କ୍ୟାପିଟାଲ ହସ୍ପିଟାଲରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିମ୍, ସିଭିଲ ଓ ଇଲେକ୍ଟ୍ରିକାଲ ବିଭାଗର ୪ କୋଟିରୁ ଅଧିକ କ୍ଷତି
ଏ ଯାଏଁ ରିପୋର୍ଟ ଦେଇନି ଜନସ୍ବାସ୍ଥ୍ୟ ବିଭାଗ, ଅଧିକ ଆମ୍ବୁଲାନ୍ସ ଓ ଡିଜି ସେଟ୍ ପାଇଁ ପ୍ରସ୍ତାବ
ଭୁବନେଶ୍ବର: ‘ଫନି’ ବାତ୍ୟାରେ କ୍ଷୟକ୍ଷତି ସହାୟତା ପାଇଁ ଆସିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍ ଓ ବିଶ୍ବବ୍ୟାଙ୍କର ପ୍ରତିନିଧି ଦଳ ସ୍ବାସ୍ଥ୍ୟ ବିଭାଗର ହୋଇଥିବା କ୍ଷୟକ୍ଷତି ଆକଳନ କରୁଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୨ ଜଣିଆ ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଛନ୍ତି। ଏହାସହିତ ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଅଧିକ ଆମ୍ବୁଲାନ୍ସ ସହିତ ବିଦ୍ୟୁତ ସରାବରାହ ବଜାୟ ରଖିବା ଲାଗି ଅଧିକ ଡିଜି ସେଟ୍ ପାଇଁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୨ ଜଣିଆ ପ୍ରତିନିଧି ଦଳ ଆଜି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କ୍ଷୟକ୍ଷତି ସଂପର୍କରେ ହସ୍ପିଟାଲ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ଡା. ଗୌରବ ଗୁପ୍ତା ଓ ଡା. ସନ୍ତୋଷ ସାହୁ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏସ୍ଏନ୍ସିୟୁ ପରିଦର୍ଶନ କରିଥିଲେ। ବାତ୍ୟାରେ ଶିଶୁ ୱାର୍ଡରେ ଥିବା ଏସ୍ଏନ୍ସିୟୁର ସିଲିଂ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଏସ୍ଏନ୍ସିୟୁରେ ଉପସ୍ଥିତ ଥବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ବୁଦ୍ଧି ଖଟାଇ ନବଜାତଙ୍କ ଜୀବନ ରକ୍ଷା କରିଥିଲେ। ଯାହାଫଳରେ କିଛିଦିନ ପାଇଁ ଏସ୍ଏନ୍ସିୟୁ ଚାଲି ପାରି ନ ଥିଲା। ପରବର୍ତୀ ସମୟରେ ଏସ୍ଏନ୍ସିୟୁର ସିଲିଂକୁ ସଜଡ଼ା ଯିବା ସହିତ ଏହା କାର୍ଯ୍ୟକ୍ଷମ ହୋଇଥିଲା। ସେହିପରି ହସ୍ପିଟାଲର କେତେକ ଏ.ସି ପବନରେ ଖସି ପଡ଼ିଥିବା ବେଳେ ଝରକା ନଷ୍ଟ ହୋଇଥିଲା। ଏହାସହ ହସ୍ପିଟାଲର ପାଣି ଟାଙ୍କି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ବାତ୍ୟାର କିଛିଦିନ ପାଇଁ ହସ୍ପିଟାଲରେ ପାଣି ସମସ୍ୟା ଦେଖା ଦେଇଥିଲା।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆର ଏଣ୍ଡ ବି, ଇଲେକ୍ଟ୍ରିକାଲ ଓ ଜନସ୍ବାସ୍ଥ୍ୟ ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଛି। ଆର ଏଣ୍ଡ ବି ଓ ଇଲେକ୍ଟ୍ରିକାଲ ବିଭାଗର ୪ କୋଟି ୬୯ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ତେବେ ଜନସ୍ବାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିନାହିଁ। ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ମିଶିବା ପରେ କ୍ଷୟକ୍ଷତିର ମାତ୍ରା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଅପରପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳଙ୍କୁ ମଧ୍ୟ ୪ଟି ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ହସ୍ପିଟାଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ୨ଟି ଏଏଲ୍ଏସ୍ ଓ ୨ଟି ବିଏଲଏସ୍ ଆମ୍ବୁଲାନ୍ସ ପାଇଁ ପ୍ରସ୍ତାବ ରହିଛି। ହସ୍ପିଟାଲରେ ଏବେ ଦୁଇଟି ଆମ୍ବୁଲାନ୍ସ ରହିଥିବା ବେଳେ ଗୋଟିଏ ଆମ୍ବୁଲାନ୍ସ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ରେ ଯାଉଥିବା ବେଳେ ଅନ୍ୟଟି ପ୍ରାୟ ସମୟରେ ଭିଆଇପିଙ୍କ ଡ୍ୟୁଟିରେ ରହୁଛି। ଯାହାଫଳରେ ଗୋଟିଏ ଆମ୍ବୁଲାନ୍ସ ଜରିଆରେ ରୋଗୀ ସେବା କଷ୍ଟକର ହୋଇ ପଡ଼ୁଛି। କିଛିମାସ ତଳେ ହସ୍ପିଟାଲର ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହାଫଳରେ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ନେଇ ସମସ୍ୟା ଉପୁଜୁଥିଲା।
ଅପରପକ୍ଷରେ ହସ୍ପିଟାଲରେ ଏବେ ୬ଟି ଡିଜି ସେଟ୍ ରହିଛି। ବାତ୍ୟା ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ ଡିଜି ସେଟ୍ ଯୋଗାଇ ଦିଆଯାଇଥିଲେ ହେଁ, ତାହା ଯଥେଷ୍ଟ ହୋଇ ନ ଥିଲା। ବେଶ୍ କିଛିଦିନ ପାଇଁ ହସ୍ପିଟାଲରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ଅନ୍ଧାରରେ ବିତାଇବାକୁ ପଡ଼ିଥିଲା। ତେଣୁ ହସ୍ପିଟାଲକୁ ଅଧିକ ଡିଜି ସେଟ୍ ଦିଆଗଲେ ଆଗାମୀ ଦିନରେ ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ହସ୍ପିଟାଲ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସୂଚନା ଦିଆଯାଇଛି।