ଭୁବନେଶ୍ବର: ଆଜି ହେଉଛି ବିଶ୍ବ ସ୍ବାସ୍ଥ୍ୟ ଦିବସ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଚଳିତ ବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସର ବିଷୟବସ୍ତୁ ରହିଛି ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ’। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପରିବେଶ ସମିତି (ଓଇଏସ୍) ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଡାକ୍ତର ଡା. ନିରୋଜ ମିଶ୍ର ଯୋଗଦେଇ କହିଲେ, ବର୍ତ୍ତମାନ ବିଭିନ୍ନ ସଂକ୍ରାମକ, ଅଣ-ସଂକ୍ରାମକ ରୋଗର ବର୍ଦ୍ଧିତ ଘଟଣାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରତ୍ୟେକ ବକ୍ତି ନିଜର ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ବିଷୟରେ ସଚେତନ ହେବା ଜରୁରି। ଶାରୀରିକ ସୁସ୍ଥତା ବଜାୟ ରଖିବା ପାଇଁ ନିଜ ଖାଦ୍ୟପେୟକୁ ନିୟନ୍ତ୍ରଣ କରିବା, ମନକୁ ଚାପମୁକ୍ତ ରଖିବା ଓ ପରିବେଶର ଗୁଣବତ୍ତା ନିଶ୍ଚିତ କରିବାକୁ ଆମର ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ହେବ।
ଓଇଏସ୍ ଉପ-ସଭାପତି ବିଜୟ କେତନ ପଟ୍ଟନାୟକ ସ୍ବାସ୍ଥ୍ୟ ସମସ୍ୟା ଉପରେ ସଚେତନତା ସୃଷ୍ଟି, ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ଓ ପରିବେଶର ସୁରକ୍ଷା ପାଇଁ ଉପଯୁକ୍ତ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଂଯୋଜକ ସୌମେନ ଘୋଷ କହିଲେ, ପ୍ରକୃତିର ଉପଯୁକ୍ତ ଯତ୍ନ ନେଲେ ମାନବଜାତି ପୃଥିବୀ ପୃଷ୍ଠରେ ତିଷ୍ଠି ରହିବ। ଅନ୍ୟଥା ବିଲୁପ୍ତ ହେବା ସହଜ ହେବ ବୋଲି ସେ କହିଥିଲେ।
ପ୍ରାରମ୍ଭରେ ଓଇଏସ୍ ସଂପାଦକ ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉପ-ସଭାପତି ଲାଲା ଏ.କେ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ କେନ୍ଦ୍ରର ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ଶତପଥୀ ଧନ୍ୟବାଦ ଦେଇଥିଲେ। ମନୋରଂଜନ ମିଶ୍ର ଓ ରବୀନ୍ଦ୍ର କୁମାର ମାରାଣ୍ଡି ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିଥିଲେ। ସ୍ବପ୍ନା ବେହେରା ଓ ପ୍ରଫେସର ନିମାଇଁ ଚରଣ ମିଶ୍ର ବିଚାରପତି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ବହୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।