଗଛ କିଟ୍‌ ଓ କିସ୍‌ର ବିଭିନ୍ନ କ୍ୟାମ୍ପସରେ ଲଗାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

କଳିଙ୍ଗ ସ‌ିନେ ଆର୍ଟସ୍: ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ପକ୍ଷରୁ ଆଜି ସ୍ଥାନୀୟ ଶିଶୁ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଳିଙ୍ଗ ଆକ୍ଟିଭିଟି ସେଣ୍ଟରର ଛାତ୍ରଛାତ୍ରୀମାନେ ‘ବୃକ୍ଷ ଲଗାଅ ଜୀବନ ବଞ୍ଚାଅ’ ପ୍ଲାକାର୍ଡ ଧରି ସଚେତନ କରିଥିଲେ। ଅନୁଷ୍ଠାନର ସୁଶାନ୍ତ ଦାସ, ବିଦ୍ୟାଧର ବାରିକ, ପ୍ରିୟାଂଶି ପ୍ରତ୍ୟାଶା ଓ ଅନ୍ୟ ସେବକ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପିଲାମାନେ ବିଭିନ୍ନ ପ୍ରକାର ବୃକ୍ଷ ପୋଷାକ ପିନ୍ଧି ଘରକୁ ଘର ବୁଲି ଚାରା ବାଣ୍ଟିଥିଲେ। ଏହାଛଡ଼ା କଳାରାହାଙ୍ଗ ମହିମା ଆଶ୍ରମ ଚାରା ପ୍ରଦାନ କରିଥିଲେ।

ଶ୍ରୀୟା ମହିଳା ସଂଗଠନ: କଳିଙ୍ଗନଗର କେ-୭ ସ୍ଥିତ ଶ୍ରୀୟ ମହିଳା ସଂଗଠନ ପକ୍ଷରୁ ବିଶ୍ବ ପରିବେଶ ଦିବସ ସ୍ଥାନୀୟ ବିଶ୍ବନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାନେତ୍ରୀ ମଞ୍ଜୁଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପରିବେଶବିତ୍‌ ତଥା ୟୁଥ୍‌ ଫର ସେବାର ସଂଯୋଜକ ସୁବ୍ରତ ପଟ୍ଟନାୟକ, ପରିବେଶବିତ୍‌ ସବିତାରାଣୀ ପୃଷ୍ଟି, ସଂଗଠନର ଉପ-ସଭାନେତ୍ରୀ ମମତା ଦାଶ ଓ ସଂପାଦିକା ଗୀତାଞ୍ଜଳି ସାମଲ ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷା ସଂପର୍କରେ ବକ୍ତବ୍ୟ ରଖିଥିଲେ। ସଂଗଠନ ପକ୍ଷରୁ ନିରଜା କାନୁନ୍‌ଗୋ, ଗୀତା କାନୁନ୍‌ଗୋ, ସନ୍ଧ୍ୟା ସ୍ବାଇଁ ପ୍ରମୁଖ ପରିବେଶ ଦିବସ ପାଳନର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପକ୍ଷୀମାନଙ୍କ ପାନୀୟ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ଗଛରେ ଜଳ ପାତ୍ର ଟଙ୍ଗା ଯାଇଥିଲା।

ନାଲ୍‌କୋ: ନାଲ୍‌କୋ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାଲ୍‌କୋର ବିଭିନ୍ନ କାର୍ଯ୍ୟାଳୟ ଓ ନାଲ୍‌କୋ ନଗରରେ ବ୍ୟାପକ ପରିମାଣରେ ବୃକ୍ଷ‌ରୋପଣ କରାଯାଇଛି। ନାଲ୍‌କୋର ସିଏମ୍‌ଡି ତପନ କୁମାର ଚାନ୍ଦ ଏଥିରେ ଯୋଗଦେଇ ପ୍ରଥମେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନିର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ପରିବାରବର୍ଗ ସାମିଲ ହୋଇ ଫଳ ଓ ଔଷଧୀୟ ବୃକ୍ଷରୋପଣ କରିଥିଲେ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଲଗାଯିବ ୫ଲକ୍ଷ ଗଛ: ଅପରାଜିତା
ବିଶ୍ବ ପରିବେଶ ଦିବସ ଅବସରରେ ପ୍ରେରଣା ଓ ସିଟି କ୍ଲବ ପକ୍ଷରୁ ନୂଆପଲ୍ଲୀଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଲେ, ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଏଥିରେ ସାଧାରଣ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଚଳିତ ବର୍ଷ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୫ ଲକ୍ଷ ବୃକ୍ଷରୋପଣ କରାଯିବ ବୋଲି ସେ କହିଥିଲେ। ଶ୍ରୀମତୀ ଷଡ଼ଙ୍ଗୀ ପ୍ରଥମେ ବୃକ୍ଷରୋପଣ କରିଥିଲେ। ପ୍ରେରଣାର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ‌ରେ ସିଟି କ୍ଲବର ସଂପାଦକ ପ୍ରଦୀପ ରାଉତରାୟ, କବି ମଙ୍ଗଳା ପ୍ରସାଦ ପ୍ରଧାନ, ପ୍ରକାଶକ ଅମରେନ୍ଦ୍ର ମହାପାତ୍ର, ସମାଜସେବୀ ପବିତ୍ର ରାଉତରାୟ, ବିଶ୍ୱମୋହନ ପଟ୍ଟନାୟକ, ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ ଓ ଆଶିଷ ବରିସଲ ପ୍ରମୁଖ ବକ୍ତବ୍ୟରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସମୂହ ବୃକ୍ଷରୋପଣ କରାଯିବା ସହ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

‘ବିଟ୍‌ ଏୟାର୍‌ ପଲ୍ୟୁସନ୍‌’ କର୍ମଶାଳା
ସିଆଇଆଇ, ଇଣ୍ତିଆନ୍‌ ଗ୍ରିନ୍‌ ବିଲ୍‌ଡିଂ କାଉନ୍‌ସିଲ୍‌, ଓଡ଼ିଶା ଏନ୍‌ଭାରନ୍‌ମେଣ୍ଟାଲ୍‌ ସୋସାଇଟି ଓ ଓଡ଼ିଶା ସ୍ପର୍ଶ ଫାଉଣ୍ତେସନ୍‌ର ମିଳିତ ଉଦ୍ୟମରେ ‘ବିଟ୍‌ ଏୟାର ପଲ୍ୟୁସନ୍‌’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଯୋଗଦେଇ ନବୀକରଣୀୟ ଶକ୍ତିର ଉତ୍ସ ଓ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ସିଷ୍ଟମର ସୁଧାର କରି ଏନର୍ଜିର ଆବଶ୍ୟକତାକୁ ପୂରଣ କରିବା ଉପରେ ଜୋର୍‌ ଦେଇଥିଲେ। ସିଆଇଆଇର ଆଇଜିବିସି ଭୁବନେଶ୍ବର ଚାପ୍ଟର୍‌ର ଅଧ୍ୟକ୍ଷ ମନୋଜ କର, ଜେକେ ପେପରସ୍‌ର ଜିଏମ୍‌(ସିଏସ୍‌ଆର‌୍‌) ପ୍ୟାନେଲ ପ୍ରଫୁଲ୍ଲ ଧଳ, ଆଇଆଇଟି ଭୁବନେଶ୍ବରର ପ୍ରଫେସର ୟୁ.ସି. ମହାନ୍ତି, ଷ୍ଟେଟ୍‌ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ପି କେ ପୃଷ୍ଟି, ଓଡ଼ିଶା ପରିବେଶ ସମିତିର ପ୍ରେସିଡେଣ୍ଟ ଏସ୍‌ ଏନ୍‌ ପାତ୍ର, ସଚିବ ଜେ କେ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

ରୋଟାରି କ୍ଲବ ପକ୍ଷରୁ ପଥପ୍ରାନ୍ତ ନାଟକ
ରୋଟାରି କ୍ଲବ ପକ୍ଷରୁ ଆଜି ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି। ମାଷ୍ଟର କ୍ୟାଣ୍ଟିନ୍‌ଠାରେ ଆୟୋଜିତ ଏକ ସଭାରେ ପରିବେଶକୁ ନେଇ ସଚେତନତା ସୃଷ୍ଟି କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା। ଏହାସହ ପରିବେଶକୁ ସୁରକ୍ଷିତ ରଖିବା ନେଇ ସଚେତନତା ସୃଷ୍ଟି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜନ କରାଯାଇଥିଲା। କ୍ଲବ ସଭାପତି ଯଜ୍ଞାଶିଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ସଭାରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ସାଧାରଣ ଲୋକ ଯୋଗ ଦେଇଥିଲେ। ବାତ୍ୟା ‘ଫନି’ ପ୍ରଭାବରେ ରାଜଧାନୀରେ ବହୁ ଗଛ ନଷ୍ଟ ହୋଇଯାଇଥିବାରୁ ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଖାଲି ଚାରା ପୋତି ଦେଲେ ହେବ ନାହିଁ, ବଡ଼ ହେବା ପର୍ଯ୍ୟନ୍ତ ତାହାର ଯତ୍ନ ନେବା ଜରୁରୀ ବୋଲି ସଭାପତି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।