ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଜୟଦେବ ଭବନ ପରସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମୁଖ୍ୟ ଅତିଥି, ବିଶ୍ୱବ୍ୟାଙ୍କର ପରାମର୍ଶଦାତା କୁମରବର ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବିକାଶ ନାଁରେ ବର୍ତ୍ତମାନ ଜଙ୍ଗଲ କ୍ଷୟ କରାଯାଉଛି। ଏଥିଯୋଗୁଁ ଜଳବାୟୁରେ ଅସାମାନ୍ୟ ପରିବର୍ତ୍ତନ ଦେଖାଦେଉଛି ଓ ଜୀବଜଗତ ଏହାର ଫଳ ଭୋଗୁଛି ବୋଲି ଅତିଥିମାନେ କହିଥିଲେ।

Advertisment

ଅନୁଷ୍ଠାନର କମାଣ୍ଡର୍‌-ଇନ୍‌-ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମେଜର କଳ୍ପନା ଦାସ, ପ୍ରକାଶ ଶ୍ରୀଚନ୍ଦନ, ରୋଟାରିଆନ୍‌ ବିଶ୍ୱମୋହନ ପଟ୍ଟନାୟକ, ବିଶ୍ୱ ଓଡ଼ିଆ ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଅଶୋକ ସୁନ୍ଦରାୟ, ରାଜ୍ୟ ସାମ୍ୱାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ଜୟଶ୍ରୀ ମଲ୍ଲିକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏନ୍‌ଏସ୍‌ଏସ୍‌ ସଂଯୋଜକ ବିଶ୍ୱଜିତ ଜେନା, ପ୍ରତିମା ଭ୍ରମରବର ରାୟ, ଅରୁନ୍ଧତୀ ସୁନ୍ଦରାୟ ପ୍ରମୁଖ ଯୋଗଦେଇ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିଶ୍ୱର ସବୁଜ ରାଜ୍ୟରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଂଗିରା ଗ୍ରାମର ରମେଶ ଚନ୍ଦ୍ର ମିଶ୍ରଙ୍କୁ ‘ପ୍ରେରଣା ଗ୍ରିନ୍‌ ମ୍ୟାନ୍‌ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବୃକ୍ଷପ୍ରେମୀ, ଗ୍ରୀନ୍‌ ଆର୍ମି କ୍ୟାପଟେନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।