ଭୁବନେଶ୍ୱର : ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ଏତେ ଐତିହ୍ୟ ପରିପୂର୍ଣ୍ଣ ହୋଇ ରହିଛି ଯାହା ଅନ୍ୟ କୌଣସି ସଭ୍ୟତାରେ ନାହିଁ। ପୁରୁଣା କୀର୍ତ୍ତିରାଜିକୁ କିପରି ସଂରକ୍ଷଣ କରାଯିବ ସେଥିପ୍ରତି ଆଗାମୀ ପିଢ଼ି ସଜାଗ ରହିବା ଦରକାର। କାରଣ ନିଜ ସଂସ୍କୃତି ଓ ପରମ୍ପରାକୁ ଦୂରେଇଦେବା ଏହା କୌଣସି ବ୍ୟକ୍ତି କିମ୍ବା ଜାତି ପାଇଁ ଶୁଭଙ୍କର ନୁହେଁ। ସ୍ଥାନୀୟ ଅଭିଲେଖାଗାରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ବିଶ୍ୱ ଐତିହ୍ୟ ଦିବସ’ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏହା କହିଥିଲେ। ‘ହେରିଟେଜ୍ ଫର୍ ଜେନେରେସନ୍’ ଉପରେ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, କଳାକୃତି ଗୋଟେ ବାସ୍ତବତା। ତେଣୁ ଏହାର ଅବକ୍ଷୟ ଅବସମ୍ଭାବୀ। ତେଣୁ କଳାର କୌଶଳକୁ ସଂରକ୍ଷଣ କରି ରଖିପାରିଲେ ଏହା ଆଗାମୀ ପିଢ଼ିର କାମରେ ଆସିପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସଭାର ମୁଖ୍ୟବକ୍ତା ଭାବେ ଯୋଗଦେଇ ଗବେଷକ ଡ.କୈଳାସ ଚନ୍ଦ୍ର ଦାଶ କହିଛନ୍ତି, ଐତିହ୍ୟ ଶବ୍ଦର ଅର୍ଥ ହେଉଛି ଏକ ପ୍ରକାର ପ୍ରମାଣ ଯାହା ବର୍ତମାନକୁ ନେଇ ଭବିଷ୍ୟତ ସହ ଯୋଡ଼ିଥାଏ। ପୁରାତନ ମନ୍ଦିର, ଦୁର୍ଗ, ପୁଷ୍କରିଣୀ ଆଦି ଆମର ଐତିହ୍ୟ। ତେଣୁ ଏହାର ସୁରକ୍ଷା ସହ ଏଥି ସହିତ ସଂଲଗ୍ନ ସମସ୍ତ ପୁସ୍ତକ, ସରକାରୀ ବିବରଣୀ, ଖବରକାଗଜକୁ ସଂଗୃହୀତ କରି ଅଭିଲେଖାଗାରରେ ରଖିବା ଦରକାର। ଏବଂ ଏଥିରେ ସ୍ଥାନ ପାଉଥିିବା ଉପାଦାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏହାର ଡିଜିଟାଇଜ୍ର ରୂପ ଦିଆଯାଉ। କାରଣ ଅଭିଲେଖାଗାରର ସମସ୍ତ ତଥ୍ୟ ହେଉଛି ଆମର ଐତିହ୍ୟ। ତେଣୁ ଐତିହ୍ୟ ସୁରକ୍ଷା ପାଇଁ ଅଭିଲେଖାଗାରର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ଦାଶ ମତବ୍ୟକ୍ତ କରିଥିଲେ। ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ସୂଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରି ବିଶ୍ୱ ଐତିହ୍ୟ ଦିବସ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।