‘ବିଶ୍ବ ମାତୃ ଦିବସ’ ବାର୍ତ୍ତା ପ୍ରତିଯୋଗିତା: ସେନେହ ରଙ୍କୁଣୀ ଅଭୟଦାୟିନୀ ପରିଚୟ ତା’ର ମ‌ା’…

ଜୟଦେବ ଓ ସୁମନ ପାଇଲେ ‘ବେଷ୍ଟ୍ ଜୁରି ଆଵାର୍ଡ’ ମଦନ ମୋହନ ବସନ୍ତିଆ ପ୍ରଥମ ଭାଗ୍ୟଶାଳୀ ବିଜେତା

ଭୁବନେଶ୍ବର: ମା’ ହେଉଛନ୍ତି ଈଶ୍ବରଙ୍କ ପ୍ରତିନିଧି। ଈଶ୍ବର କେବଳ ଗୋଟିଏ ହିଁ ନିଷ୍ପତ୍ତି ଆମ ସମ୍ପର୍କରେ ନିଅନ୍ତି। ତାହା ହେଉଛି, କାହା ମାଧ୍ୟମରେ ଆମକୁ ଦୁନିଆକୁ ପଠାଇବେ। ମା’ ହେଉଛି ସେହି ମାଧ୍ୟମ। ଏଭଳି କୌଣସି ବ୍ୟକ୍ତି ନାହିଁ, ଯିଏ କହିପାରିବ ଯେ ବିନା ମା’ରେ ସେ ଦୁନିଆକୁ ଆସିଛି। ତେଣୁ ମା’ଙ୍କୁ ଭକ୍ତି କରିବା, ସମ୍ମାନ ଜଣାଇବା ଈଶ୍ବରଙ୍କୁ ଭକ୍ତି ଓ ସମ୍ମାନ କରିବା ସହ ସମାନ। ମାତୃ ଦିବସ ପାଳନ କରିବା ଆମ ପାଇଁ ଗର୍ବ ଓ ଗୌରବର କଥା। ଶନିବାର ହୋ‌‌ଟେଲ ସ୍ବସ୍ତି ପ୍ରିମିୟମ୍‌ରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ବିଶ୍ବ ମାତୃ ଦିବସ’ ବାର୍ତ୍ତା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଆମକୁ ମା’ର ଭାଷାଟିକୁ ଭଲ ପାଇବାକୁ ପଡ଼ିବ। ଅନ୍ୟ ସମସ୍ତ ଭାଷାରେ ଦକ୍ଷତା ହାସଲ କରିବାରେ କୌଣସି ଅସୁବିଧା ନାହିଁ। ଏହା ବହୁତ ଭଲ। କିନ୍ତୁ ତା’ ସହ ମା’ର ଭାଷାଟିକୁ ଜାବୁଡ଼ି ଧରି ରଖିବାକୁ ପଡ଼ିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ପ୍ରତିବର୍ଷ ‘ସମ୍ବାଦ’ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ଧୀରେ ଧୀରେ ଅ˚ଶଗ୍ରହଣକାରୀଙ୍କ ସ˚ଖ୍ୟା ବଢ଼ୁଛି। ‌ମା’କୁ ନେଇ ଯେତେ ସବୁ ବାର୍ତ୍ତା ଆସୁଛି, ସେ ସବୁ ଦେଖି ବହୁତ ଖୁସି ଲାଗୁଛି। ଏହା କୌଣସିଠାରୁ ନକଲ କରାଯାଇଥିବା ବାର୍ତ୍ତା ନୁହେଁ, ନିଜ ସୃଜନ ଶକ୍ତିରୁ ମା’ ପ୍ରତି ଥିବା ସ୍ନେହ ଓ ସମ୍ମାନକୁ ଶବ୍ଦରେ ଉତାରି ପଠାଉଛନ୍ତି ପ୍ରତିଯୋଗୀମାନେ। ପ୍ରତିଯୋଗୀମାନଙ୍କ ଏଭଳି ପ୍ରୟାସକୁ ଶ୍ରୀମତୀ ପଟ୍ଟନାୟକ ପ୍ରଶଂସା କରିଥିଲେ।

୨୮ ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର

ଏହି ଅବସରରେ ସମ୍ବାଦର ସମ୍ପାଦକ (ଫିଚର୍‌) ତଥା ବିଶିଷ୍ଟ କଥାକାର ଗୌରହରି ଦାସ ମା’ର ବିଭିନ୍ନ ରୂପ ଓ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ବିଭିନ୍ନ ଗଳ୍ପ ଓ ପୌରାଣିକ କଥା ଛଳରେ ସନ୍ତାନ ପ୍ରତି ଥିବା ମା’ର ମମତା ଉପରେ ଆଲୋକପାତ କରିଥିଲେ। ସେ ଆହୁରି କହିଲେ, ସଂସାରରେ ଜନ୍ମ ନେଉଥିବା ସମସ୍ତ ପ୍ରଜାତି ଅପେକ୍ଷା ମଣିଷ ଛୁଆ ଅତ୍ୟନ୍ତ ଅସହାୟ। ସମସ୍ତ ପଶୁପକ୍ଷୀଙ୍କ ଛୁଆ ଜନ୍ମ ହେବାର କିଛି ସମୟ ବା ଦିନ ପରେ ଆତ୍ମନିର୍ଭରଶୀଳ ହୋଇଯାଆନ୍ତି। କେବଳ ମଣିଷ ଛୁଆ ହିଁ ବର୍ଷ ବର୍ଷ ସମୟ ନେଇଥାଏ। ଏହି ସମୟରେ ମା’ଟିଏ ହିଁ ତା’ ପାଖରେ ଥାଏ। ମା’କୁ ସନ୍ତାନର ଦୋଷ ଦୁର୍ବଳତା କିଛି ଦେଖାଯାଏନି। ମା’ ପାଇଁ ତା’ ସନ୍ତାନ ସଂସାରରେ ଶ୍ରେଷ୍ଠ ସନ୍ତାନ। କିନ୍ତୁ ବିଡ଼ମ୍ବନାର କଥା, ଗୋଟିଏ ମା’ ୪ଟି ସନ୍ତାନକୁ ଜନ୍ମ ଦେଇ ପାଳି ପୋଷି ମଣିଷ କରିପାରୁଥିବା ବେଳେ ୪ଟି ସନ୍ତାନ ଗୋଟିଏ ମା’ର ଯତ୍ନ, ସେବା ଶୁଶ୍ରୂଷା କରିପାରନ୍ତିନି।

‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଲେ, ସୂର୍ଯ୍ୟ ପୂର୍ବରେ ଉଦୟ ହେବା ଭଳି ଆମେ ଆମ ମା’କୁ ଭଲ ପାଇବା ଅଟଳ ସତ୍ୟ। କିନ୍ତୁ ଖାଲି ନିଜ ଜନ୍ମ କଲା ମା’ କଥା ନୁହେଁ, ସାରା ସଂସାରକୁ ସୃଷ୍ଟି କରିଥିବା ମା’, ମାଟି ମା’ ବା ପୃଥିବୀ ମା’ ବିଷୟରେ ଚିନ୍ତା କରିବାର ସମୟ ଆ‌ସିଛି। ଆମ ମା’କୁ କେହି ଜଣେ ଯଦି ପଦେ ଉଚ୍ଚସ୍ବରରେ କୁହେ, ଆମକୁ ବାଧେ। କିନ୍ତୁ ପୃଥିବୀ ମା’ ଏବେ ବିପଦରେ ଅଛି। ଆମେ ଏହାକୁ ଅଣଦେଖା କରି ଆସୁଛୁ। ବହୁ ସମୟରେ ବିଶେଷଜ୍ଞମାନେ ଆମକୁ ପାଣିପାଗ ପରିବର୍ତ୍ତନର କୁପରିଣାମ ବିଷୟରେ ସଚେତନ କରି ଆସୁଛନ୍ତି। କିନ୍ତୁ ଆମେ ଏବେ ବି ସଚେତନ ନୋହୁଁ। ତେଣୁ ଏହାର କୁ-ପରିଣାମ ଭୋଗିବାକୁ ବାଧ୍ୟ ହେଉଛୁ। ଆଜିର ଦିନରେ ଓଡ଼ିଶାବାସୀଙ୍କ ପାଇଁ ‘ଫନି’ଠୁ ବଡ଼ ଉଦାହରଣ କ’ଣ ହୋଇପାରେ? ଫନି ଆମକୁ ଶିଖାଇ ଦେଇଛି ଖାଲି ମା’ ମାଟି ଉପରେ ଭାଷଣ ଦେବା ଯଥେଷ୍ଟ ନୁହେଁ; ଯେତେବେଳେ ମା’ ମାଟି ବିପଦ‌ରେ ଅଛି, ଏହାର ଯତ୍ନ ନେବା, ସୁରକ୍ଷା ଯୋଗାଇଦେବା ଗୁରୁତ୍ବପୂର୍ଣ୍ଣ। ବ୍ୟକ୍ତିଗତସ୍ତରରେ ପ୍ରତ୍ୟେକ ବ୍ୟକ୍ତି ମାଟି ମା’ର ସୁରକ୍ଷା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ସହ ନିଜ ସନ୍ତାନମାନଙ୍କୁ ପରିବେଶ ସୁରକ୍ଷାର ଉଚିତ ଜ୍ଞାନ ଦେବା ଉଚିତ୍‌। ଏହା ଆମକୁ ଆଗକୁ ଏଭଳି ବିଷମ ପରିସ୍ଥିତିରୁ ରକ୍ଷା କରିପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଲିପ୍ସା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ବାଦର ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର