ନନ୍ଦନକାନନରେ ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ରବିବାର ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଟିକେଟ୍‌ ଘର ନିକଟରେ ଏନେଇ ଆୟୋଜିତ ସ୍ୱତନ୍ତ୍ର ଉତ୍ସବକୁ ନନ୍ଦନକାନନ ନିର୍ଦ୍ଦେଶକ ହରିଶଙ୍କର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ୩ଟି ହାତୀ ପ୍ରେମା, ବାସନ୍ତୀ ଓ ଦେଢ଼ ବର୍ଷର ହାତୀ ଛୁଆ ‘ମାମା’ ସାମିଲ ହୋଇଥିଲେ। ହୀରା, ଗୌରୀ, କମଳା ଓ ଜୁଲି ଆଦି ହାତୀମାନଙ୍କ ସ୍ୱଭାବ ଓ ଆଚରଣ ଠିକ୍‌ ନଥିବାରୁ ସେମାନଙ୍କୁ ଏଥିରେ ସାମିଲ କରାଯାଇନଥିଲା। ଆଜିର ଦିବସରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଛୁଆ ହାତୀ ମାମାକୁ ଶ୍ରୀ ଉପାଧ୍ୟାୟ ପ୍ରଥମେ ଫଳ ଖୁଆଇଥିଲେ। ପରେ ଉପସ୍ଥିତ ପର୍ଯ୍ୟଟକ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ନନ୍ଦନକାନନ କର୍ମଚାରୀମାନେ ହାତୀ ତିନିଟିଙ୍କୁ ଫଳ ଖୁଆଇ ଆପ୍ୟାୟିତ କରିଥିଲେ। ବିଗତ ବର୍ଷରେ ହାତୀମାନଙ୍କୁ ସଜା ଯାଉଥିବା ବେଳେ ଏଥର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏ ସଂପର୍କରେ ନନ୍ଦନକାନନର ଉପନିର୍ଦେଶକ ଜୟନ୍ତ ଦାସଙ୍କ କହିବା କଥା ହେଲା, ହାତୀ ଏକ ବନ୍ୟପ୍ରାଣୀ, ତାକୁ ସଜ କରିବା ନିର୍ଯାତନା ସଦୃଶ ବୋଲି ଅଭିଯୋଗ ହେଉଛି। ତେଣୁ ଏଥର ହାତୀମାନଙ୍କୁ ସଜା ଯାଇ ନାହିଁ।

ଉପ-ନିର୍ଦ୍ଦେଶକ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ଚା’ ନିଗମର ଅଧ୍ୟକ୍ଷ ଅରୁଣ ରାୟ, ନନ୍ଦନକାନନର ଡେପୁଟି କଞ୍ଜରଭେଟର(ଫରେଷ୍ଟ) କମଳ ଲୋଚନ ପଚରୋହିତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚଳନା କରିଥିଲେ ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ ମହାନ୍ତି, ପର୍ଯ୍ୟଟନ ପରିଚଳନା ବିଭାଗ ଏସିଏଫ୍‌ ଅମୂଲ୍ୟ ପରିଡ଼ା, ରେଞ୍ଜ ଅଫିସର ଅଶୋକ ଦାସ, ମିଲନ ପଣ୍ଡା, ରାଜେଶ ମହାପାତ୍ର ପ୍ରମୁଖ। ଚନ୍ଦକା ଡିଏଫଓ କେଦାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଚନ୍ଦକା ବନାଞ୍ଚଳ ଗୋଡ଼ିବାରି ହସ୍ତୀ ଅଭୟାରଣ୍ୟରେ ମଧ୍ୟ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଆରସିସି.ଏଫ୍‌ ଉଷାମାକ୍ରୋ ଝୁଲେ ହାତୀ ‘ନନ୍ଦ’ ଓ ‘ଯଶୋଦା’ଙ୍କୁ ଫଳ ଖାଇବାକୁ ଦେଇଥିଲେ। ଉପସ୍ଥିତ ଏସିଏଫ୍‌ ହିମାଂଶୁ ମହାନ୍ତି, ରେଞ୍ଜ ଅଫିସର ମାନସ ମହାନ୍ତିଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ପର୍ଯ୍ୟଟକମାନେ ‘ନନ୍ଦ’ ଓ ‘ଯଶୋଦା’ଙ୍କୁ ଆଖୁ, କଦଳୀ ଓ ନଡ଼ିଆ ଖୁଆଇଥିଲେ। ଦୁଷ୍ଟାମି ପାଇଁ ବାଦ୍‌ ପଡ଼ିଥିଲା ବଡ଼ ଦନ୍ତା ଶଙ୍କରା।

ସମ୍ବନ୍ଧିତ ଖବର