ଭୁବନେଶ୍ବର: ଓଡ଼ିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ତରଫରୁ ଆଜି ରେଡକ୍ରସ୍‌ ଭବନରେ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କହିଲେ, ରାଜ୍ୟରେ ୧୪ ଲକ୍ଷ ଲୋକ ମାଛ ଚାଷ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ରାଜ୍ୟ ସରକାର ମାଛ ଚାଷୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ‘ମୋ ପୋଖରୀ’ ଯୋଜନାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ତେବେ ବେଆଇନ ମାଛ ଉତ୍ପାଦନ ପାଇଁ ଅନେକ ମାଛ ବଂଶ ଲୋପ ପାଇବା‌ରେ ଲାଗିଛି, ଯାହାକି ଚିନ୍ତାର ବିଷୟ। ମାଛ ଉତ୍ପାଦନରେ ସମନ୍ବୟ ରଖିବା ଆବଶ୍ୟକ। ରାଜ୍ୟରେ ଶୁଖୁଆର ବେଶ୍‌ ଚାହିଦା ରହିଛି। କିନ୍ତୁ ଏହାର କୌଣସି ଡାଟା ବେସ୍ ପ୍ରସ୍ତୁତ ହୋଇନାହିଁ। ସେହିପରି ମତ୍ସ୍ୟଜୀବୀମାନଙ୍କର ରହିଥିବା ସମସ୍ୟା ସଂପର୍କରେ ଆସନ୍ତା ୧୫ଦିନ ଭିତରେ ଆଲୋଚନା କରାଯିବ ବୋଲି ଶ୍ରୀ ସ୍ବାଇଁ କହିଥିଲେ।

Advertisment

ୟୁନିୟନ୍‌ର ସାଧାରଣ ସଂପାଦକ କେ.ଆଲୟା ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସୂଚନା ପ୍ରଦାନ କରିଥିଲେ। କୃ‌ଷି ସମବାୟ ଢାଞ୍ଚାରେ ମତ୍ସ୍ୟ ସମବାୟ ସମିତି ଗଠନ କରିବା, ମତ୍ସ୍ୟଜୀବୀ ଓ ସେମାନଙ୍କ ବୀମା, ମତ୍ସ୍ୟ ଅବତରଣ ପୋତି ହୋଇଯାଇ ଥିବାରୁ ପ୍ରତିବର୍ଷ ଏପ୍ରିଲ ଓ ମେ’ ମାସରେ ଏହାକୁ ଖୋଳିବା, କଇଁଛ ସୁରକ୍ଷା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମତ୍ସ୍ୟଜୀବୀଙ୍କ ସହାୟତା ରାଶି ୧୦ ହଜାର ଟଙ୍କାକୁ ବୃଦ୍ଧି, ଉଚ୍ଚଶିକ୍ଷା ଲାଗି ମତ୍ସ୍ୟଜୀବୀଙ୍କୁ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ଭଳି ଦାବି ଉପସ୍ଥାପନ କରିଥିଲେ। ୟୁନିୟନର ସଭାପତି ପ୍ରସନ୍ନ ବେହେରାଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନୋଜ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।