ଭୁବନେଶ୍ୱର: ଶୀତର ଶୀତଳ ପରଶ ସହ ଭଞ୍ଜକଳା ମଣ୍ଡପରେ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଜି ଉଠୁଛି ନୂପୁରର ରୁଣୁଝୁଣୁ ଶବ୍ଦ। ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଅପୂର୍ବ ବାତାବରଣରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ନୃତ୍ୟଶିଳ୍ପୀମାନେ। ଖାଲି ଦେଶ ଭିତରର ନୁହନ୍ତି, ବିଦେଶୀ ଓଡ଼ିଶୀ ନୃତ୍ୟଶିଳ୍ପୀ କମାଲ ଦେଖାଉଛନ୍ତିି ମଞ୍ଚ ଉପରେ।
Sambad is now on WhatsApp
Join and get latest news updates delivered to you via WhatsApp
‘ସାଂସ୍କୃତିକୀ’ ପକ୍ଷରୁ ଆୟୋଜିତ ‘ବିଶ୍ୱ ଓଡ଼ିଶୀ ଉତ୍ସବ’ର ଦ୍ୱିତୀୟ ଦିନ ଆଜି ଆରମ୍ଭ ହୋଇଥିଲା ଅଭିଶିକ୍ତା ପରିଡ଼ାଙ୍କ ଅଷ୍ଟପଦୀ ନୃତ୍ୟରୁ। ଆଜି ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ମ୍ୟାଲେସିଆର ଲରେନ୍ ସାକ୍ରାଟିସ୍ଙ୍କ ଲକ୍ଷ୍ମୀ ମଙ୍ଗଳାଚରଣ ନୃତ୍ୟ। ପୂର୍ବାହ୍ନ ଅଧିବେଶନରେ ରିତିକା ରାୟଙ୍କ ‘ତୋ ଲାଗି ଗୋପଦାଣ୍ଡ ମନା ଲୋ..’ ହେଉ କି ଅପରାହ୍ଣ ଅଧିବେଶନର ମୁନ୍ମୁନ୍ ସିଂହଙ୍କ ‘ପାର୍ବତୀ ସ୍ମୃତି’ ଦର୍ଶକଙ୍କ ବେଶ୍ ତାଳିମାଳ ସାଉଁଟି ପାରିଥିଲା। ସକାଳେ ‘ପ୍ରତିଭା ଅନେ୍ଵଷଣ କାର୍ଯ୍ୟକ୍ରମ’ରେ ୧୫ ଜଣ ନୃତ୍ୟଶିଳ୍ପୀ ଭାଗ ନେଇଥିଲେ। ସେହିପରି ସଂଧ୍ୟାରେ ୩ଟି ଦଳଗତ ନୃତ୍ୟ ସହ ୧୮ଟି ଏକକ ନୃତ୍ୟ ପରିବେଷଣ କରାଯାଇଥିଲା। ଆଜି ସଂଧ୍ୟାରେ ଆମେରିକାର ଜ୍ୟୋତି ରାଉତ, ଗୁରୁ ମୋହନ ବୋଡ଼େ, ଗୁରୁ ସ୍ତୁତି ସାହୁ ଓ ବିଚିତ୍ରାନନ୍ଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଉତ୍ସବର ଆବାହକ କେଦାର ମିଶ୍ର ଉପସ୍ଥିତ ଥିଲେ। ଉତ୍ସବର ନିର୍ଦ୍ଦେଶକ ଶ୍ୟାମହରି ଚକ୍ର ଓ ମୁଖ୍ୟ ସଂଯୋଜକ ଦୀନବନ୍ଧୁ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।