ଭୁବନେଶ୍ବର: କେତେବେଳେ ବ୍ରହ୍ମପୁର ତ କେତେବେଳେ ଜଗତପୁର। କେତେବେଳେ ବାଲେଶ୍ବର ତ କେତେବେଳେ ଭୁବନେଶ୍ବର। ଖାଦ୍ୟ ଅପମିଶ୍ରଣକାରୀ ଓଡ଼ିଶାର କେଉଁ ଅଞ୍ଚଳକୁ ଛାଡ଼ି ନାହାନ୍ତି। ନାମୀଦାମୀ କମ୍ପାନିକୁ ନକଲ କରି ବିଷ ବିକିଛନ୍ତି ଓ ଏବେ ବି ବିକୁଛନ୍ତି। ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ମଝିରେ ମଝିରେ ନକଲି ସାମଗ୍ରୀ ଜବତ କରୁଛନ୍ତି। ହେଲେ ଏସବୁ ଧର୍ମକୁ ଆଖିଠାର ଭଳି। ସେଥିରେ କିଛି ଲାଭ ହେଉନି। ସବୁକିଛି ପୂର୍ବବତ୍ ଚାଲୁଛି। ଆବଶ୍ୟକ ପରିମାଣରେ କର୍ମଚାରୀ ନାହାନ୍ତି କହି ବିଭାଗ ଖସି ଯାଉଛି। ସମାନ୍ତରାଳ ଭାବେ ବିଷାକ୍ତ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି ତଥା ସେ ମନ୍ଥର-ବିଷ ଯୋଗୁ ହେଉଥିବା ରୋଗ ବଢ଼ି ଚାଲିଛି। ଖାଦ୍ୟ ନିରାପତ୍ତା ଯେମିତି ଚୁଲିକୁ ଯାଇଛି। ଆସନ୍ତାକାଲି ସାରା ବିଶ୍ବରେ ଖାଦ୍ୟ ସୁରକ୍ଷା ଦିବସ ପାଳନ ହେବାକୁ ଯାଉଛି। ୧୯୯୬ର ବିଶ୍ବ ଖାଦ୍ୟ ସମ୍ମିଳନୀ ଉପରେ ପର୍ଯ୍ୟବସିତ ଖାଦ୍ୟ ସୁରକ୍ଷାର ବିଭିନ୍ନ ଲକ୍ଷ୍ୟ ଭିତରୁ ଗୋଟିଏ ହେଉଛି ସବୁ ଲୋକଙ୍କ ପାଇଁ ଉପଯୁକ୍ତ ମାତ୍ରାରେ ସୁରକ୍ଷିତ ଓ ସ୍ବାସ୍ଥ୍ୟକର ଖାଦ୍ୟ ନିଶ୍ଚିତ କରିବା। ତେବେ ବିଭିନ୍ନ କାରଣରୁ ଦେଶର ଅଧିକାଂଶ ସହରରେ ଏହାର କାଣିଚାଏ ପ୍ରଭାବ ଏଯାଏ ନାହିଁ। ଭୁବନେଶ୍ବରରେ ମଧ୍ୟ। ୨୦୧୮ରୁ ବିଶ୍ବ ଏହି ଦିବସ ପାଳନ କରୁଥିଲେ ମଧ୍ୟ ଖାଦ୍ୟ ନିରାପତ୍ତାକୁ ନେଇ ସଚେତନତା ସୃଷ୍ଟି ହୋଇ ପାରିନାହିଁ କି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କମିନାହିଁ, ବରଂ ବଢ଼ି ଚାଲିଛି।
ଲୋକଙ୍କ ପରିବର୍ତ୍ତିତ ଜୀବନ ଶୈଳୀରେ ଫାଷ୍ଟ ଫୁଡ୍ ଯୋଡି ହେଇଯିବା ପରେ ଯେମିତି ଏଭଳି ନକଲି ଖାଦ୍ୟ ସାମଗ୍ରୀରେ ଯେମିତି ଡେଣା ଲାଗିଯାଇଛି। ଏବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ରାଜଧାନୀ ଭୁବନେଶ୍ବର ବଜାରରେ ଅପମିଶ୍ରିତ ଖାଦ୍ୟର ପରିମାଣ ବଢ଼ି ଚାଲିଛି। ନକଲି ସସ୍, ତେଲ, ଘିଅ, କ୍ଷୀର, ଦହି, ମୃଦୁପାନୀୟ, ସୋଡ଼ା ସମେତ ପାଣି ବୋତଲର କାରଖାନା ସହରର ବିଭିନ୍ନ ସ୍ଥାନରେ ଧରା ପଡୁଛି ନିୟମିତ ଭାବେ। ମିଠା ଭଳି ଖାଦ୍ୟସାମଗ୍ରୀରେ ଏକ୍ସପାରି ତାରିଖ ରହିବାର ନିୟମ କରା ଯାଇଛି, ତାହାକୁ କାଁ ଭାଁ କୋତୋଟି ଦୋକାନକୁ ଛାଡ଼ିଦେଲେ ଅଧିକାଂଶ ଦୋକାନ ପାଳନ କରୁନାହାନ୍ତି। ଏମିତିକି ବରମୁଣ୍ଡା ବସ୍ଷ୍ଟାଣ୍ଡ (ବିଏସ୍ଏବିଟି)ରେ ଥିବା ସରକାରୀ ଦୋକାନରେ ମଧ୍ୟ ମିଠା ଓ କେକ୍ ଉପରେ ଏକ୍ସପାରି ତାରିଖ ଲେଖାଯାଉ ନାହିଁ। ସହରରେ ସ୍ପଷ୍ଟ ଏକ୍ସପାରି ତାରିଖ ଉଲ୍ଲେଖ ନଥିବା ପାଉଁରୁଟି, କ୍ଷୀର, ଅଟା ଆଦି ଉଲ୍ଲେଖନୀୟ ମାତ୍ରାରେ ବିକ୍ରି ହେଉଛି। ରାଜଧାନୀର ଅଧିକାଂଶ ଅଞ୍ଚଳରେ ରାସ୍ତାକଡ଼ ଠେଲା, ଛୋଟ ଦୋକାନ ଆଦିରେ ଖୋଲାଖୋଲି ଭାବେ ଦୂଷିତ ଖାଦ୍ୟ ବିକ୍ରି ହେଉଛି। ପନିପରିବା ଓ ଫଳ ଆଦିରେ ରଙ୍ଗ ଦିଆ ଯାଉଥିବା ଅଭିଯୋଗ ମଧ୍ୟ ନିୟମିତ ଉଠୁଛି। ଏ ନେଇ ଏମ୍ସ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଅନୁପମ୍ ଦେ’ କହନ୍ତି, ‘‘ଖାଇବାରେ ଅପମିଶ୍ରଣ, ବାସିଖାଦ୍ୟ ଅପରିଷ୍କାର ଓ ଖରାପ ପରିବେଶରେ ତିଆରି ହୋଇଥିବା ଖାଦ୍ୟ ବର୍ତ୍ତମାନ ବଢ଼ିଯିବାରୁ ଫୁଡ୍ ପଏଜନ୍ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏଭଳି ଖାଦ୍ୟ ଖାଇଲେ ମୁଖ୍ୟତଃ ୬ ଘଣ୍ଟା ଭିତରେ ବାନ୍ତି, ପତଳା ଝାଡ଼ା, ପେଟକାଟିବା ଓ ଜ୍ବର ହୁଏ। ଏହି କାରଣରୁ ଟାଇଫଏଡ୍, ହେପାଟାଇଟିସ୍, ଜଣ୍ଡିସ୍ ଭଳି ରୋଗ ହୁଏ। ଅଧିକ ସମୟ ପର୍ଯ୍ୟନ୍ତ ଏହା ଭଲ ନ ହେଲେ ଜୀବନ ପ୍ରତି ବିପଦ ସୃଷ୍ଟିହୁଏ। ଏଣୁ ଖାଦ୍ୟ ପ୍ରସ୍ତୁତି ଓ ଖାଇବା ସ୍ଥାନଗୁଡ଼ିକର ସ୍ବଚ୍ଛତା ନିଶ୍ଚିତ କରିବାସହିତ ଖାଦ୍ୟ ଅପମିଶ୍ରଣ ଉପରେ କଡ଼ା ନଜର ରଖାଯିବା ଉଚିତ।’’
ଏଣେ ଖାଦ୍ୟ ସୁରକ୍ଷା ଆଇନ-୨୦୦୬ ମୁତାବକ, ପ୍ରତି ୧ଲକ୍ଷ ଜନସଂଖ୍ୟାରେ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବା କଥା। ଭୁବନେଶ୍ବରର ଜନସଂଖ୍ୟା ୧୫ ଲକ୍ଷ ଛୁଇଁବାକୁ ବସିଥିବାରୁ ଅତିକମ୍ରେ ୧୪ ଜଣ ଅଧିକାରୀ ଏଠାରେ ଖାଦ୍ୟର ମାନ ଯାଞ୍ଚ ଓ ସଚେତନତା ପାଇଁ ରହିବା କଥା। ହେଲେ ସେଥିପାଇଁ ଅଛନ୍ତି ମାତ୍ର ୭ ଜଣ କର୍ମଚାରୀ। ଆବଶ୍ୟକ ସଂଖ୍ୟାରେ ଅଧିକାରୀ ନଥିବାକୁ ଆଳକରି ବିଭାଗ ପ୍ରାୟତଃ କିଛି ହିଁ କରୁନାହିଁ। ଯଦି ଅଭିଯୋଗ ହେଉଛି ବା ଉପରୁ ଚାପ ଆସୁଛି, ତେବେ କିଛିଦିନ ଚଢ଼ଉ ପରେ ପୁଣି ଥମି ଯାଉଛି। ସେଥିରେ ପୁଣି ପାତରଅନ୍ତରର ମଧ୍ୟ ଅଭିଯୋଗ ଅଛି। ପ୍ରତ୍ୟେକ ଦିନ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ନୂଆ ନୂଆ ବେପାରୀ ଉଭା ହେଉଥିବା ବେଳେ ବିଏମ୍ସି ନିୟମିତ ନୂଆ ନୂଆ ‘ଖାଓ ଗଳି’କୁ ସ୍ବୀକୃତି ଦେଉଛି। କିନ୍ତୁ ସେଠାରେ କିଭଳି ନକଲି ଖାଦ୍ୟ ବା ବାସି ଖାଦ୍ୟ ବିକ୍ରି ହେବନାହିଁ, ତାହାର କୌଣସି ବ୍ୟବସ୍ଥା କରୁନାହିଁ। ଏ ନେଇ ଜଣେ ଖାଦ୍ୟସୁରକ୍ଷା ଅଧିକାରୀ କହିଲେ, ‘‘ପ୍ରତିବର୍ଷ ଭୁବନେଶ୍ବରରେ ଗୋଟିଏ ଜୋନ୍ରୁ ୮୦୦ରୁ ୧୦୦୦ ପର୍ଯ୍ୟନ୍ତ ଖାଦ୍ୟ ନମୁନା ସଂଗ୍ରହ କରାଯାଉଛି। ତନ୍ମଧ୍ୟରୁ ଯେଉଁ ଖାଦ୍ୟରେ ସମସ୍ୟା ରହୁଛି, ତା’କୁ ନୋଟିସ୍ ଦେବା ସହିତ କୋର୍ଟ ଚାଲାଣ କରାଯାଉଛି। ଏଥିପାଇଁ ସଚେତନତା ମଧ୍ୟ କରାଯାଉଛି। ଲୋକେ ସଚେତନ ହୋଇ ଖରାପ ଖାଦ୍ୟ ପରିବେଷଣ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଅଭିଯୋଗ କଲେ, ଏ ସମସ୍ୟାର ସମାଧାନ ଆହୁରି ସରଳ ହୁଅନ୍ତା।’’