ବିଶ୍ବ ଓଡ଼ିଶା ସମାଜ ୱେବ୍‌ସାଇଟ୍‌ ଉନ୍ମୋଚିତ: ଓଡ଼ିଆ ମହାଭାରତ ରଚନା ବେଳେ ବିରୋଧର ସାମ୍ନା କରିଥିଲେ ସାରଳା ଦାସ

ଭୁବନେଶ୍ବର ବିପ୍ଳବ ଭିତରୁ ଆସିଛି ଓଡ଼ିଆ ଜାତି। ଆଦିକବି ସାରଳା ଦାସ ଯେତେବେଳେ ଓଡ଼ିଆ ଭାଷାରେ ମହାଭାରତ ଲେଖିଲେ, ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଓଡ଼ିଆ ଭଳି ଲୋକଭାଷାରେ ‘ମହାଭାରତ’ ରଚନା କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲା। ଏପରିକି ରାଜା କପିଳେନ୍ଦ୍ରଦେବ ସାରଳା ଦାସଙ୍କୁ ସମ୍ମାନିତ କରିବାକୁ ନେଇ ସଂସ୍କୃତ ପଣ୍ଡିତମାନେ ପ୍ରତିବାଦ କରିଥିଲେ। କିନ୍ତୁ ଓଡ଼ିଆ ଭାଷାରେ ମହାଭାରତ ରଚନା ପରେ ଯେତିକି ଆଦୃତ ହେଲା, ପୂର୍ବରୁ ତାହା ହୋଇପାରିନଥିଲା। ବିଶ୍ବ ଓଡ଼ିଶା ସମାଜ ପକ୍ଷରୁ ୱାଲ୍‌ର୍ଡ ଓଡ଼ିଶା ୱେବ୍‌ସାଇଟ୍‌ର ଉନ୍ମୋଚନ ଅବସରରେ ଏହା କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଦିନେ ଓଡ଼ିଆ ପୁଅ ବାହାରକୁ ଯାଇ ବାଣିଜ୍ୟ କରୁଥିଲା। ଆଜି ଓଡ଼ିଶା ବିଦେଶୀ ପୁଂଜିପତିଙ୍କ ପାଇଁ ନିବେଶର ସର୍ବୋତ୍କୃଷ୍ଟ ସ୍ଥାନ ପାଲଟିଛି। ରାଜ୍ୟରେ କାରଖାନା ନିର୍ମାଣ ପାଇଁ ମିତ୍ତଲ ଆଲୋଚନା କରୁଛନ୍ତି। ଆହୁରି ଅନେକ ଏଠାରେ କାରଖାନା କରିଛନ୍ତି ତ କିଛି କରିବାକୁ ଆଗ୍ରହ କରୁଛନ୍ତି। ଓଡ଼ିଶାରେ ଗଚ୍ଛିତ ପ୍ରାକୃତିକ ସମ୍ପଦର ସୁବିନିଯୋଗ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ କାରଣ ପାଇଁ ଓଡ଼ିଶା ବାହାରେ ରହୁଥିବା ପ୍ରବାସୀଙ୍କୁ ବାନ୍ଧିବା ଉପରେ ଶ୍ରୀ ପାତ୍ର ଗୁରୁତ୍ବ ଆରୋପ କରିଥିଲେ।

ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ବିଚ୍ଛିନ୍ନାଞ୍ଚଳରୁ ଦୂରେଇ ଯାଇଥିବା ଓଡ଼ିଆଙ୍କୁ ଏକାଠି କରିବାକୁ ପଡ଼ିବ ବୋଲି କହିଥିଲେ। ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ, ଜଗନ୍ନାଥ ହିଁ ଗଣତନ୍ତ୍ରର ଉତ୍ସ। ସେ ରାଜା, ଅନ୍ୟ ସମସ୍ତେ ସେବକ। ପୂର୍ବରୁ କିଛି ଜାତି ଏବଂ ଧର୍ମର ଲୋକ ମନ୍ଦିରକୁ ପ୍ରବେଶ କରି ପାରୁନଥିଲେ। ତେଣୁ ଜଗନ୍ନାଥ ବର୍ଷକୁ ଥରୁଟିଏ ବାହାରି ଥାଆନ୍ତି। ଜାତିପ୍ରଥା ଭୁଲି ରାଜା ଝାଡ଼ୁ ଧରନ୍ତି। ଏହାଠାରୁ ଗର୍ବର କଥା ବା ଆଉ କ’ଣ ଥାଇପା‌ରେ। ବିଶ୍ବ ଓଡ଼ିଶା ସମାଜର ଅରୁନ୍ଧତୀ ଦେବୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କିଶୋର ଦ୍ବିବେଦୀ ସ୍ବାଗତ ଭାଷଣ ଦେଇଥିଲେ। ସୁଧାଶ୍ରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିବରଂଜନ ବିଶ୍ବାଳ ୱାର୍ଲ୍ଡ ଓଡ଼ିଶା ୱେବ୍‌ସାଇଟ୍‌ ସଂପର୍କରେ ସୂଚନା ଏବଂ ନଳିନୀ ପତି ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରେ ରହୁଥିବା ଅନେକ ଓଡ଼ିଆ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର