ଭୁବନେଶ୍ବର: ଆସନ୍ତାକାଲି(ରବିବାର)ଠାରୁ ଗ୍ଲୁକୋମା ବା କଳା ମୋତିଆବିନ୍ଦୁ ସପ୍ତାହ ପାଳନ ଆରମ୍ଭ ହେଉଛି। ଗ୍ଲୁକୋମା ଦ୍ବାରା ଦୃଷ୍ଟିହୀନତାର ଭୟବହତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ ମାସ ଦ୍ବିତୀୟ ସପ୍ତାହକୁ ବିଶ୍ବ ଗ୍ଲୁକୋମା ସପ୍ତାହ ଭାବେ ପାଳନ କରାଯାଇଥାଏ। ଗ୍ଲୁକୋମାର ଲକ୍ଷଣ ଜାଣିବା ପାଇଁ ଚକ୍ଷୁର ନିୟମିତ ପରୀକ୍ଷା ଓ ଚିକିତ୍ସା ଉପରେ ଲୋକମାନେ ଗୁରୁତ୍ବ ଦେବା ଜରୁରୀ। ରାଜ୍ୟ ଚକ୍ଷୁ ଚିକିତ୍ସକ ସଂଘର ସଂପାଦକ ତଥା ବରିଷ୍ଠ ଡାକ୍ତର ସବ୍ୟସାଚୀ ପଟ୍ଟନାୟକଙ୍କ କହିବାନୁଯାୟୀ, ଗ୍ଲୁକୋମା ହେଉଛି ଅନେକ ପ୍ରକାର ଚକ୍ଷୁରୋଗର ସମାହାର। ଯେଉଁଥିରେ ଚକ୍ଷୁରୁ ମସ୍ତିଷ୍କକୁ ଯାଇଥିବା ସ୍ନାୟୁଟି ଆସ୍ତେ ଆସ୍ତେ ଶୁଖି ଯାଇଥାଏ। ଫଳରେ ରୋଗୀର ଚାରିପାଖରୁ ଦୃଷ୍ଟିଶକ୍ତି ଆସ୍ତେ ଆସ୍ତେ କମିଯିବା ସହ ରୋଗୀଟି ସଂପୂର୍ଣ୍ଣ ଦୃଷ୍ଟିହୀନ ହୋଇଯାଏ। ଏହି ରୋଗର ପ୍ରଭାବ ଅତି ଧୀରେଧୀରେ ହୋଇଥାଏ ଓ ସମ୍ମୁଖ ଭାଗର ଦୃଷ୍ଟି ଠିକ୍ ଥାଇ ଚାରିପାଖରୁ ଦୃଷ୍ଟିହାନୀ ହେବା କାରଣରୁ ଏହାର ପ୍ରଭାବ ଅନେକବର୍ଷ ପର୍ଯ୍ୟନ୍ତ ଜଣାପଡ଼ି ନଥାଏ। ଦୃଷ୍ଟିଗତ ଅସୁବିଧା ଅନୁଭବ କଲା ବେଳକୁ ରୋଗ ଅଧିକ କ୍ଷତି କରିସାରିଥାଏ। ଏଥିରେ ଯେଉଁ ଦୃଷ୍ଟି ହାନି ଘଟିଥାଏ, ତାହା ଚିକିତ୍ସା ଦ୍ବାରା ଆଉ ଫେରିବା ସମ୍ଭବ ହୋଇନଥାଏ। ପରିସଂଖ୍ୟାନ ଅନୁସାରେ ଦେଶରେ ପ୍ରାୟ ୧କୋଟି ୨୦ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ମଧୁମେହ ଓ ସମୀପ ଦୃଷ୍ଟି ଦୋଷ ଥିବା ଲୋକଙ୍କର ଗ୍ଲୁକୋମା ହେବାର ଅଧିକ ଆଶଙ୍କା ରହିଥାଏ। ଏହାସହ ଦୀର୍ଘଦିନ ଧରି କୌଣସି ପ୍ରକାର ଷ୍ଟେରୋଏଡ୍ ଜାତୀୟ ଔଷଧ ବ୍ୟବହାର କଲେ ଏହି ରୋଗର ଆଶଙ୍କା ବଢ଼ି ଯାଇଥାଏ। ଚିକିତ୍ସା ଦ୍ବାରା ଏହାକୁ ସଂପୂର୍ଣ୍ଣ ଠିକ୍ କରିବା ସମ୍ଭବ ନ ଥିଲେ ହେଁ ଚିକିତ୍ସକଙ୍କ ଦ୍ବାରା ଚକ୍ଷୁର ପରୀକ୍ଷା କରାଇ ଚକ୍ଷୁର ଅନ୍ତଃଚାପ କମାଇବା ଦ୍ବାରା ଦୃଷ୍ଟି ହାନି ଆଶଙ୍କା ଏଡ଼ାଇବା ସମ୍ଭବ ହୋଇଥାଏ। କିଛି କ୍ଷେତ୍ରରେ ଲେଜର୍ ଚିକିତ୍ସା କିମ୍ବା ଶଲ୍ୟ ଚିକିତ୍ସାର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ଗ୍ଲୁକୋମା ରୋଗଜନିତ ଦୃଷ୍ଟିହୀନତାରୁ ରକ୍ଷା ପାଇବାକୁ ହେଲେ ୪୦ବର୍ଷରୁ ଅଧିକ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଥରେ ଚକ୍ଷୁ ପରୀକ୍ଷା କରାଇବା ଆବଶ୍ୟକ। ଏହି ରୋଗର ଚିକିତ୍ସା ବ୍ୟୟବହୁଳ ହୋଇଥିବା ଓ ଚିକିତ୍ସାର କୌଣସି ସୁପ୍ରଭାବ ରୋଗୀଙ୍କୁ ଅନୁଭୂତ ନ ହେବା କାରଣୁ ଅନେକ ସମୟରେ ରୋଗୀ ଅଧାରୁ ଚିକିତ୍ସା ବନ୍ଦ କରି ଦେଇଥାନ୍ତି। ଫଳରେ ପରେ ସେମାନେ ଦୃଷ୍ଟିହୀନତାର ଶିକାର ହୋଇଥାନ୍ତି ବୋଲି ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି।
ଆଜିଠାରୁ ବିଶ୍ବ ଗ୍ଲୁକୋମା ସପ୍ତାହ: ୪୦ବର୍ଷ ପରେ ଚକ୍ଷୁ ପରୀକ୍ଷା କରାଇବା ଜରୁରୀ
/sambad/media/post_attachments/wp-content/uploads/2019/03/Untitled-16-8.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)