କିମ୍‌ସରେ ବିଶ୍ବ କିଡ୍‌ନି ଦିବସ: ଶିକ୍ଷା ଓ ସ୍ବାସ୍ଥ୍ୟ ମାଧ୍ୟମରେ ପରିବର୍ତ୍ତନ ଅଣାଯାଇପାରିବ

ଭୁବନେଶ୍ବର: କରୋନା ପରବର୍ତ୍ତୀ କାଳରେ ସ୍ବାସ୍ଥ୍ୟ ଦେଶ ତଥା ବିଶ୍ବ ଲାଗି ଚିନ୍ତାର ବିଷୟ ପାଲଟିଛି। ଅର୍ଥନୈତିକ ଓ ସାମାଜିକ ମର୍ଯ୍ୟାଦା ଅପେକ୍ଷା ସ୍ବାସ୍ଥ୍ୟ ଓ ଶିକ୍ଷା କେତେ ଯେ ଗୁରୁତ୍ବପୂର୍ଣ୍ଣ ତାହା ଜଣାପଡ଼ିଛି। ଆମେରିକା ଭଳି ଦେଶ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସମ୍ଭାଳି ପାରି ନାହିଁ। ଯେତେବେଳେ କି ଆଫ୍ରିକା, ଏସିଆ ମହାଦେଶ ଏକ୍ଷେତ୍ରରେ ବହୁ ଆଗରେ ରହି ଲୋକଙ୍କ ଜୀବନକୁ ସୁରକ୍ଷା ଦେଇପାରିଛନ୍ତି। ବିଶ୍ବର ଗରିବ ଦେଶଗୁଡ଼ିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ସ୍ବାସ୍ଥ୍ୟ କେତେ ମୂଲ୍ୟବାନ। କେବଳ ଯେ ସ୍ବାସ୍ଥ୍ୟ ନୁହେଁ, ଅନୁରୂପ ଭାବେ ଶିକ୍ଷା ମଧ୍ୟ ଏବେ ବହୁ ମୂଲ୍ୟବାନ ହେବାରେ ଲାଗିଛି। ଉଭୟ ଶିକ୍ଷା ଓ ସ୍ବାସ୍ଥ୍ୟ ମାଧ୍ୟମରେ ସମାଜରେ ପରିବର୍ତନ ଅଣାଯାଇପାରିବ ବୋଲି ବିଶ୍ବ କିଡ୍‌ନି ଦିବସ ଅବସରରେ ଆଜି କିମସ୍‌ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ କୋଭିଡ୍‌-୧୯ ଆମକୁ ନୂଆ ବାଟ ଦେଖାଇଛି। ତାହାକୁ ଆଧାର କରି ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। ଏହି ଶିକ୍ଷାନୁଷ୍ଠାନରୁ ଯେଉଁମାନେ କିଡ୍‌ନି ବିଶେଷଜ୍ଞ ହେବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଆଗାମୀ ଦିନ ଲାଗି ଆହ୍ବାନ ସୃଷ୍ଟି ହୋଇଛି।
କିଟ୍‌ ଡିମ୍‌ଡ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଏଚ୍‌ କେ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ କିଡ୍‌ନି ରୋଗ ଏବେ ସାରା ବିଶ୍ବ ଲାଗି ଚିନ୍ତାର ବିଷୟ ପାଲଟିଛି। ସବୁ ବର୍ଗର ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। କିଭଳି ଭାବେ ଏହାକୁ ରୋକାଯାଇପାରିବ ସେ ଦିଗରେ ଆମ ସମସ୍ତଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳକୁ ପ୍ରୟୋଗ କରି କିଡ୍‌ନି ରୋଗ ମୁକ୍ତ କରିବାକୁ ହେବ। ଗବେଷଣାକୁ ବି ପ୍ରାଧାନ୍ୟ ଦେବାକୁ ପଡ଼ିବ।

ଆଇଏଏନ୍‌ ସଭାପତି ପ୍ରଫେସର ଏସ୍‌ ସି ଦାଶ ଯୋଗଦେଇ କହିଲେ କୋଭିଡ୍‌-୧୯ ଅର୍ଥନୀତି ଓ ସାମଜିକ ସମ୍ପର୍କକୁ ନଷ୍ଟ କରିଛି। ବିଶ୍ବର ଶିକ୍ଷା, ଗବେଷଣା, ତାଲିମ, ବେପାର, ଯୋଗାଯୋଗ ଆଦି ମାଧ୍ୟମ ବି ପ୍ରଭାବିତ ହୋଇଛି। ସମାଜର ବହୁ କ୍ଷେତ୍ରରେ ବିଷାଦ ସୃଷ୍ଟି କରିଛି। ୨୦୨୦ ମାର୍ଚ୍ଚ ପରେ ଏବେ ପୁଣିଥରେ ଆମେ ଟିକିଏ ଭଲ ସ୍ଥିତିକୁ ଫେରୁଛୁ। ତେବେ ସ୍ବାଭାବିକ ସ୍ଥିତିକୁ ଏ ପର୍ଯ୍ୟନ୍ତ ଆସିପାରି ନାହୁଁ। କରୋନା ପ୍ରଭାବରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଯାଇଛି। ଏବେ ଟିକା ଆସିଛି ସତ। ତେବେ ଭୟ ଦୂର ହୋଇନି। କିଡ୍‌ନି ନଷ୍ଟ ହେବା ମଧ୍ୟ ଏବେ ବିଷାଦରେ ପରିଣତ ହୋଇଛି। ତେବେ ବିଶେଷଜ୍ଞଙ୍କ ଉଦ୍ୟମ ଯୋଗୁଁ ବହୁ ସଂଖ୍ୟାରେ ଜୀବନ ରକ୍ଷା କରାଯାଇପାରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। କିମ୍‌ସର ଉପାଧ୍ୟକ୍ଷ ପ୍ରଫେସର ଆର ସି ଦାସ ଯୋଗଦେଇ କିଡ୍‌ନି ରୋଗୀଙ୍କ ଅନୁଭୂତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡ଼ିଶା ନେପ୍ରୋଲୋଜି ଫୋରମ୍‌ର ସାଧାରଣ ସମ୍ପାଦକ ବିବେକ ପଣ୍ଡା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ କିମ୍‌ସ ଛାତ୍ରଛାତ୍ରୀଙ୍କ ଏକ ଶୋଭାଯାତ୍ରା କ୍ୟାମ୍ପସ ପରିକ୍ରମା କରିଥିଲା।

ସମ୍ବନ୍ଧିତ ଖବର