ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ବ ମାନବାଧିକାର ଦିବସ

ରାଜ୍ୟରେ ମାନବାଧିକାର ଉଲ୍ଲଂଘନ ସଂଖ୍ୟା ବଢ଼ିଛି

ଭୁବନେଶ୍ୱର : ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମାନବାଧିକାର ଦିବସ ହୋଟେଲ କେଶରୀରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଡ. ମିନତି ବେହେରା ଅତିଥି ଭାବେ ଯୋଗଦେଇ କହିଲେ, ମହିଳାଙ୍କ ଉପରେ ବଢୁଥିବା ହିଂସା ମାନବାଧିକାରର ଚରମ ଉଲ୍ଲଂଘନ। ମାନବାଧିକାର କର୍ମୀମାନେ ସମାଜର ସଜାଗ ପ୍ରହରୀ ହୋଇଥିବା ବେଳେ ସେମାନଙ୍କର ନିଷ୍ଠା ଓ ଉଦ୍ୟମ ବଳରେ ବହୁ ପୀଡ଼ିତ ନ୍ୟାୟ ପାଇବାକୁ ସକ୍ଷମ ହୋଇପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ ।

ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ଅଧ୍ୟକ୍ଷତା କରି ତୃଣମୂଳସ୍ତରରେ ଘଟୁଥିବା ମାନବାଧିକାର ଉଲ୍ଲଂଘନ ଘଟଣାକୁ ସାମ୍ନାକୁ ଆଣି ପୀଡ଼ିତକୁ ନ୍ୟାୟ ଦେବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟରେ ମାନବାଧିକାର କର୍ମୀଙ୍କ ଉପରେ ବଢ଼ୁଥିବା ଆକ୍ରମଣ ଉପରେ ଚିନ୍ତା ପ୍ରକଟ କରି ଏ ସଂକ୍ରାନ୍ତରେ ସରକାର ଏକ ଶକ୍ତ ଆଇନ ଆଣନ୍ତୁ ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ, ମାନବାଧିକାରକର୍ମୀଙ୍କୁ ସରକାର ସୁଶାସନର ସହଯୋଗୀ ଭାବେ ଗ୍ରହଣ କରିବା ଉଚିତ। ରାୟଗଡ଼ାର ବିଧାୟକ ମକରନ୍ଦ ମୁଦୁଲି କହିଲେ, ଦଳିତ ଓ ଆଦିବାସୀଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ଏଭଳି ସ୍ଥଳେ ସାଧାରଣଲୋକ କିଭଳି ମାନବ ଅଧିକାର ସମ୍ପର୍କରେ ଜାଣିପାରିବେ, ତାହା ଗୁରୁତ୍ବପୂର୍ଣ୍ଣ। ମାନବ ଅଧିକାର କର୍ମୀଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ସେ କହିଥିଲେ। ମାନବାଧିକାର କର୍ମୀମାନେ ସାଧାରଣ ଲୋକଙ୍କୁ କିପରି ସାହାଯ୍ୟ କରିପାରିବେ, ସେ ବିଷୟରେ ବିସ୍ତୃତ ଭାବେ କହିଥିଲେ ଡ. ରୀନା ରାଉତରାୟ। କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ତାଲିମ ସଂଯୋଜିକା ମନୀଷା ଦାସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ୨୫ ଜିଲ୍ଲାରୁ ୭୫ଜଣ ମାନବାଧିକାର କର୍ମୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଂଯୋଜକ ରମେଶ ଭାରତୀ, ଦୀପକ ମହାନ୍ତି, କଳ୍ପତରୁ ଖୁଣ୍ଟିଆ, ଉଷାରଣୀ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ହ୍ୟୁମାନ୍ ରାଇଟସ୍‌ କ୍ଲିନିକ୍‌
ଚନ୍ଦ୍ରଶେଖରପୁର : ହ୍ୟୁମାନ୍ ରାଇଟସ୍‌ କ୍ଲିନିକ୍‌, ଓଡ଼ିଶା ତରଫରୁ ଜନତା ମଇଦାନସ୍ଥିତ ପଣ୍ଡିତ ନୀଳକଣ୍ଠ କଲେଜ୍ ପାଠାଗାରରେ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଗୋପବନ୍ଧୁ ମଲ୍ଲିକଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସହଦେବ ସାହୁ, ମାନବାଧିକାର କର୍ମୀ ତଥା ପୂର୍ବତନ ନ୍ୟାୟମୂର୍ତ୍ତି ୟୁନାଇଟେଡ୍‌ ନେସନ୍ ହ୍ୟୁମାନ୍ ରାଇଟସ୍‌ କମିଟିର ପୂର୍ବତନ ଲୋକପାଳ ଡ. ଦେବଦତ୍ତ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁ‌ଷ୍ଠାନର ସାଧାରଣ ସଂପାଦକ ପ୍ରଫେସର୍‌ ଜୟ‌କୃଷ୍ଣ ମହନ୍ତ, ଡ. ପରେଶ ଚନ୍ଦ୍ର ମହାନ୍ତି, ବନଶ୍ରୀ ମହାପାତ୍ର, ଦମୟନ୍ତୀ ନାୟକ, ସଂଗୀତା ପ୍ରଧାନ, ସୁଜାତା ବିଶ୍ବାଳ, ଅବନିକାନ୍ତ ମିଶ୍ର, ନରହରି ଶିଅଳ ଓ ସଚ୍ଚିଦାନନ୍ଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ମନୋଜ କୁମାର ସାହୁ, କାଳୀଚରଣ ସିଂ ଓ ପ୍ରସନ୍ନ କୁମାର ସାହୁଙ୍କୁ କୋଭିଡ୍‌ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବିଶ୍ବ ମାନବାଧିକାର ସୁରକ୍ଷା ସଙ୍ଗଠନ
ବିଶ୍ବ ମାନବାଧିକାର ଦିବସ ପାଳନ ଅବସରରେ ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନାଚକ୍ରରେ ‘କୋଭିଡ୍ ୧୯ ଏବଂ ମାନବାଧିକାର, ବିଶ୍ବ ପରିପ୍ରେକ୍ଷୀରେ ଭାରତର ପ୍ରତିଷ୍ଠା’ ପ୍ରସଙ୍ଗରେ ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ଇଲେକ୍ସନ୍ କମିସନର ଅଫ୍ ଇଣ୍ଡିଆର ପ୍ରାକ୍ତନ ଉପଦେଷ୍ଟା ଭଗବାନ ପ୍ରକାଶ, ଦକ୍ଷିଣ ଆଫ୍ରିକା ହାଇକମିସନର୍‌ ଉପଦେଷ୍ଟା ଶରତ ପ୍ରଧାନ, ଉଦ୍ୟୋଗପତି ପ୍ରବୋଧ ମହାନ୍ତି, ଖଦିବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ରାଜ୍ୟର ପ୍ରମୁଖ ସ୍ବେଚ୍ଛାସେବୀ ସଙ୍ଗଠନ ଵାରିସ୍, ଡୁଡୁନ୍, ରେଡ୍ ସ୍ବସ୍ତିକ, ଇରୋକିଡ୍, ଓମ୍ ସାଇ ଟ୍ରଷ୍ଟ, ଅମ୍ବିକା, ସଖା ଫାଉଣ୍ଡେସନ୍ ପ୍ରମୁଖ ପୁରସ୍କାର ପାଇଥିଲେ। ଗାୟିକା ଜୟଶ୍ରୀ ଧଳ ସମାଜସେବା ପାଇଁ ପୁରସ୍କୃତ ହୋଇଥିବା ବେଳେ ମାନବାଧିକାର ସଙ୍ଗଠନର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲିନୁ ମିଶ୍ର, ସସ୍ମିତା ମକ, ସଞ୍ଜୀବ ମିଶ୍ର, ନୀଳମଣି ମିଶ୍ର, ଇପସିତ୍, ସ୍ବାତି ମହାପାତ୍ର, ପ୍ରଭାମୟୀ, ରଜତ ମହାନ୍ତି, ଚିନ୍ମୟୀ ମହାନ୍ତି, ରଶ୍ମିରେଖା ପଣ୍ଡାଙ୍କୁ ହାର୍ପୋ ଏକ୍ସିଲେନ୍ସି ଆଵାର୍ଡ ଦିଆଯାଇଥିଲା। ସେହିଭଳି ସଂଘମିତ୍ରା ମହାନ୍ତି, ରାଜ୍ୟ ଯୁଗ୍ମ ସଂପାଦକ ବାବୁ ନାୟକ, ପି. ତାରିଣୀ ପାତ୍ର, ସାଧାରଣ ସଂପାଦକ ସମୀର ତ୍ରିପାଠୀ, ତୁଷାର ସଢ଼, ଶରତ ମିଶ୍ର, ଜ୍ୟୋତ୍ସ୍ନାମୟୀ ପଟ୍ଟନାୟକ, ମାୟାଧର ବେହେରାଙ୍କୁ ଭାରତ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର