‘ବିଶ୍ବ ହୃତ୍‌ପିଣ୍ଡ ଦିବସ’ : ୨୯ରେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ୫ କିମି ଦୌଡ଼

ମୁଁ ଆସୁଛି, ଆପଣ ବି ଆସନ୍ତୁ...

ଭୁବନେଶ୍ବର: ଆସନ୍ତା ୨୯ତାରିଖ ବିଶ୍ବ ହୃତ୍‌ପିଣ୍ଡ ଦିବସ ଉପଲକ୍ଷେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ୫ କିମି ବ୍ୟାପୀ ଗଣଦୌଡ଼ ଅନୁଷ୍ଠିତ ହେବ। ଏହି ଗଣଦୌଡ଼ ସକାଳ ୬ଟାରେ ବି.ଆର୍‌ ଲାଇଫ୍ କଳିଙ୍ଗ ହସ୍ପିଟାଲରୁ ଆରମ୍ଭ ହୋଇ ପୁଣି ସେହିଠାରେ ହିଁ ଶେଷ ହେବ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଗଣଦୌଡ଼ରେ ଯୋଗ ଦେବା ପାଇଁ ଆଗୁଆ ପହଞ୍ଚିଥିବା ଅଂଶଗ୍ରହଣକାରୀମାନଙ୍କୁ ଉପହାର ପ୍ରଦାନର ମଧ୍ୟ ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମର ରେଡିଓ ପାର୍ଟନର୍‌ ରେଡିଓ ଚକଲେଟ୍‌ ରହିଛି।

ସମସ୍ତଙ୍କ ପାଇଁ ସୁସ୍ଥ ଶରୀର ଜରୁରି। ନିଜ ପାଇଁ ଦିନକୁ ଅତି କମ୍‌ରେ ଅଧ ଘଣ୍ଟା ସମୟ ବାହାର କରି ବ୍ୟାୟାମ ପାଇଁ ଦିଅନ୍ତୁ। ଯୋଗ କରନ୍ତୁ ଏବଂ ଫିଟ୍‌ ରୁହନ୍ତୁ। କେବଳ ଉପାଦେୟ ଖାଦ୍ୟ ନୁହେଁ, ଏହା ସାଙ୍ଗକୁ ପ୍ରତିଦିନ ଶାରୀରିକ ଭାବେ କିଛି କସରତ କରନ୍ତୁ। ଏହାଦ୍ବାରା ଆପଣ ନିଜେ ସୁସ୍ଥ ଓ ନିରୋଗ ରହିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେବେ। ବଡି ଫିଟ୍‌ନେସ୍‌ କେବଳ ଜଣେ ଖେଳାଳି କି କଳାକାର ପାଇଁ ନୁହେଁ; ଏହା ଚାଷୀ, ଶ୍ରମିକ ଓ ସୈନିକମାନଙ୍କ ପାଇଁ ମଧ୍ୟ ଜରୁରି। ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ‘ବିଶ୍ବ ହୃତ୍‌ପିଣ୍ଡ ଦିବସ’ ଅବସରରେ ‘ସମ୍ବାଦ’ ପକ୍ଷରୁ ଆଗାମୀ ୨୯ ତାରିଖ ରବିବାର ଦିନ ଆୟୋଜିତ ହେଉଥିବା ଗଣଦୌଡ଼‌ରେ ମୁଁ ଯୋଗ ଦେଉଛି। ଆପଣମାନେ ବି ଆସନ୍ତୁ ଏବଂ ସାମିଲ ହୁଅନ୍ତୁ।
ଅଭିଷେକ ରଥ, ଅଭିନେତା

ଆମେ ଉପଯୁକ୍ତ ଖାଦ୍ୟ ନ ଖାଇବା ଓ କସରତ ନ କରିବା ଦ୍ବାରା ବିଭିନ୍ନ ରୋଗରେ ପୀଡ଼ିତ ହୋଇଥାଉ। ଆଜିକାଲି ପ୍ରାୟ ଖାଦ୍ୟ ପଦାର୍ଥରେ ଭେଜାଲ ସାମଗ୍ରୀ ରହୁଛି। ଆମେ ଶରୀର ଉପଯୋଗୀ ଖା‌ଦ୍ୟ ପାଇପାରୁନାହୁଁ। ଶରୀରକୁ ସୁସ୍ଥ ରଖିବା ପାଇଁ ଅନ୍ତତଃ ପ୍ରତ୍ୟହ ସକାଳ ଓ ସଞ୍ଜରେ ବ୍ୟାୟାମ କରିବା ଜରୁରି। ଆମର ଏ ବ୍ୟସ୍ତବିବ୍ରତ ଜୀବନଧାରା ଭିତରେ ଆମେ କ୍ଲାନ୍ତ ହୋଇପଡ଼ୁଛୁ। ଶରୀର ଅସୁସ୍ଥ ରହିବା ଦ୍ବାରା ମାନସିକ ଭାରସାମ୍ୟ ହରାଇ ବସୁଛୁ। ଏଣୁ ସୁସ୍ଥ ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ଓ ନିୟମିତ ବ୍ୟାୟାମ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ‘ବିଶ୍ବ ହୃତ୍‌ପିଣ୍ଡ ଦିବସ’ ଅବସରରେ ‘ସମ୍ବାଦ’ ପକ୍ଷରୁ ଆଗାମୀ ୨୯ ତାରିଖ ରବିବାର ଦିନ ଆୟୋଜିତ ହେଉଥିବା ଗଣଦୌଡ଼ରେ ମୁଁ ଯୋଗ ଦେଉଛି। ଆପଣମାନେ ବି ଆସନ୍ତୁ ଏବଂ ସାମିଲ ହୁଅନ୍ତୁ।
ରାଗିଣୀ ସୂତ୍ରଧର, ଅଭିନେତ୍ରୀ

ସମ୍ବନ୍ଧିତ ଖବର