ଭୁବନେଶ୍ୱର: ବର୍ଜ୍ୟ ବି ବ୍ୟବହାର ହୋଇପାରେ। ପରିବେଶର ସୁରକ୍ଷା ପାଇଁ ବର୍ଜ୍ୟ ପଦାର୍ଥର ସୁବିନିଯୋଗ ଆବଶ୍ୟକ। ଏଭଳି ଏକ ବାର୍ତ୍ତା ନେଇ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ପରିସରରେ କାଠ, କାଗଜ, କାର୍ଡବୋର୍ଡ ତଥା ଅନ୍ୟ ଜୈବ ବିଘଟନଶୀଳ ସାମଗ୍ରୀରେ ପ୍ରସ୍ତୁତ କୁମ୍ଭୀର ‘କାଳିଆ’ ଲୋକାର୍ପିତ ହୋଇଯାଇଛି। ଏହାର ଲମ୍ୱ ୨୩ ଫୁଟ୍ ଓ ଓଜନ ୮୦ କିଲୋଗ୍ରାମ ରହିଛି। ଏହି ମଡେଲଟି ଭିତରକନିକା ଜାତୀୟ ଉଦ୍ୟାନରେ ଅଭିଲିଖନ ହୋଇଥିବା ସବୁଠାରୁ ବଡ଼ କୁମ୍ଭୀର ଉଦ୍ଦେଶ୍ୟରେ ହୋଇଛି। ଏହାକୁ ନିର୍ମାଣ କରିବାକୁ ପ୍ରାୟ ତିନି ବର୍ଷର ଲାଗିଛି ବୋଲି କର୍ତ୍ତୃପକ୍ଷ କହିଥିଲେ। ଏହି କୁମ୍ଭୀରର ସମୂର୍ଣ୍ଣ ବିବରଣୀ ଥିବା ଏକ ତଥ୍ୟ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା।
ଜୈବ ବିଘଟନଶୀଳ ସାମଗ୍ରୀରେ ପ୍ରସ୍ତୁତ ‘କୁମ୍ଭୀର’ ଲୋକାର୍ପିତ
ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ପରିସରରେ ‘ବିଶ୍ୱ ପରିବେଶ ଦିବସ’ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓୟୁଏଟି ସମ୍ପ୍ରସାରିତ ଶିକ୍ଷାର ଡିନ୍ ପ୍ରସନଜିତ ମିଶ୍ର, ଅବସରପ୍ରାପ୍ତ ବନ ଅଧିକାରୀ ସୁରେଶ କୁମାର ମିଶ୍ର, ଓଡ଼ିଶା ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ, ଅବସରପ୍ରାପ୍ତ ବନ ଅଧିକାରୀ ଅରୁଣ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଜନ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ସଂଗ୍ରହାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିବେଶ ପ୍ରଦୂଷଣ ଉପରେ ଏକ ବୃତ୍ତଚିତ୍ର, ନାଟକ, ସଙ୍ଗୀତ ମଧ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ସଂଗ୍ରହାଳୟର ବୈଜ୍ଞାନିକ ଗୌରବ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୁଭୋଜିତ ପଣ୍ଡା ଧନ୍ୟବାଦ ଦେଇଥିଲେ।