ବିଶ୍ବ ଐତିହ୍ୟ ସହର ଭୁବନେଶ୍ବରକୁ ଭୁଲିଗଲେ

ଭୁବନେଶ୍ବରକୁ ଦେଖି ଅହମ୍ମଦାବାଦ, ମୁମ୍ବାଇ, ଜୟପୁର ପାଇଗଲେ

ଭୁବନେଶ୍ବର ବିଶ୍ବ ଐତିହ୍ୟ ସହର ସାମୟିକ ତାଲିକାରେ ସାମିଲ୍‌ ହେବା ପରେ ଏହାକୁ ଦେଖି ଅହମ୍ମଦାବାଦ ସହର ବିଶ୍ବ ଐତିହ୍ୟ ସହର ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଆଉ ସମସ୍ତ ପ୍ରକାରର ଡକୁମେଣ୍ଟ, ଡୋସିଅର୍‌, ଭିତ୍ତିଭୂମି ସଜାଡ଼ି ୨୦୧୭ରେ ବିଶ୍ବ ଐତିହ୍ୟ ସହର ମାନ୍ୟତା ପାଇଥିଲା। ୨୦୧୮ରେ ମୁମ୍ବାଇର ମେରାଇନ୍ ଡ୍ରାଇଭ୍ ଅଞ୍ଚଳ, ଭିକ୍ଟୋରିଆନ କ୍ଲଷ୍ଟର ଏବଂ ଫୋର୍ଟ ପ୍ରେସିଙ୍କ୍‌ଟରେ ଥିବା ଆର୍ଟ ଡେକୋ ବିଲଡିଂ ଅଞ୍ଚଳକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ମିଳିଥିବାବେଳେ, ୨୦୧୯ରେ ଜୟପୁର ସହରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ମିଳିଛି। ଏବେ ଦିଲ୍ଲୀ ସରକାର ଦିଲ୍ଲୀକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ଡୋସିଅର୍‌ ପ୍ରସ୍ତୁତ କରିବାରେ ଲାଗି ପଡ଼ିଲେଣି। ତେଣୁ ଭୁବନେଶ୍ବରରେ ସବୁ ଭିତ୍ତିଭୂମି ଥିବାବେଳେ ଏହାକୁ ବି ବିଶ୍ବ ଐତିହ୍ୟ ମାନ୍ୟତା ମିଳିବାରେ ବିଶେଷ ଅସୁବିଧା ହୁଅନ୍ତାନି। କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନା ଉପରେ ସବୁ ନିର୍ଭର କରୁଛି।
ରିପୋର୍ଟ: ବିଶ୍ବଜିତ, ଫଟୋ: ଅସିତ

ବଫର୍ ଜୋନ୍ ନାହିଁ, ବାଧକ ସାଜିଛି ଜବରଦଖଲ

ଭୁବନେଶ୍ବରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ନ ମିଳିବା ନେଇ ଏହାର ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିବାରେ ସାମିଲ୍‌ ଥିବା ଜଣେ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବର ଅସ୍ଥାୟୀ ବିଶ୍ବ ଐତିହ୍ୟ ତାଲିକାରେ ସାମିଲ୍‌ ହେଲା କାରଣ ୟୁନେସ୍କୋ କମିଟି ଆମର ରିପୋର୍ଟକୁ ହେରିଟେଜ୍ ଦୃଷ୍ଟିକୋଣରୁ ଗ୍ରହଣ କରିଥିଲା। ଏହାପରେ ୟୁନେସ୍କୋର ଏକ ଟିମ୍ ଭୁବନେଶ୍ବର ପରିଦର୍ଶନରେ ଆସିଥିଲେ। କିନ୍ତୁ ୟୁନିଭର୍ସାଲ ଦୃଷ୍ଟିକୋଣରୁ ଦେଖିଲେ କେବଳ ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ ସହର କରିବା ସପକ୍ଷରେ ସେମାନେ ସମ୍ଭବତଃ ନଥିଲେ। ଆମ ରିପୋର୍ଟରେ ଆମେ ଯୁକ୍ତି ବାଢ଼ିଥିଲୁ ଯେ, ଦେଶର କିଛି ହିନ୍ଦୁ ମନ୍ଦିରଗୁଡ଼ିକୁ ବିଶ୍ବ ଐତିହ୍ୟସ୍ଥଳୀର ମାନ୍ୟତା ମିଳିଛି। ତେଣୁ ଏକାମ୍ର କ୍ଷେତ୍ରରେ ପ୍ରାୟ ୭୦୦ ମନ୍ଦିର ଥିବାରୁ ଏହାକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ମିଳୁ। ହେଲେ ବିଶ୍ବ ଐତିହ୍ୟ ସହର ହେବା ପାଇଁ ବହୁ ମାନଦଣ୍ଡ ରହିଛି। ତାହାକୁ ପୂରଣ କରିପାରିଲେ ଯାଇ ବିଶ୍ବ ଐତିହ୍ୟ ସହରର ମାନ୍ୟତା ମିଳେ। ଯେପରି କୌଣସି ଐତିହ୍ୟ ଓ କୀର୍ତ୍ତିରାଜି ଚାରିକଡ଼େ କୌଣସି ଅସୁରକ୍ଷିତ ନିର୍ମାଣ କି ଜବରଦଖଲ ରହିବନି। ହେଲେ ଆମର ବଫର୍ ଜୋନ୍ ନାହିଁ। ନିୟମ ଅନୁଯାୟୀ, ଐତିହ୍ୟସ୍ଥଳୀର ୧୦୦ମିଟର ଭିତରେ କିଛି ନିର୍ମାଣ କାର୍ଯ୍ୟ ହେବନି। ୧୦୦ରୁ ୩୦୦ମିଟର ଭିତରେ ଯାହା ବି ନିର୍ମାଣ ହେବ ତାହା କିପରି ହେବ, କେତେ ଉଚ୍ଚତାର ହେବ ସେନେଇ ଗା‌ଇଡଲାଇନ୍ ରହିଛି। କିନ୍ତୁ ଏକାମ୍ର କ୍ଷେତ୍ରରେ ମନ୍ଦିର, ଐତିହ୍ୟ ପୁଷ୍କରିଣୀ ସବୁ ଜବରଦଖଲରେ ରହିଛି। ଲୋକମାନେ ମନ୍ଦିର ବେଢ଼ାରୁ ଆରମ୍ଭ କରି ପୋଖରୀ ହୁଡ଼ା ପର୍ଯ୍ୟନ୍ତ ସବୁଠି ଘର କରିଛନ୍ତି। ଯାହା ବିଶ୍ବ ଐତିହ୍ୟ ସହର ପାଇଁ ଏକ ବଡ଼ ବାଧକ। ପୁରୀରେ ସେ ସମସ୍ୟା ଥିବାରୁ ଏବେ ଶ୍ରୀମନ୍ଦିର ଚାରି ପାର୍ଶ୍ବରୁ ବ୍ୟାପକ ଉଚ୍ଛେଦ ହେଉଛି। ହେଲେ ଭୁବନେଶ୍ବରରେ ସରକାର ଉଚ୍ଛେଦ କରିପାରିବେ ନାହିଁ ଭାବି ବୋଧେ କିଛି ନିଷ୍ପତ୍ତି ନେଇପାରିଲେନି।

ସେହିଭଳି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ବିଶ୍ବ ଐତିହ୍ୟ ସହର ହେବାକୁ ହେଲେ ସବୁ ଧର୍ମର ଲୋକଙ୍କ ପାଇଁ କିଛି ରହିବା ଦରକାର। କିନ୍ତୁ ଏକାମ୍ର କ୍ଷେତ୍ର ପାଇଁ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଥିଲା ସେଥିରେ କେବଳ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ନଜରରେ ରଖି ରିପୋର୍ଟ ପ୍ରସ୍ତୁତ ହୋଇଥିଲା।
ଡୋସିଅର୍ ପ୍ରସ୍ତୁତ ହୋଇଥିଲେ ବୋଧେ ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦେଇଥାନ୍ତେ। କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ହେଲାନି।

ସରକାର ପୁଣି ଥରେ ପ୍ରସ୍ତାବ ଦେଲେ ମିଳିପାରିବ

ଜଣାଶୁଣା ଆର୍କିଟେକ୍ଟ ଅକ୍ଷୟ ବେଉରିଆଙ୍କ କହିବା ଅନୁଯାୟୀ, ଭୁବନେଶ୍ବରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ସଂସ୍କୃତି ବିଭାଗ ଯେଉଁ କମିଟି କରି ରିପୋର୍ଟ ପ୍ରସ୍ତୁତ କରିଥିଲା ସେଥିରେ ମୁଁ ଥିଲି। ସବୁ ଯୋଜନା ମୁତାବକ ହୋଇଥିଲା। ୟୁନେସ୍କୋ କମିଟି ବି ଆମ ରିପୋର୍ଟକୁ ଗ୍ରହଣ କରିଥିଲା। ସେତେବେଳେ ରାଜ୍ୟ ସରକାର ଡୋସିଅର୍ ପ୍ରସ୍ତୁତ କରି ଦେବାର ଥିଲା। ହେଲେ ଦିଆଯାଇନି। ଏବେ ଯଦି ରାଜ୍ୟ ସରକାର ଆର୍କିଟେକ୍ଟମାନଙ୍କୁ ନେଇ ଭଲ ଡୋସିଅର୍‌ ପ୍ରସ୍ତୁତ କରି ପୁଣି ଉଦ୍ୟମ କରିବେ ତେବେ ଭୁବନେଶ୍ବରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ମିଳିପାରିବ। ଭୁବନେଶ୍ବରର ଭିତ୍ତିଭୂମି ଦେଶର ଅନ୍ୟ ସହରଗୁଡ଼ିକଠାରୁ ଅଧିକ ଥିବାରୁ ଆମକୁ ଏହି ମାନ୍ୟତା ମିଳିବାରେ କିଛି ଅସୁବିଧା ହେବନି।

ଭିତ୍ତିଭୂମି ବିକାଶରେ କଟକଣା ଲାଗିବାର ଭୟ
ଏକାମ୍ର କ୍ଷେତ୍ର ବିଶ୍ବ ଐତିହ୍ୟ ସହର ହୋଇଥିଲେ ଏଠାରେ ଭିତ୍ତିଭୂମି ବିକାଶ ଗାଇଡଲାଇନ୍ ଅନୁଯାୟୀ କରିବାକୁ ପଡ଼ିଥାଏ। କାଳେ ବହୁତ କଟକଣା ଲାଗିଯିବ ଭାବି ବୋଧେ ରାଜ୍ୟ ସରକାର ଭୁବନେଶ୍ବର ଦିଗରେ ରିସ୍କ ନେଲେନି ବୋଲି ମଧ୍ୟ କୁହାଯାଉଛି।

ମାନ୍ୟତା ପାଇଁ ନିହାତି କ’ଣ ଦରକାର
ଭୁବନେଶ୍ବରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ପାଇବାକୁ ହେଲେ ପ୍ରଥମେ ଡୋସିଅର୍ ପ୍ରସ୍ତୁତ କରିବାକୁ ହେବ। ଏହାସହ ପୁରୀ ଭଳି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ସମେତ ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜି ନିକଟରେ ଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବାକୁ ହେବ। ଏହାକୁ ନେଇ କ’ଣ ଯୋଜନା ଅଛି ତା’ର ଡିପିଆର୍‌ ପ୍ରସ୍ତୁତ ହେବ। ଏହାବା‌ଦ୍ ସବୁ ଧର୍ମର ଲୋକଙ୍କ ପାଇଁ ସହର କରିବାକୁ ହେଲେ ପ୍ରସ୍ତାବରେ ଧଉଳିରେ ଥିବା ଅଶୋକଙ୍କ ଶିଳାଲିପିର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ପାଇଁ କ’ଣ ଯୋଜନା ରହିଛି ତାହା କରିବାକୁ ପଡ଼ିବ। କାରଣ ଏହା ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଆକର୍ଷିତ କରିବ। ସେହିପରି ଜୈନ ଧର୍ମର ପ୍ରଚାର କରୁଥିବା ଖଣ୍ଡଗିରି ଓ ଉଦୟଗିରି ପାହାଡ଼, ଏଠାରେ ଥିବା ଗୁମ୍ଫା, ମନ୍ଦିର, ମୂର୍ତ୍ତିକୁ ନେଇ ବି ଯୋଜନା ହେବା ଦରକାର। ଏହି ସବୁ ସ୍ଥାନରେ ବଫର୍‌ ଜୋନ୍ ସହ ପାରିପାର୍ଶ୍ବିକ ଉନ୍ନତି ବି ହେବା ଦରକାର। ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।

କ’ଣ ଫାଇଦା ମିଳିବ
ଭୁବନେଶ୍ବରକୁ ବିଶ୍ବ ଐତିହ୍ୟ ସହର ମାନ୍ୟତା ମିଳିଲେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ ବଢ଼ିଯିବ। ସହରର ବିକାଶ ପାଇଁ ବିଦେଶୀ ପାଣ୍ଠି ଅଧିକ ମିଳିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଫୋକସ୍‌ରେ ଏହା ରହିବ। ଏଠାକାର ରାସ୍ତାଘାଟ, ଦୋକାନ ବଜାର, ଆବାସିକ ଅଞ୍ଚଳ ଆଦିର ବିକାଶ ହୋଇପାରିବ। ଲୋକଙ୍କ ଜୀବନଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ହେବ।

ସମ୍ବନ୍ଧିତ ଖବର