କିମ୍ସରେ ବିଶ୍ବ କିଡ୍ନି ଦିବସ: ୧୦ ଜଣରେ ଜଣେ କିଡ୍ନି ରୋଗୀ, କିଡ୍ନି କାଡ଼ାଭରିକ ପ୍ରତିରୋପଣରେ ଓଡ଼ିଶା ୧୨ତମ ରାଜ୍ୟ
ଭୁବନେଶ୍ବର: ଓଡ଼ିଶାରେ କିଡ୍ନି କାଡାଭରିକ୍ ପ୍ରତିରୋପଣରେ ଓଡ଼ିଶାର ୧୨ତମ ରାଜ୍ୟ ପାଲଟିଛି। ୨୦୧୩-୧୪ ମସିହାରୁ ଏଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲେ ହେଁ ୨୦୧୯ ସେପ୍ଟେମ୍ବରରେ ‘ସୋଟୋ’ (ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନସପ୍ଲାଣ୍ଟେସନ ଅର୍ଗାନାଇଜେସନ୍) ପ୍ରତିଷ୍ଠା ପରେ ଏହା ସମ୍ଭବ ହୋଇପାରିଛି। ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ର, ମହାରାଷ୍ଟ୍ର, କେରଳ, ଗୁଜୁରାଟ, ରାଜସ୍ଥାନ, ଚଣ୍ଡୀଗଡ଼ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ପରେ ଓଡ଼ିଶା ଏଥିରେ ସଫଳ ହୋଇପାରିଛି ବୋଲି ଏସ୍ସିବି ମେଡିକାଲ୍ କଲେଜର ନେଫ୍ରୋଲୋଜି ପ୍ରଫେସର୍ ତଥା କିଡ୍ନି ପ୍ରତିରୋପଣ ଦାୟିତ୍ବରେ ଥିବା ଡାକ୍ତର ଚିତ୍ତରଂଜନ କର କହିଛନ୍ତି।
ଇଣ୍ଡିଆନ୍ ଏକାଡେମି ଅଫ ନେଫ୍ରୋଲୋଜି ଏବଂ ଓଡ଼ିଶା ନେଫ୍ରୋଲୋଜି ଫୋରମ୍ର ମିଳିତ ଆନୁକୂଲ୍ୟରେ କିମ୍ସ ପରିସରରେ ଆୟୋଜିତ ବିଶ୍ବ କିଡ୍ନି ଦିବସରେ ଅତିଥି ଭାବେ ଯୋଗଦେଇ ଡାକ୍ତର କର କହିଲେ, କିଡ୍ନି ରୋଗ ଶରୀରରେ ଧୀରେଧୀରେ ବୃଦ୍ଧି ଘଟେ। ଯେଉଁମାନେ ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳ କିମ୍ବା ପରିବାର ସଦସ୍ୟ କେହି କିଡନି ରୋଗରେ ଆକ୍ରାନ୍ତ ଥିଲେ, ସେମାନଙ୍କୁ କିଡ୍ନି ରୋଗ ହେବାର ସମ୍ଭାବନା ଥାଏ। ତେଣୁ ସେମାନେ ସଚେତନ ହେବା ଜରୁରି। ନିୟମାନୁବର୍ତୀ ଭାବେ ପ୍ରତି ୩ମାସରେ କିମ୍ବା ୬ ମାସରେ ପରୀକ୍ଷା ନିରୀକ୍ଷା କରିବା ଦରକାର। ପରୀକ୍ଷା ମଧ୍ୟ ସହଜରେ କମ୍ ଖର୍ଚରେ ଉପଲବ୍ଧ। ନିୟମିତ ପରୀକ୍ଷା କରାଇଲେ ସେମାନେ ନିଜର କିଡ୍ନି ସମସ୍ୟା ବାବଦରେ ଜାଣିପାରିବା ସହ ଏହାର ପ୍ରତିକାର କରିପାରିବେ। ମୁଖ୍ୟତଃ ପାଦ ଫୁଲିବା, ଦୁର୍ବଳ ଲାଗିବା, ଭୋକ ନ ଲାଗିବା, ଦୈନନ୍ଦିନ କାର୍ଯ୍ୟ କରିବା ବେଳେ ଅସୁସ୍ଥତା ଅନୁଭବ କରିବା, ପରିସ୍ରା ରଙ୍ଗରେ ପରିବର୍ତନ, ସକାଳୁ ଉଠିବା ପରେ ମୁହଁ ଫୁଲିବା ଆଦି ସାଧାରଣ ଲକ୍ଷଣ ଦେଖାଗଲେ ଏହାକୁ ଏଡ଼ାଇ ନଯାଇ ସଚେତନ ହେବା ଉଚିତ ବୋଲି ସେ କହିଥିଲେ।
ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ, ଶତକଡ଼ା ୧୦ ଭାଗ ଲୋକ କିଡ୍ନି ରୋଗରେ ଆକ୍ରାନ୍ତ ହେବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଉପଯୁକ୍ତ ସମୟରେ ଏହାକୁ ଚିହ୍ନଟ କରି ଚିକିତ୍ସା କରିବା ପାଇଁ ସଚେତନତାର ଆବଶ୍ୟକତା ରହିଥିବା ବେଳେ ଏଭଳି କିଡ୍ନି ଦିବସର ଆୟୋଜନ ଅନେକ ମହତ୍ତ୍ବ ରଖୁଛି। ଏଥିସହ ଓଡ଼ିଶାରେ କିଡ୍ନି କାଡାଭରିକ୍ ପ୍ରତିରୋପଣ ଆମ ଭିତରେ ଆତ୍ମ ବିଶ୍ବାସ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ। ଇଣ୍ଡିଆନ୍ ଏକାଡେମି ଅଫ୍ ନେଫ୍ରୋଲୋଜିର ଉପାଧ୍ୟକ୍ଷ ଡାକ୍ତର ଆର.କେ ଶର୍ମା ଅତିଥି ଭାବେ ଯୋଗଦେଇ କହିଥିଲେ, ସଂପ୍ରତି ୧୦ଜଣରେ ଜଣେ କିଡ୍ନି ରୋଗରେ ଆକ୍ରାନ୍ତ। ଆମ ପରିବର୍ତିତ ଜୀବନଶୈଳୀର ପ୍ରଭାବରୁ କିଡ୍ନି ରୋଗରେ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏବେ କରୋନା ମଧ୍ୟ ମହାମାରୀର ରୂପ ନେଇଛି। ମାତ୍ର ଆମେ ସଚେତନ ହେଲେ ଯେକୌଣସି ରୋଗର ପ୍ରତିକାର ସମ୍ଭବ ବୋଲି ସେ କହିଥିଲେ। ପ୍ରାରମ୍ଭରେ ସାଂଗଠନିକ ସଭାପତି ତଥା କିଟ୍ ଡିମ୍ଡ ୟୁନିଭର୍ସିଟିର ପ୍ରଫେସର୍ ଡାକ୍ତର ଏସ୍.ସି ଦାଶ ଅତିଥି ପରିଚୟ ସହ ଆଲୋଚ୍ୟ ବିଷୟ ଉପରେ ମତ ରଖିଥିଲେ। ଶେଷରେ ମେଜର୍ ଜେନେରାଲ ଡାକ୍ତର ପି.କେ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ପରେ ‘କିଡ୍ନି ଚିକିତ୍ସା ସବୁଠାରେ ସମସ୍ତଙ୍କ ପାଇଁ’ ବିଷୟ ଉପରେ ଡାକ୍ତର ଏସ୍. ପଦ୍ମନାଭନ, ଡାକ୍ତର ଆର୍.କେ ଶର୍ମା, ଡାକ୍ତର ଏସ୍.ସି ଦାଶ, ଡାକ୍ତର ପି.ପି ବର୍ମା, ଡାକ୍ତର ଅର୍ଘ୍ୟ ମଜୁମଦାର, ଡାକ୍ତର ଏସ୍.ରାୟ, ଡାକ୍ତର ଚିତ୍ତରରଂଜନ କର ଓ ଡାକ୍ତର ଶ୍ରୀଭୂଷଣ ରାଜୁ ବକ୍ତବ୍ୟ ରଖିଥିଲେ।