ଭୁବନେଶ୍ବର: ରାଜ୍ୟର ୧୫ ବର୍ଷରୁ ଅଧିକ ୫୧ପ୍ରତିଶତ ପୁରୁଷ ଓ ୨୬ପ୍ରତିଶତ ମହିଳା ଯେକୌଣସି ପ୍ରକାର ତମାଖୁର ସେବନ କରୁଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ମିଳିଛି। ଜାତୀୟସ୍ତରରେ ୩୮ପ୍ରତିଶତ ପୁରୁଷ ଓ ୯ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ବେଳେ ଓଡ଼ିଶାରେ ଏହାର ହାର ଯଥେଷ୍ଟ ଅଧିକ ରହିଛି। ରାଜ୍ୟରେ ତମାଖୁ ନିୟନ୍ତ୍ରଣରେ ସରକାରୀସ୍ତରରେ ଉଦାସୀନତା ତମାଖୁ ସେବନ ବୃଦ୍ଧି ପାଇବା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ତମାଖୁ ବିକ୍ରି ରୋକିବା ଲାଗି ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଥିଲେ ହେଁ ଏହା ଯେଉଁଭଳି ଢଙ୍ଗରେ ଏନ୍ଫୋର୍ସମେଣ୍ଟ କରିବା କଥା,ତାହା ଦେଖିବାକୁ ମିଳୁନାହିଁ।
ଆସନ୍ତାକାଲି (ମଙ୍ଗଳବାର) ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ଶରୀରରେ ହେଉଥିବା ବିଭିନ୍ନ ରୋଗ ସଂପର୍କରେ ସତେତନତା ସୃଷ୍ଟି ଲାଗି ଏହି ଦିବସକୁ ପାଳନ କରାଯାଉଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୪୨.୭ ପ୍ରତିଶତ ଲୋକ କୌଣସି ପ୍ରକାର ତମାଖୁ ସେବନ କରୁଛନ୍ତି। କିଛି ବର୍ଷ ପୂର୍ବରୁ ହୋଇଥିବା ଗ୍ଲୋବାଲ ଆଡଲ୍ଟ ଟବାକୋ ସର୍ଭେ ବା ଜିଏଟିଏସ୍ରେ ରାଜ୍ୟରେ ୭ ପ୍ରତିଶତ ଲୋକ ଧୂମପାନ କରୁଥିବା ବେଳେ ୪୨.୯ ପ୍ରତିଶତ ଧୂମହୀନ ତମାଖୁ ସେବନ କରୁଛନ୍ତି। ରାଜ୍ୟରେ ୧୦ବର୍ଷରୁ ପିଲାମାନେ ତମାଖୁ ସେବନ ଆରମ୍ଭ କରୁଥିବା ସର୍ଭେରୁ ଜଣାପଡ଼ିଛି।
ରାଜ୍ୟର ୫୧% ପୁରୁଷ, ୨୬% ମହିଳା ତମାଖୁ ସେବନ କରୁଛନ୍ତି
ଯାଞ୍ଚରେ ଫେଲ୍ ମାରିଛି ଜିଲ୍ଲାସ୍ତରୀୟ କମିଟି
ଅପରପକ୍ଷେ, ରାଜ୍ୟ ସରକାର ୨୦୧୩ ମସିହାରେ ଗୁଟ୍ଖା ନିଷେଧ ଘୋଷଣା କରିଛନ୍ତି। ଏହା ଭିତରେ ୯ବର୍ଷ ବିତିଯାଇଥିଲେ ବି ରାଜ୍ୟରେ ଗୁଟ୍ଖା ନିଷେଧ ହୋଇପାରିନାହିଁ। ପ୍ରତ୍ୟେକ ପାନ ଦୋକାନରେ ଗୁଟ୍ଖା ଝୁଲୁଥିବା ଦେଖିବାକୁ ମିଳୁଛି। ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ଗୁଟ୍ଖାରେ କୌଣସି ପ୍ରକାର ନିଶାଦ୍ରବ୍ୟ ରହିପାରିବ ନାହିଁ ବୋଲି ନିର୍ଦେଶ ରହିଛି। ହେଲେ ଗୁଟ୍ଖା କମ୍ପାନିମାନେ ଗୋଟିଏ ପାଦ ଆଗେଇ ଯାଇ ଗୁଟ୍ଖା ଓ ନିଶାକୁ ଅଲଗା ଅଲଗା ପ୍ୟାକେଟ୍ରେ ବିକ୍ରି କରୁଛନ୍ତି। ଫଳରେ ଚଢ଼ଉ ସମୟରେ କେବଳ ଗୁଆମିଶ୍ରିତ ଗୁଟ୍ଖା ଜବତ ହେଉଛି। ଏଥିପାଇଁ କମ୍ପାନି କିମ୍ବା ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଉନାହିଁ। ଫଳରେ ରାଜ୍ୟ ସରକାର ବର୍ଷ ବର୍ଷ ଧରି ରାଜସ୍ବ ହରାଇ ଚାଲିଛନ୍ତି ଓ ଗୁଟ୍ଖା କମ୍ପାନିମାନେ ଲାଭବାନ ହେଉଛନ୍ତି।
ସେହିପରି ତମାଖୁ ନିୟନ୍ତ୍ରଣ ପାଇଁ ୨୦୦୩ ମସିହାର କୋଟ୍ପା ଆଇନ ରହିଛି। ଏଥିରେ ସ୍କୁଲର ୧୦୦ ମିଟର ବ୍ୟବଧାନରେ ଗୁଟ୍ଖା/ତମାଖୁର ବିକ୍ରି ସଂପୂର୍ଣ୍ଣ ଭାବେ ନିଷେଧ ରହିଛି। ହେଲେ ଏହି ନିୟମକୁ କେହି ମାନୁ ନାହାନ୍ତି। କାଁଭାଁ ସେମାନଙ୍କ ଉପରେ ଚଢ଼ଉ କରାଯାଉଛି। ୨୦୨୧/୨୨ ମସିହାରେ ରାଜ୍ୟରେ ୯.୭ଲକ୍ଷ ଟଙ୍କା ତମାଖୁ/ଧୂମପାନ ନେଇ ଜରିମାନା ଆଦାୟ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ତମାଖୁର ବ୍ୟବହାରକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ, ଖାଦ୍ୟ ସୁରକ୍ଷା, ଅବକାରୀ ଓ ସ୍ବାସ୍ଥ୍ୟ ବିଭାଗକୁ ନେଇ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି। କମିଟିର ଉଦ୍ଦେଶ୍ୟ ହେଉଛି ନିୟମିତ ବ୍ୟବଧାନରେ ଏନଫୋର୍ସମେଣ୍ଟକୁ ଜାରି ରଖିବା। ହେଲେ ଏହା ବାଟବଣା ହୋଇଯାଇଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି, ତମାଖୁ ବ୍ୟବହାରକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି। ଆଗକୁ ଚଢ଼ଉକୁ ଜୋରଦାର କରିବା ଲାଗି ଉଦ୍ୟମ କରାଯିବ।