ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଏବେ ଦେଶରେ ଏବଂ ଦେଶ ବାହାରେ ନିବେଶକ ସମ୍ମିଳନୀ କରୁଛନ୍ତି। ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି ବୋଲି କୁହାଯାଉଛି। ଠିକ୍ ଏହିଭଳି ଢଙ୍ଗରେ ଭୁବନେଶ୍ବରରେ ପିପିପି ମୋଡରେ ଏକ ବିଶ୍ବସ୍ତରୀୟ ହସ୍ପିଟାଲ ନିର୍ମାଣ କରିବା ପାଇଁ ପ୍ରାୟ ୧୫ବର୍ଷ ତଳେ ଯୋଜନା ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ ବିଶ୍ବସ୍ତରୀୟ ହସ୍ପିଟାଲ ପାଇଁ ବିଏମ୍ସି ଦୁଇ ଥର ଏମ୍ଓୟୁ ସ୍ବାକ୍ଷର କଲାଣି, ୫ଏକର ଜମି ବି ଅଧିଗ୍ରହଣ କରିରଖିଛି, କିନ୍ତୁ ହସ୍ପିଟାଲ ପାଇଁ ଇଟା ଖଣ୍ଡେ ପଡ଼ିପାରୁନି।
ରାଜଧାନୀରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲକୁ ଗଲେ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏବେବି କୌଣସି ଜଟିଳ ରୋଗର ଚିକିତ୍ସା କିମ୍ବା ଅସ୍ତ୍ରୋପଚାର ପାଇଁ ରାଜଧାନୀରେ କିମ୍ବା ରାଜ୍ୟ ବାହାରର ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ହେଲେ ସ୍ବାସ୍ଥ୍ୟ ବିଭାଗ କି ବିଏମ୍ସି କେହି ବି ଏହି ବିଶ୍ବସ୍ତରୀୟ ହସ୍ପିଟାଲ ନିର୍ମାଣ ନେଇ ଆଗ୍ରହ ଦେଖାଉନାହାନ୍ତି।
୨୦୦୮ ମସିହାରେ ବିଏମ୍ସି ପ୍ରଥମେ କୋଲକତାର ଏକ ସଂସ୍ଥା ସହ ପିପିପି ମୋଡରେ ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରିଥିଲା। ଏନେଇ ଏମ୍ଓୟୁ ସ୍ବାକ୍ଷର ବି ହୋଇଥିଲା। କିନ୍ତୁ ସଂସ୍ଥା ଆସିଲାନି କି କାମ ହେଲାନି। ସଂସ୍ଥା କାହିଁକି ଆସିଲାନି ତା’ର ଉତ୍ତର କେହି ବି ଦେଲେନି। ପ୍ରାୟ ୫ବର୍ଷ ପରେ ଉକ୍ତ ସଂସ୍ଥା ପକ୍ଷରୁ କେବଳ ଜଣାଇ ଦିଆଗଲା, ଆମେ ହସ୍ପିଟାଲ କରିପାରିବୁନି। ଚିଠି ପାଇବା ପରେ ବିଏମ୍ସି କର୍ତ୍ତୃପକ୍ଷ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପାଇଁ ନିେବଶକାରୀ ଯୋଗାଡ଼ କରିବାକୁ ୨୦୧୭ରେ ହାଇଦ୍ରାବାଦରେ ରୋଡ୍ ସୋ’ କଲେ। ଏଥିରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ଗ୍ରୁପ୍ ବିଏମ୍ସି ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଚୁକ୍ତି ଅନୁଯାୟୀ ଏପ୍ରିଲ ୭, ୨୦୧୯ ସୁଦ୍ଧା ଗାଡ଼କଣରେ ୪୨୫କୋଟି ବ୍ୟୟରେ ୫୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହେବ। ଏହାସହ କପିଳପ୍ରସାଦ, ରସୁଲଗଡ଼, ଭରତପୁର, ବ୍ରହ୍ମେଶ୍ବରପାଟଣା, ଗାଡ଼କଣ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇବ। ପ୍ରତିଦିନ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ମାଗଣା ଓପିଡି ସେବା ଯୋଗାଇବ। ଚାରିଟି ସ୍ବାସ୍ଥ୍ୟକନ୍ଦ୍ରେରେ ଫ୍ୟାମିଲି ପ୍ଲାନିଂ କେନ୍ଦ୍ର ଖୋଲିବା ସହ ୨୦ଟି ଏସ୍ଏନ୍ସିୟୁ ଖୋଲିବ। ହସ୍ପିଟାଲର ୪୫% ଶଯ୍ୟା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ରହିବ। ରାଜ୍ୟ ସରକାର ଚିକିତ୍ସା ବାବଦକୁ ବାର୍ଷିକ ୫୧କୋଟି ଟଙ୍କା ଭାଏବୁଲ୍ ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ହିସାବରେ ଦେବେ। ସରକାରଙ୍କର ଏତେ ସବୁ ଯୋଜନା କେବଳ ଏମ୍ଓୟୁରେ ରହିଗଲା।
ହସ୍ପିଟାଲ ନିର୍ମାଣ ନେଇ ବିଏମ୍ସି ପକ୍ଷରୁ ଯେତେବେଳେ କିମ୍ସ ଗ୍ରୁପ୍ ଉପରେ ଚାପ ପକାଗଲା ସେତେବେଳେ ଉକ୍ତ ସଂସ୍ଥା କହିଥିଲା ଯେ, ହସ୍ପିଟାଲ ନିର୍ମାଣ ପାଇଁ ବ୍ୟାଙ୍କରୁ ଋଣ ମିଳୁନି। ତେଣୁ ଉକ୍ତ ଜମିକୁ ଲିଜ୍ ସୂତ୍ରରେ ଦିଆଯାଉ। ଜମି ଲିଜ୍ରେ ମିଳିଲେ ଏହାକୁ ବନ୍ଧକ ରଖି ଋଣ ଆଣିବୁ। କିନ୍ତୁ ବିନା ମୂଲ୍ୟରେ ଜମି ଲିଜ୍ ଦେବା ବା ପିପିପି ପ୍ରକଳ୍ପରେ ଜମି ଲିଜ୍ ଦେବା ବିଏମ୍ସି ଅଧିକାରଭୁକ୍ତ ନଥିବାରୁ ଏହାକୁ ରାଜ୍ୟ ସରକାରଙ୍କ ପିପିପି ସେଲ୍କୁ ପଠାଯାଇଥିଲା। ସେଠାରେ ଏହି ପ୍ରସ୍ତାବ କାଟ୍ ଖାଇଗଲା। ଏହାପରେ ନଗର ଉନ୍ନୟନ ବିଭାଗର ସହାୟତା ଲୋଡ଼ାଗଲା। କିନ୍ତୁ ଅଧିକାରୀଙ୍କ ମନମାନୀ ଯୋଗୁଁ ହସ୍ପିଟାଲ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି। ଏହି ବିଶ୍ବସ୍ତରୀୟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ହେବ କି ନାହିଁ, କାହା ପାଖରେ ଉତ୍ତର ନାହିଁ।